ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ‘ନାଁ’ – ଜୋର ଧରୁଛି ଆନ୍ଦୋଳନ

ଭୁବନେଶ୍ୱର:ଚାଷୀମାନଙ୍କଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି ଖୋଲିଥିବା ବେଳେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ମଙ୍ଗଳବାର ସମ୍ବଲପୁର, ରେଙ୍ଗାଲି, ରେଢ଼ାଖୋଲ ଏବଂ କୁଚିଣ୍ଡାର ଚାଷୀମାନେ ସ୍ଥାନୀୟ ବିଧାୟକମାନଙ୍କ ବାସଭବନ ସମ୍ମୁଖରେ ଟ୍ରାକ୍ଟରରେ ଶହ ଶହ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଟୋକନ ବ୍ୟବସ୍ଥାର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ସଂଗଠନଗୁଡିକ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଚାଷୀଙ୍କୁ ସମର୍ଥନ କରି ବିଜେପି କୃଷକ ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ବୋଲି କହିଛି। ସେହିଭଳି ବରଗଡ଼ ଜିଲ୍ଳାରେ ଚାଷୀ ଆନ୍ଦୋଳନ ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଟୋକନ ବ୍ୟବସ୍ଥାକୁ ବିରୋଦ କରି ଚାଷୀମାନେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଛନ୍ତି। ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଆଜି ବରଗଡ଼ ଜିଲ୍ଳାର କଟାପାଲି, ଅଡ଼ଗାଁ, ସରକଣ୍ଡା ଆଦି କୃଷି ସେବା ସମବାୟ ଅଫିସରେ ତାଲା ପକାଇ ଦିଆଯାଇଛି। ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ପକ୍ଷରୁ ମଧ୍ୟ ଜିଲ୍ଳା ଯୋଗାଣ ଅଧିକାରୀଙ୍କ ଅଫିସରେ ତାଲା ପକାଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comments are closed.