ତ୍ରିଭୁବନେଶ୍ୱର ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ

0

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ତ୍ରିଭୁବେନଶ୍ୱର ସରଣ ସିଂଦେଓଙ୍କୁ ଅସ୍ଥାୟୀ ଭାବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି। ଜିତେନ୍ଦ୍ର ସିଂଙ୍କ ସହିତ ଯୁଗ୍ମ ଭାବେ ଓଡ଼ିଶା କଂଗ୍ରେସ ସଂଗଠନ ଦାୟିତ୍ୱ ସମ୍ଭାଳିବେ। ଆଗାମୀ ଲୋକସଭା ନିର୍ବାଚନରେ ରାଜସ୍ଥାନର ଅଲୱରରୁ ଜିତେନ୍ଦ୍ର ସିଂ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବାରୁ ଓଡ଼ିଶା କଂଗ୍ରେସ ସଂଗଠନକୁ ଯଥେଷ୍ଟ ସମୟ ଦେଇ ପାରୁନଥିଲେ। ଗତ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ ଦଳ ବିଜୟ ଲାଭ କରି ସରକାର ଗଠନ କରିଥିବା ବେଳେ ଅଲୱରରେ ବିଶେଷ ସଫଳତା ପାଇ ପାରି ନଥିଲା। ଓଡ଼ିଶାରେ କଂଗ୍ରେସ ସଂଗଠନକୁ ନିର୍ବାଚନ ପୂର୍ବରୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏଆଇସିସି ଶ୍ରୀ ସିଂଦେଓଙ୍କ ଉପରେ ଭରସା କରିଛନ୍ତି। ଛତିଶଗଡ଼ କଂଗ୍ରେସ ନେତା ଭାବେ ଓଡ଼ିଶାର ଭୌଗଳିକ ଅବସ୍ଥିତି ଏବଂ ସାମାଜିକ ପରମ୍ପରା ବିଷୟରେ ଶ୍ରୀ ସଂଦେଓଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଓଡ଼ିଶା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନତାଙ୍କ ସଂଶ୍ଚର୍ପରେ ଆସିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଛତିଶଗଡ଼ କଂଗ୍ରେସ ଇସ୍ତହାର କମିଟି ମୁଖ୍ୟ ଭାବେ ନିର୍ବାଚନୀ ପ୍ରତିଶୃତି ପ୍ରସ୍ତୁତ କରି ଜନତାଙ୍କ ଆସ୍ଥାଭାଜନ ହୋଇଥିଲେ। ଦଳୀୟ ଇସ୍ତହାର କଂଗ୍ରେସ ଦଳକୁ ଛତିଶଗଡ଼ରେ କ୍ଷମତାସୀନ କରିଥିଲା ବୋଲି କଂଗ୍ରେସ ହାଇକମାଣ୍ଡ ବିଶ୍ୱାସ କରୁଛନ୍ତି। ଛତିଶଗଡ଼ରେ ସଫଳତା ପରେ କଂଗ୍ରେସ ଦଳ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୀମାବର୍ତ୍ତୀ ଜିଲା ଗୁଡ଼ିକରେ କଂଗ୍ରେସ ଦଳ ସମାନ ଭାବେ ସଫଳତା ଆଣି ପାରେ ବୋଲି ଏଆଇସିସି ଆଶା କରୁଛି। ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ଶ୍ରୀ ସିଂଦେଓ ଆଗାମୀ ଲେକାସଭା ନିର୍ବାଚନ ଲଢ଼ିବେ ନାହିଁ; ଓଡ଼ିଶାରେ ନିର୍ବାଚନ ପରିଚାଳନା ପାଇଁ ପୂର୍ଣ୍ଣ ସମୟ ଦେବେ। ନିର୍ବାଚନରେ ଟିକେଟ ବଣ୍ଟା ଭଳି ଜଟିଳ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ଜଣେ ପୂର୍ଣ୍ଣ ସମୟ ଦେଇ ପାରୁଥିବା ନେତାଙ୍କ ଆବଶକତା ଥିଲା। ଶ୍ରୀ ସିଂଦେଓଙ୍କ ମାଧ୍ୟମରେ ଏଭଳି ସମସ୍ୟାକୁ ଦୂର କରାଯାଇପାରିବ ବୋଲି କଂଗ୍ରେସ ହାଇକମାଣ୍ଡ ବିଶ୍ୱାସ କରୁଛନ୍ତି। ସିଂଦେଓଙ୍କ ନିଯୁକ୍ତିରୁ ଜଣାପଡ଼ୁଛି ଯେ ଓଡ଼ିଶାକୁ ଏଆଇସିସି ଅଧିକ ଫୋକସ କରୁଛି। ଏବେ ରାଜ୍ୟ କଂଗ୍ରେସ ସଂଗଠନ ଦାୟିତ୍ୱରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ଜଣେ ଅସ୍ଥାୟୀ ପ୍ରଭାରୀ, ତିନି ଜଣ ସହପ୍ରଭାରୀ, ଜଣେ ଉପପ୍ରଭାରୀ ଓ ସ୍କ୍ରିନିଂ କମିଟିରେ ତିନି ଜଣ ନେତାଙ୍କ ସମେତ ସମୁଦାୟ ନଅ ଜଣ କେନ୍ଦ୍ରୀୟ ନେତା ଅଛନ୍ତି। ଏମାନଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ଦଳ ଆଗାମୀ ନିର୍ବାଚନ ସମ୍ମୁଖୀନ ହେବ। ତେବେ ଟି ଏସ ସିଂଦେଓଙ୍କ ନିଯୁକ୍ତି ପରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ କଂଗ୍ରେସ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଛତିଶଗଡର ଏହି କଂଗ୍ରେସ ନେତାଙ୍କୁ ବିଜେଡି ଓ ବିଜେପି ଆଗାମୀ ଦିନରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି।

Leave A Reply