ଗୁଆହାଟୀରେ ଓଡ଼ିଶା-ଆସାମ ରଣଜୀ ମୁକାବିଲା

0

କଟକ : ଘରୋଇ ପଡ଼ିଆରେ ୨ଟି ମ୍ୟାଚ୍‍ ଖେଳିବା ପରେ ଓଡ଼ିଶା ଦଳ ଚଳିତ ରଣଜୀ ସିଜିନରେ ମଙ୍ଗଳବାରଠାରୁ ରାଜ୍ୟ ବାହାରେ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଛି। ଘରୋଇ ଆସାମ ବିପକ୍ଷରେ ଗୁଆହାଟୀରେ ଓଡ଼ିଶା ଏହି ୪ ଦିନିଆ ମ୍ୟାଚ୍‍ ଖେଳିବ। ଏଲିଟ୍‍ ଗ୍ରୁପ୍‍ ‘ସି’ରେ ଆସାମକୁ ଅନ୍ୟତମ ଦୁର୍ବଳ ଦଳ ବୋଲି କୁହା ଯାଉଥିଲେ ହେଁ ଗତ ୨ଟି ମ୍ୟାଚ୍‍ରୁ ଏହାର ପ୍ରଦର୍ଶନ ଦେଖିଲେ ସ୍ୱୀକାର କରିବାକୁ ହେବ ଯେ ଆସାମ ଆଦୌ ଦୁର୍ବଳ ନୁହେଁ ଏହି ଗ୍ରୁପ୍‍ରୁ ନକ୍‍ଆଉଟ ଯିବା ପାଇଁ ଏହା ମଧ୍ୟ ଏକ ଦାବିଦାର। କାରଣ ପ୍ରଥମ ମ୍ୟାଚ୍‍ରେ ଶକ୍ତିଶାଳୀ ଝାଡ଼ଖଣ୍ଡ ବିପକ୍ଷରେ ଆସାମ ମୁକାବିଲା ଡ୍ର ରଖି ପାରିଥିବା ବେଳେ ୨ୟ ମ୍ୟାଚ୍‍ରେ ତ୍ରିପୁରାକୁ ୨୧୧ ରନ୍‍ର ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲା। ଫଳରେ ୨ଟି ମ୍ୟାଚ୍‍ରୁ ୭ ପଏଣ୍ଟ ପାଇ ଆସାମ ଏବେ ୧୦ଟି ଦଳଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛି।
ଆସାମ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ନିଶ୍ଚୟ ନିମ୍ନମାନର ହୋଇଛି। ଅପେକ୍ଷାକୃତ ଦୁର୍ବଳ ହରିୟାଣାକୁ ଓଡ଼ିଶା ୩ ପଏଣ୍ଟ ଦେଇଥିବା ବେଳେ ୨ୟ ମ୍ୟାଚ୍‍ରେ ଉତ୍ତର ପ୍ରଦେଶଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଫଳରେ ମାତ୍ର ୧ ପଏଣ୍ଟ ସହ ୧୦ଟି ଦଳଙ୍କ ମଧ୍ୟରେ ଓଡ଼ିଶା ୧୦ମ ତଥା ଅନ୍ତିମ ସ୍ଥାନରେ ରହିଛି। ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‍ରେ ଆସାମର ସଫଳତମ ବୋଲର ଭାବେ ମୁଖ୍‍ତାର ହୁସେନ୍‍ ୫ଟି ୱିକେଟ ପାଇଥିଲେ। ବ୍ୟାଟ୍‍ସମ୍ୟାନ୍‍ ଭାବେ ଶିବଶଙ୍କର ରାୟ (୭୦), ଗୋକୁଳ ଶର୍ମା (୯୨) ଓ ଅଧିନାୟକ ଅମିତ ସିହ୍ନା (୫୧) ଅର୍ଦ୍ଧଶତକ ହାସଲ କରିଥିଲେ। ତ୍ରିପୁରା ବିପକ୍ଷରେ ଆସାମ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ଯୁବ ପେସ୍‍ ବୋଲର ପ୍ରଥମ ଇନିଂସରେ ୪ଟି ଓ ୨ୟ ଇନିଂସରେ ୫ଟି ୱିକେଟ ନେଇ ଦଳକୁ ଜିତାଇଥିଲେ। ତାଙ୍କୁ ଛାଡ଼ି ପେସ୍‍ ବୋଲର ଅରୁପ ଦାସ ପ୍ରଥମ ଇନିଂସରେ ୫ଟି ଓ ୨ୟ ଇନିଂସରେ ୨ଟି ୱିକେଟ ପାଇଥିଲେ। ୩ୟ ପେସ୍‍ ବୋଲର ରଣଜିତ ମାଲି ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଆସାମର ଦୁଇ ଓପ୍‍ନର ଋଷଭ ଦାସ ଓ ପରଭେଜ୍‍ ଅଜିଜ୍‍ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅଜିଜ୍‍ ଭାରତୀୟ ଜୁନିୟର ଦଳ ପାଇଁ ପୂର୍ବରୁ ଖେଳିଛନ୍ତି। ୧୭ ବର୍ଷ ବୟସ୍କ ବ୍ୟାଟ୍‍ସମ୍ୟାନ୍‍ ରିୟାନ୍‍ ପରାଗ ଆସାମ କ୍ରିକେଟ୍‍ର ଉଦୀୟମାନ ପ୍ରତିଭା। ତ୍ରିପୁରା ବିପକ୍ଷରେ ଉଭୟ ଇନିଂସରେ ପରାଗ ଭଲ ବ୍ୟାଟିଂ କରିଥିଲେ। ଆସାମର ୬ ଜଣ ବ୍ୟାଟ୍‍ସମ୍ୟାନ୍‍ ଏହି ୨ଟି ମ୍ୟାଚରେ ୧୦୦ରୁ ଅଧିକ ରନ୍‍ କରି ସାରିଲେଣି। ପୁଣି ୩ ପେସ୍‍ ବୋଲର ମୁଖ୍‍ତାର ହୁସେନ୍‍, ଅରୁପ ଦାସ ଓ ରଣଜିତ ମାଲି ମିଳିତ ଭାବେ ୩୦ଟି ୱିକେଟ ନେଇ ସାରିଲେଣି।
ଆସାମ ତୁଳନାରେ ଓଡ଼ିଶାର ଖେଳାଳି ସେପରି ଭଲ ପ୍ରଦର୍ଶନ କରିନାହାନ୍ତି। ଅଧିନାୟକ ବିପ୍ଳବ ସାମନ୍ତରାୟ, ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ୨ଟି ମ୍ୟାଚ୍‍ରେ ଶହେରୁ ଅଧିକ ରନ୍‍ କରିଥିଲେ ହେଁ ସେମାନେ ନିୟମିତତା ଦେଖାଇ ପାରିନାହାନ୍ତି। ପ୍ରଥମ ମ୍ୟାଚ୍‍ରେ ବିପ୍ଳବ ଓ ଅନୁରାଗ ଶତକ ମାରିଥିଲେ ହେଁ ୟୁପି ବିପକ୍ଷରେ ସେମାନେ ଉକ୍ତ ପ୍ରଦର୍ଶନ ଦୋହରାଇ ପାରିନଥିଲେ। ଉତ୍ତର ପ୍ରଦେଶର ଉତ୍କୃଷ୍ଟ ପେସ୍‍ ଆକ୍ରମଣ ସମ୍ମୁଖରେ ସେମାନେ ବିଫଳ ହୋଇଥିଲେ। ଆସାମ ବିପକ୍ଷ ମ୍ୟାଚରେ ଓପ୍‍ନର ଭାବେ ରାଜେଶ ଧୁପର ଖେଳିବା ନିଶ୍ଚିତ। ବ୍ୟାଟିଂ ଲାଇନରେ ଅନ୍ୟ ପରିବର୍ତ୍ତନର ସମ୍ଭାବନା କମ୍‍। ୩ ପେସ୍‍ ବୋଲର ଭାବେ ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତି ଖେଳିପାରନ୍ତି। ତେବେ ପ୍ରଥମ ୨ଟି ମ୍ୟାଚ୍‍ରୁ ମାତ୍ର ଗୋଟିଏ ୱିକେଟ ପାଇଥିବା ବାମହାତି ସ୍ପିନର ପପ୍ପୁ ରାୟଙ୍କ ସ୍ଥାନରେ ଅଭିଜ୍ଞ ଧୀରଜ ସିଂହଙ୍କୁ ଓଡ଼ିଶା ଖେଳାଇପାରେ। ଆସାମରେ ଏବେ ଥଣ୍ଡା ପଡ଼ୁଥିବାରୁ ସକାଳୁ ପେସ୍‍ ବୋଲରଙ୍କୁ ନିଶ୍ଚୟ ସହାୟତା ମିଳିବ। ତେଣୁ ଉଭୟ ଦଳ ଟସ୍‍ ଜିତି ଫିଲ୍‍ଡିଂର ନିଷ୍ପତ୍ତି ନେଇପାରନ୍ତି। ଅଦ୍ୟାବଧି ପ୍ରଦର୍ଶନକୁ ଦେଖିଲେ; ଆସାମ ସାମାନ୍ୟ ଆଗରେ ଥିବା ଭଳି ମନେହୁଏ। ତେବେ ଆସାମ ବିପକ୍ଷରେ ଓଡ଼ିଶାର ରେକର୍ଡ ଭଲ ଥିବାରୁ ଏହି ମ୍ୟାଚ୍‍ରେ ଘରୋଇ ଦଳ ଅପେକ୍ଷା ଅଧିକ ପଏଣ୍ଟ ନେବାକୁ ଓଡ଼ିଶା ପ୍ରୟାସ କରିବ।

Leave A Reply