ବୀରମିତ୍ରପୁର ଆସନରେ କିଏ ହେବ ବିଜେଡି ପ୍ରାର୍ଥୀ; ଚର୍ଚ୍ଚାରେ ୩ ଆଶାୟୀ

0

ସୁନ୍ଦରଗଡ଼/ରାଜଗାଙ୍ଗପୁର/ସବଡ଼େଗା: ସୋମବାର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ଟି ସଂସଦୀୟ କ୍ଷେତ୍ର ଓ ୫୪ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି କ୍ରମରେ ସୁନ୍ଦରଗଡ଼ ଜିଲାର ୭ଟି ବିଧାନସଭା କ୍ଷେତ୍ରରୁ ୬ଟି ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ତେବେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏହି ଆସନରେ ଦଳର ଏକାଧିକ ଆଶାୟୀ ରହିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଦିଲୀପ ତିର୍କୀ ଓ ପୂର୍ବତନ ବିଧାୟକ ନିହାର ସୁରିନଙ୍କ ନାମ ଚର୍ଚ୍ଚାରେ ରହିଛି। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରୁ କାହାକୁ ପ୍ରାର୍ଥୀ କରାଯିବ ଓ ଜର୍ଜଙ୍କ ଗଡ଼ରେ ଜର୍ଜଙ୍କୁ କିଏ ମୁକାବିଲା କରି ପାରିବ ସେଥିପାଇଁ ବେଶ୍ ବିଚାର ବିମର୍ଶ ଚାଲିଥିବା ସୂଚନା ମିଳିଛି। ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, ଏହି ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପକ୍ଷରୁ ଦିଲୀପ ତିର୍କୀଙ୍କ ନାମ ରହିଥିବା ବେଳେ କୁଆଡ଼େ ସେ ଏଥିରେ ଏତେଟା ଆଗ୍ରହ ପ୍ରକାଶ କରୁ ନ ଥିବା ତାଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି। ଖୁବଶୀଘ୍ର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଇତି ମଧ୍ୟରେ ଦିଲୀପ ତିର୍କୀ ଓ ସାରଦା ନାୟକ ଦଳର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ଏହାବ୍ୟତୀତ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କନ୍ୟା ସୁନିତା ବିଶ୍ବାଳ ଓ ୬ଟି ବିଧାନସଭା କ୍ଷେତ୍ରରୁ ୩ଟିରେ ନୂଆ ଚେହେରାଙ୍କୁ ବିଜେଡି ସାମିଲ କରିଛି। ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ର ପାଇଁ ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଜିଲା ବିଜେଡ଼ି ସଭାପତି ମଙ୍ଗଳା କିଶାନଙ୍କୁ ପୁନର୍ବାର ପ୍ରାର୍ଥୀ କରି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ଶ୍ରୀ କିଶାନ ୬ଷ୍ଠ ଥର ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଆମ ରାଜଗାଙ୍ଗପୁର ପ୍ରତିନିଧି ସୂଚନା ଦେଇଛନ୍ତି। ସେ ଏଥର କଡ଼ା ମୁକାବିଲାର ସମ୍ମୁଖୀନ ହେବେ ବୋଲି ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣରୁ ଆଭାସ ମିଳୁଛି। ତେବେ ତାଙ୍କ ନାମ ଘୋଷଣା ପରେ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

ସେହିପରି ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ମନ୍ତ୍ରୀ ତଥା ଜିଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ସାରଦା ନାୟକଙ୍କୁ ମଧ୍ୟ ପୁର୍ନବାର ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ଘଟଣା ରାଉରକେଲାରେ ହଟଚମଟ ସୃଷ୍ଟି କରିଛି । ବହୁ ବିରୋଧ ସତ୍ତ୍ବେ ସାରଦାଙ୍କ ଉପରେ ହାଇକମାଣ୍ଡ ନବୀନ ପଟ୍ଟନାୟକ ପୁଣି ଆସ୍ଥା ରଖି ରାଉରକେଲାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀରୁ ସୁବ୍ରତ ତରାଇ ଓ ନୂଆ ଚେହେରାରେ ବଣେଇ ନିର୍ବାଚନ ମଣ୍ଡଳୀର ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ରଞ୍ଜିତ କିଶାନ, ତଳସରା ନିର୍ବାଚନ ମଣ୍ଡଳୀରୁ ଯୁବ ନେତା ଷ୍ଟିଫେନ ସରେଙ୍ଗ, ନିକଟରେ ବିଜେଡ଼ିରେ ଯୋଗଦେଇଥିବା ଯୋଗେଶ ସିଂଙ୍କୁ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି।
ଅନ୍ୟପଟେ ଆମ ସବଡ଼େଗା ପ୍ରତିନିଧିଙ୍କ ସୂତ୍ରରୁ ପ୍ରକାଶ ଯେ, ଷ୍ଟିଫେନଙ୍କ ନାମ ଘୋଷଣା ପରେ କେଉଁଠି ଖୁସି ତ ଆଉ କେଉଁଠି ବିରୋଧର ପରିବେଶ ଦେଖିବାକୁ ମିଳିଛି। ଅନ୍ୟ ବିଜେଡ଼ି ଆଶାୟୀମାନେ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ କି ନାହିଁ ସେ ସେ ନେଇ ଚର୍ଚ୍ଚା ଜାରି ରହିଛି। ସୁନ୍ଦରଗଡ଼ ସଦରରେ ମଧ୍ୟ ଯୋଗେଶଙ୍କ ନାମ ଘୋଷଣା ପରେ ଡ଼ିଆରଡ଼ିଏ ଛକ ସମେତ ଅନ୍ୟାନ୍ୟ ସ୍ଥାନରେ ତାଙ୍କ ସମର୍ଥକଙ୍କ ଦ୍ବାରା ଖୁସିରେ ଆତସବାଜି କରାଯାଇଥିବା ଦେଖିବାକୁ ମିଳିଛି।

Leave A Reply