ବାଜପେୟୀ ଥିଲେ ଅନନ୍ୟ ଚିନ୍ତାନାୟକ: ବିଜେପି

0

ଭୁବନେଶ୍ୱର :ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଦୁଃଖଦ ବିୟୋଗରେ ରାଜ୍ୟ ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟାଳୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗୋ ଓ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଯେ ବାଜପେୟୀ ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ସହ ଏକାଧାରରେ ଜଣେ ଅନନ୍ୟ ଚିନ୍ତାନାୟକ, ଲେଖକ, କବି ଓ ବରିଷ୍ଠ ରାଜନେତା ଭାବେ ପରିଚିତ। ‘ରାଜ୍ୟର ବିକାଶ ପାଇଁ ଧନର ଅଭାବ ରହିବ ନାହିଁ’ ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଓଡିଶା ପାଇଁ ଅକାଟ୍ୟ ବଚନ। ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦିନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଞ୍ଚାଇବା ଏବଂ ବାସହରାମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମ୍‍ସ ଶାଖାର ଶୁଭାରମ୍ଭ ସ୍ୱର୍ଗତ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା। ସେ ପାରାଦ୍ୱୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ପାଇଁ ଇଣ୍ଡିଆନ ଅଏଲ ତୈଳବିଶୋଧନାଗାରର ପରିକଳ୍ପନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଞ୍ଚଳଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି ବୋଲି ସେ କହିଥିଲେ।
ସ୍ୱର୍ଗତ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ। ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହ କିମି ବିଶିଷ୍ଟ ରାଜମାର୍ଗକୁ ଦୁଇଦୁଣ କରି ୩୨ ଶହ କିମିରେ ପହଞ୍ଚାଇଥିଲେ। ଅନ୍ତ୍ୟୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରିବଙ୍କ ପାଖରେ ଅନ୍ନ ପହଞ୍ଚାଇବାରେ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ ବୋଲି ବିଜେପି ନେତୃବୃନ୍ଦ ଅଭିହିତ କରିଥିଲେ।
କାର୍ଯ୍ୟାଳୟରେ ଅନୁଷ୍ଠିତ ଶୋକ ସଭାରେ ବିଧାୟକ ରବି ନାୟକ, ଉପ ସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର,ଅନନ୍ତ ନାୟକ,ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତ ସିଂହାର, ମୁଖପାତ୍ର ଗୋଲକ ମହାପାତ୍ର, ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇ ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave A Reply