ଶୀତକାଳୀନ ଅଧିବେଶନ ବି ଗରମ – ପିଛା ଛାଡ଼ୁନି ସ୍ମିତାରାଣୀ ମୃତ୍ୟୁ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନର ଶନିବାର ଥିଲା ଚତୁର୍ଥ ଦିନ କିନ୍ତୁ ଗୃହରେ ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତି ସେଭଳି ସୁଯୋଗ ନଦେବାରୁ ମୁଖ୍ୟ ବିରୋଧୀ ବିଜେପିର ବିଧାୟକମାନେ ଗୃହ ତ୍ୟାଗ କରି ବିଧାନସଭା ବାହାରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ଗତକାଲି ଭଳି ବିଜେପି ସଭ୍ୟମାନେ ମୁହଁରେ କଳାପଟି ବାନ୍ଧି ସେମାନଙ୍କର ପ୍ରତିବାଦ ଜାରି ରଖିଥିଲେ। ତେବେ ପ୍ରଥମାର୍ଦ୍ଧରେ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ଗୃହରେ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୩-୧୪ ମସିହାଠାରୁ ପ୍ରତି ଜିଲ୍ଲା ସଦର ମହକୁମାରେ ଗୋଟିଏ କରି ସରକାରୀ ଆଇଟିଆଇ ଏବଂ ୩୮ଟି ପଲିଟେକ୍‍ନିକ୍‍ ସ୍ଥାପନ କରାଯାଇଛି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଅନୁଗୁଳ ଜିଲ୍ଲାର ପାଲଲହଡ଼ାଠାରେ ଗୋଟିଏ କରି ସର୍ବମୋଟ୍‍ ୭୦ଟି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ରାଜ୍ୟର ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ଅଧିକରୁ ଅଧିକ ନିଯୁକ୍ତିକ୍ଷମ କରିବା ପାଇଁ ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ୨୦୧୧-୧୨ ମସିହାଠାରୁ ପ୍ରଚଳନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୯୦ ହଜାର ୮୯୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ସେଥିମଧ୍ୟରୁ ୨୦ ହଜାର ୫୦୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଡ ସିଂ ସାଲୁଜାଙ୍କ ଏ ସଂପର୍କିତ ମୂଳପ୍ରଶ୍ନ ଏବଂ ବିଧାୟକ ରୋହିତ ପୂଜାରୀ, ରମେଶ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ସାହୁ, ନରସିଂହ ମିଶ୍ର ପ୍ରମୁଖ ଅନ୍ୟ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ଏବଂ ଅଧିକରୁ ଅଧିକ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ସିଏମ୍‍ଇଜିଇପି) ପ୍ରଣୟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଅଦ୍ୟାବଧି ସମୁଦାୟ ୧୧ଲକ୍ଷ ୩୨ ହଜାର ୪୨୮ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଆଗାମୀ ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ଯୁବକ ଯୁବତୀଙ୍କୁ ଏହି ଯୋଜନା ଅଧୀନରେ ଦକ୍ଷତା ବିକାଶ ତାଲିମ ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ।

Comments are closed.