ଓଡ଼ିଶାର ଐତିହ୍ୟସ୍ଥଳୀ ପ୍ରସଙ୍ଗ

ଏହା ଉପ​‌ରେ ପୁନର୍ବିଚାର କରାଯିବ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର : ଭାରତର ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀକୁ ସ୍ଥାନ ଦେବା ପାଇଁ ଶୁକ୍ରବାର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଶ୍ରୀ ପଟେଲ ଏହା ଉପରେ ପୁନର୍ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳ ଭାରତର ଆଇକନିକ୍ ଟୁରିଷ୍ଟ ଡେଷ୍ଟିନେସନରେ ସ୍ଥାନ ପାଇ ନଥିବା ଅନୁଭବ କରି ଶ୍ରୀ ପଟେଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖି ସାରିଛନ୍ତି। ଶ୍ରୀ ସାମନ୍ତ ଗୁରୁବାର ଲୋକସଭାରେ ଏହି ପ୍ରସଙ୍ଗ ଉତ୍ଥାପନ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିବାରୁ ଏହା ଉପରେ ପୁନର୍ବିଚାର କରାଯିବ। ସୂଚନାଯୋଗ୍ୟ ଗୁରୁବାର ଶ୍ରୀ ସାମନ୍ତ ଗୃହର ଶୂନ୍ୟକାଳରେ ଓଡ଼ିଶାରେ କୋଣାର୍କ, ଚିଲିକା, ଭିତରକନିକା, ପୁରୀ, ଶିମିଳିପାଳ ଭଳି ବିଶ୍ୱ ପ୍ରସିଦ୍ଧ ଓ ଅତୁଲ୍ୟ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଭାରତର ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନରେ ସ୍ଥାନ ପାଇ ନ ଥିବା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.