ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଅତିରିକ୍ତ ବଜେଟ: ୨୦୧୯-୨୦ ପାଇଁ ୮୧୨୬ କୋଟିର ବ୍ୟୟ ବରାଦ

ଭୁବନେଶ୍ବର: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ,ଗୃହ ମୁଲତବୀ ଏବଂ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ସତ୍ତେ ବିଧାନସଭାରେ ପାରିତ ହୋଇଛି ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଅତିରିକ୍ତ ବଜେଟ୍। ୨୦୧୯-୨୦ ବର୍ଷ ପାଇଁ ୮୧୨୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବୁଧବାର ଷୋଡଶ ବିଧାନସଭାର ପ୍ରଥମ ଦିନରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି। ବୁଧବାର ଅଧିବେଶନର ପ୍ରଥମ ଦିନରେ ବେଶ ସରଗରମ ଥିଲା ବିଧାନସଭା। ରାଜ୍ୟରେ ବଢିଚାଲିଥିବା ନାରୀ ନିର୍ୟ୍ୟାତନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ଏହାପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ। ଅପରାହ୍ନ ୩ଟା ପର୍ୟ୍ୟନ୍ତ ଗୃହ ମୁଲତବି ହେବାପରେ ପୁଣିଥରେ ଆରମ୍ଭ ହେଲା ଏବଂ ଏହି ସମୟରେ ଅର୍ଥମନ୍ତ୍ରୀ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିଥିଲେ।
୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟରେ ପ୍ରାଶାସନିକ ବ୍ୟୟ ପାଇଁ ରହିଛି ୨୬୭.୨୩ କୋଟି । ପୂର୍ତ୍ତ ବିଭାଗକୁ ସର୍ବାଧିକ ୧୭୫୧.୪୩ କୋଟି ଟଙ୍କା, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୯୨୧.୦୯କୋଟି ଟଙ୍କା, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ୮୫୯.୦୨କୋଟି ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୯୦୨କୋଟି ଟଙ୍କା, ଶକ୍ତି ବିଭାଗକୁ ୮୫୧.୧୫କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୫୦୪.୧୯କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସଂସଦୀୟ ବ୍ୟାପାର ବିଭାଗ ପାଇଁ ୧.୭୫ କୋଟି ବ୍ୟୟ ବରାଦ ହୋଇଛି ,ପର୍ୟ୍ୟଟନ ବିଭାଗ ପାଇଁ ୪୫.୫୩ କୋଟି, ସମବାୟ-୧୯୧.୦୩ କୋଟି, ମହିଳା ଓ ଶିଶୁ ବିକାଶ-୨୬୧.୨୫ କୋଟି, ପ୍ରଯୁକ୍ତି ବିଦ୍ୟା-୧୭.୦୧ କୋଟି, ଉଚ୍ଚଶିକ୍ଷା-୩୪.୫୩ କୋଟି, ଦକ୍ଷତା ବିକାଶ-୭୧.୫୭ କୋଟି, ବିପର୍ୟ୍ୟୟ ପ୍ରଶମନ ପାଇଁ ୬.୫୨ କୋଟି । ଓଡ଼ିଆ ଭାଷା ଓ ସଂସ୍କୃତି- ୩.୦୭ କୋଟି, ସାମାଜିକ ସୁରକ୍ଷା-୫୦୪ କୋଟି । ସ୍ବାସ୍ଥ୍ୟ ବିଭାଗ ପାଇଁ ୪୯୧.୨୨ କୋଟିର ବ୍ୟୟ ଅଟକଳ ହୋଇଛି । ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ ହୋଇଥିବା ୮୧୨୬.୩୨କୋଟି ଟଙ୍କା ମଧ୍ୟରୁ ୪୧୪୪.୫୦କୋଟି ଟଙ୍କା ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ବ୍ୟୟବରାଦ ଓ ଅନୁଦାନରୁ ସର୍ମପଣ ହୋଇଥିବା ଅର୍ଥରୁ ଭରଣା କରାଯିବ। ସେହିପରି ସହବନ୍ଧିତ ସମ୍ବଳ ସୂତ୍ରରୁ ୨୯୮୧.୮୮କୋଟି ଟଙ୍କା ଓ ଅଣବନ୍ଧିତ ସମ୍ବଳରୁ ୧୦୦୦କୋଟି ଟଙ୍କା ଆଦାୟ କରାଯିବାର ବ୍ୟବସ୍ତା କରାଯାଇଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି ଟଙ୍କା ରହିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।

Comments are closed.