ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଟ୍ରଫି ଦଳ ଘୋଷଣା ; ଶୁଭ୍ରାଂଶୁ ଅଧିନାୟକ, ଅଙ୍କିତ ନୂଆମୁହଁ

କଟକ : ୨୦୧୯-୨୦ ସିଜିନ୍‌ର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଲାଗି ଓଡ଼ିଶା ଦଳ ଘୋଷଣା ରବିବାର କରାଯାଇଛି। ଚଳିତ ସିଜିନ୍‌ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶାର ସିନିୟର ମନୋନୟନ କମିଟି ଏହି ଦଳ ଘୋଷଣା କରିଛନ୍ତି। ଗ୍ରୁପ୍ ‘ସି’ରେ ଥିବା ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍ ରାୟପୁରରେ ଘରୋଇ ଛତିଶଗଡ଼ ବିପକ୍ଷରେ ଡିସେମ୍ବର ୯ରୁ ୧୨ ପର୍ଯ୍ୟନ୍ତ ଖେଳିବ। ପରେ ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ୨ୟ ଲିଗ୍ ମ୍ୟାଚ୍ ଖେଳିବ। ଉକ୍ତ ୨ଟି ମ୍ୟାଚ୍ ଲାଗି ଓଡ଼ିଶାର ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ଗତବର୍ଷ ରଣଜୀ ଟ୍ରଫିରେ ଓଡ଼ିଶା ଦଳର ନେତୃତ୍ବ ନେଇଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଏଥର ମଧ୍ୟ ନେତୃତ୍ବ ପ୍ରଦାନ କରାଯାଇଛି।

ଚଳିତବର୍ଷ ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଶୁଭ୍ରାଂଶୁ ଓଡ଼ିଶା ଦଳର ନେତୃତ୍ବ ନେଇଥିବା ବେଳେ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଗୋବିନ୍ଦ ପୋଦ୍ଦାର ଦଳର ନେତୃତ୍ବ ନେଇଥିଲେ। ଉଭୟ ଟୁର୍ଣ୍ଣାମେଣ୍ଟରେ ଶୁଭ୍ରାଂଶୁ ଦଳର ସଫଳ ବ୍ୟାଟ୍‌ସମ୍ୟାନ୍ ପ୍ରମାଣିତ ହୋଇଥିଲେ। ଘୋଷିତ ଦଳରେ ନୂଆମୁହଁ ଭାବେ ଅଲ୍‌ରାଉଣ୍ଡର ଅଙ୍କିତ ଯାଦବ ରହିଛନ୍ତି। ଦଳରେ ୨ ଜଣ ୱିକେଟ ରକ୍ଷକ ଅଛନ୍ତି। ସେଦୁହେଁ ହେଲେ ରାଜେଶ ଧୁପର ଓ ସୁଜିତ ଲେଙ୍କା। ତେବେ ଦଳରେ ମାତ୍ର ଜଣେ ସ୍ପିନର ଭାବେ ପପ୍ପୁ ରାୟ ରହିବା ଅନେକଙ୍କୁ ଚକିତ କରିଛି। ରଣଜୀ ଟ୍ରଫିରେ ଏକାଧିକ ସ୍ପିନରଙ୍କ ଆବଶ୍ୟକତା ପଡ଼ିଥାଏ। ଅବଶ୍ୟ ଅଭିଷେକ ରାଉତ କାମଚଳା ଲେଗ୍‌ ସ୍ପିନ୍ ବୋଲିଂ କରିପାରନ୍ତି। ଗତବର୍ଷ ଖେଳିଥିବା ଓଡ଼ିଶାର ରଣଜୀ ଟ୍ରଫି ଦଳରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଗତବର୍ଷ ଅପେକ୍ଷା ଚଳିତବର୍ଷ ଓଡ଼ିଶା ଅପେକ୍ଷାକୃତ ଦୁର୍ବଳ ଗ୍ରୁପରେ ଥିବାରୁ ଦଳଠାରୁ ଓଡ଼ିଶାର କ୍ରିକେଟପ୍ରେମୀ ଉନ୍ନତ ପ୍ରଦର୍ଶନର ଆଶା ରଖିଛନ୍ତି।

ଓଡ଼ିଶା ରଣଜୀ ଟ୍ରଫି ଦଳ
ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା ଓ ରାଜେଶ ଧୁପର (ଉଭୟେ ୱିକେଟ ରକ୍ଷକ), ଅଙ୍କିତ ଯାଦବ, ପପ୍ପୁ ରାୟ। ପ୍ରଶିକ୍ଷକ: ରଶ୍ମିରଞ୍ଜନ ପରିଡ଼ା, ଫିଜିଓ: ଶୁଭକାନ୍ତ ସାହୁ; ଟ୍ରେନର: ମନୋଜ ବିଶ୍ବାଳ।

Comments are closed.