ବୀର ପାଇକ ହାରିବା ଶିଖିନାହାନ୍ତି: ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ବୀର ପାଇକ ଲଢ଼େଇ କରି ଜାଣେ, ସନ୍ଧି ଅଥବା ବୁଝାମଣାରେ ବିଶ୍ୱାସ କରେ ନାହିଁ। ଇତିହାସ କହୁଛି ଓଡ଼ିଆ ପାଇକ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରି ବଳିଦାନ ଦେଇଛି; କେବେ ପଳାୟନ କରିନାହାନ୍ତି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି। ରାଜଧାନୀ ଦିଲ୍ଲୀ ଇଣ୍ଡିଆ ଗେଟ ଠାରେ ଆୟୋଜିତ ଓଡ଼ିଶା ପର୍ବ-୨୦୧୮କୁ ଉଦଘାଟନ କରି ବିଚାରପତି ଶ୍ରୀ ମିଶ୍ର ପାଇକଙ୍କ ଅତୁଳନୀୟ ବୀରତ୍ୱ ବିଷୟରେ ଯୁବ ପିଢ଼ିଙ୍କୁ ଅବଗତ କରାଇବା ପାଇଁ ଆହ୍ୱାନ କରିଥିଲେ। ପାଇକ ବିଦ୍ରୋହ ୧୮୧୭ ପ୍ରସଙ୍ଗରେ ଇଂରେଜମାନଙ୍କ ସହ ସନ୍ଧି କିମ୍ବା ବୁଝାମଣା କରିଥିଲେ ଓଡ଼ିଶାରେ ରକ୍ତପାତ ଘଟି ନ ଥାନ୍ତା କିମ୍ବା କେହି ମୃତାହତ ହୋଇ ନ ଥାନ୍ତେ ବୋଲି କେତେକ ଲେଖକଙ୍କ ମତକୁ ସମାଲୋଚନା କରି ବିଚାରପତି ଶ୍ରୀ ମିଶ୍ର କହିଥିଲେ ଯେ ପାଇକମାନେ ହାରିବା ଶିଖିନାହାନ୍ତି। ସେ ନିଜେ ପାଇକ ମାଟିର ସନ୍ତାନ ଏବଂ ପାଇକ ବୀରତ୍ୱ ବିଷୟରେ ସମଗ୍ର ବିଶ୍ୱ ଜାଣିଛି। ଦୁର୍ଦ୍ଧର୍ଷ ପାଇକମାନେ ଶେଷ ପର୍ୟ୍ୟନ୍ତ ଇଂରେଜମାନଙ୍କୁ ଓଡ଼ିଶା ଦଖଲ କରିବାରେ ବାଧା ଦେଇଥିଲେ। ବିଶ୍ୱ ପ୍ରଖ୍ୟାତ ପୁସ୍ତକ ‘ଚାର୍ଲସ ଅଫ ଟୁ ସିଟିଜ’ ପୁସ୍ତକର ସାରାଂଶ ପାଇକ ବିଦ୍ରେହ ବିଷୟରେ ରଚିତ ‘୧୮୧୭’ ପୁସ୍ତକର ସାରାଂଶ ସହ ସମାନ। ‘୧୮୧୭’ ପୁସ୍ତକର ରଚୟିତାଙ୍କ ଦାୟାଦ ଭାବେ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ବିଚାରପତି ଦୀପକ ମିଶ୍ର କହିଥିଲେ।
ଉଦ୍‌ଘାଟନ ଅବସରରେ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବ ନୂତନ ପିଢ଼ି ପାଇଁ ପ୍ରେରଣା ସୃଷ୍ଟି କରିବ। ଏଠାରେ ବକ୍ସି ଜଗବନ୍ଧୁଙ୍କ ଲଢ଼େଇ, ବରୁଣେଈ ପାହାଡ଼ର ଗାଥା ସମେତ ବୀର ଓଡ଼ିଆଙ୍କ ବୀରତ୍ୱ ବିଷୟରେ ଜାଣିପାରିବେ। ଓଡ଼ିଶାକୁ ଆଗାମୀ ଦିନରେ ପୃଥିବୀର ଏକ ଅଗ୍ରଣୀ ଅଞ୍ଚଳ ତଥା ଭାରତର ଏକ ଅର୍ଥନୈତିକ ପେଣ୍ଠସ୍ଥଳ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ଏହି ଅବସରରେ ସୁଜିତ ପୃଷେଠ ଓ ଚାରୁଦତ୍ତ ପାଣିଗ୍ରାହୀଙ୍କ ଦ୍ୱାରା ସଂକଳିତ “ ଧମନୀର ଶୌର୍ୟ୍ୟ” ପୁସ୍ତକ ଉନ୍ନୋଚିତ ହୋଇଥିଲା। ଆସନ୍ତା ୧୧ ପର୍ୟ୍ୟନ୍ତ ଚାଲିବାକୁ ଥିବା ଓଡ଼ିଶା ପର୍ବରେ ୮୦ଟି ଷ୍ଟଲରେ ରାଜ୍ୟର ହସ୍ତଶିଳ୍ପ, ଚାରୁକଳା, ମୂର୍ତ୍ତିକଳା ସମେତ ବିଭିନ୍ନ ଅଞ୍ଚଳର ଖାଦ୍ୟ ଷ୍ଟଲ ସ୍ଥାନ ପାଇଛି।

Leave A Reply