କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮ କୋଟି ୫୦ ଲକ୍ଷ

ଭୁବନେଶ୍ବର: କେନ୍ଦ୍ରାପଡା ପାଇଁ ହାତ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୮କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମଙ୍ଗଳବାର ସଂନ୍ଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ବଡଦାଣ୍ଡର ଉନ୍ନତି କରଣ କରାଯିବ। ଏହା ସହ ବଡଦାଣ୍ଡର ଦୁଇପାର୍ଶକୁ ମଧ୍ୟ  ଆଲୋକମାଳାରେ ସଜ୍ଜିତ କରାଯିବ। ସେହିପରି କେନ୍ଦ୍ରାପଡାରେ ଏକ ଆଧ୍ୟତ୍ମିକ ଉଦ୍ୟାନ ନିର୍ମାଣ କରାଯିବା ସହିତ ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀର ମଧ୍ୟ ପୁନରୁଦ୍ଧାର କରାଯିବ। ବଳଦେବଜୀଉ ମନ୍ଦିର କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ।

ଏଥି ସହିତ ମନ୍ଦିର ନିରାପତ୍ତା,ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହିସବୁ ଉନ୍ନତିକରଣ କାର୍ୟ୍ୟର ଗୁଣାମକ ମାନ ବଜାୟ ରଖିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ସମସ୍ତ କାର୍ୟ୍ୟରେ କେନ୍ଦ୍ରାପଡା ବାସୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଗତ ସ୍ନାନ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳଦେବଜୀଉଙ୍କ ମନ୍ଦିର ପଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେବାୟତ ଓ ଜନସାଧାରଣ ମନ୍ଦିରର ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଶଣ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ କାମ ପାଇଁ ଖୁବ୍ ଶିଘ୍ର ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ଏବଂ ତାହା ପୂରଣ କରିଛନ୍ତି।

Comments are closed.