ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି-୨୦: ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ସଫଳତା

ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶା ୪୯ ରନ୍‌ରେ ବିଜୟୀ

କଟକ : ଚଳିତ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ପୁରୁଷ ସିନିୟର ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ୨ୟ ବିଜୟ ହାସଲ କରିଛି। ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ସୌରାଷ୍ଟ୍ରକୁ ୪୯ ରନ୍‌ରେ ଓଡ଼ିଶା ପରାସ୍ତ କରିଛି। ଏହି ଗ୍ରୁପ୍ ‘ଇ’ ମ୍ୟାଚ୍‌ରେ ପୋଦ୍ଦାର ଓ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୫ ୱିକେଟରେ ୧୬୩ ରନ୍ କରିଥିଲା। ପରେ ସାମୂହିକ ବ୍ୟାଟିଂ ବିଫଳତା ଭୋଗି ସୌରାଷ୍ଟ୍ର ୧୯.୩ ଓଭରରେ ୧୧୪ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଏହି ବିଜୟ ସହ ୫ଟି ମ୍ୟାଚ୍ ପରେ ଓଡ଼ିଶା ୧୨ ପଏଣ୍ଟ ପାଇଛି। ଶୁକ୍ରବାର ଘରୋଇ ଗୁଜରାଟ ବିପକ୍ଷରେ ଓଡ଼ିଶା ୬ଷ୍ଠ ଲିଗ୍ ମ୍ୟାଚ୍ ଖେଳିବ।
ଗୁରୁବାରର ମ୍ୟାଚ୍‌ରେ ଟସ୍ ଜିତି ଓଡ଼ିଶା ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଓପ୍‌ନର ସନ୍ଦୀପ ପଟ୍ଟନାୟକ ୩ ରନ୍‌କରି ଆଉଟ ହେବା ପରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ସ୍କୋର୍‌କୁ ୮ ଓଭରରେ ୫୫ ରନ୍‌ରେ ପହଞ୍ଚାଇଥିଲେ। ଶୁଭ୍ରାଂଶୁ ୧୯ ବଲ୍‌ରୁ ୩ଟି ଚୌକା ସହ ୧୯ ରନ୍ କରିଥିଲେ। ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ୩ୟ ୱିକେଟ ପାଇଁ ୫ ଓଭରରେ ୪୫ ରନ୍ ଯୋଡ଼ିଥିଲେ। ପୋଦ୍ଦାର ୪୨ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୭ ରନ୍‌କରି ଆଉଟ ହୋଇଥିଲେ। ଅରବିନ୍ଦ ସିଂହ ୧୪ ରନ୍ କରିଥିଲେ। ଇନିଂସର ଶେଷ ବଲ୍‌ରେ ଅଙ୍କିତ ଯାଦବ ୭ ରନ୍‌କରି ରନ୍‌ଆଉଟ ହୋଇଥିଲେ। ବିପ୍ଳବ ବିସ୍ଫୋରକ ଇନିଂସ ଖେଳି ୩୫ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୬୦ ରନ୍‌କରି ଅପରାଜିତ ଥିଲେ। ସୌରାଷ୍ଟ୍ର ୧୬୪ ରନ୍‌ର ପିଛା କରିଥିବା ବେଳେ ସହଳ ୨ଟି ୱିକେଟ ହରାଇଥିଲା। ସୌରାଷ୍ଟ୍ରର କୌଣସି ବ୍ୟାଟ୍‌ସମ୍ୟାନ୍ ବଡ଼ ସ୍କୋର୍ କରି ପାରିନଥିଲେ। ହାର୍ବିକ ଦେଶାଇ ୨୨ ବଲ୍‌ରୁ ଦ୍ରୁତ ୨୬ ରନ୍ କରିଥିଲେ। ପରେ ସମର୍ଥ ବ୍ୟାସ ୧୮ ଓ ସେଲ୍‌ଡନ ଜ୍ୟାକ୍‌ସନ ୧୭ ରନ୍ କରିଥିଲେ। ଚିରାଗ ଜାନି ୧୬ ଓ ଅଧିନାୟକ ଜୟଦେବ ଉନାଦ୍‌କତ ୧୭ ରନ୍ କରିଥିଲେ। ଓଡ଼ିଶାର ଗୋବିନ୍ଦ ପୋଦ୍ଦାର ମାତ୍ର ୭ ରନ୍‌ଦେଇ ୩ଟି ୱିକେଟ ନେଇଥିବା ବେଳେ ପପ୍ପୁ ରାୟ, ଦେବବ୍ରତ ପ୍ରଧାନ ଓ ଅଙ୍କିତ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.