ଓଡ଼ିଶା ସାମାଜିକ ସୁରକ୍ଷାରେ ଶୀର୍ଷରେ, ଆଇନ ଶୃଙ୍ଖଳାରେ ଦୁର୍ବଳ

0

ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରକାଶ ପାଇଛି ପବ୍ଲିକ୍‍ ଆଫେୟାର୍ସ ଇଣ୍ଡେକ୍ସ ୨୦୧୮ (ଲୋକ ବ୍ୟାପାର ସୂଚକାଙ୍କ)। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ କେତେକ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ଦର୍ଶାଯାଇଥିବା ବେଳେ ଆଉ କେତେକରେ ରାଜ୍ୟ ସର୍ବୋତ୍ତମ ପ୍ରଦର୍ଶନ କରିଛି। ସାମାଜିକ ସୁରକ୍ଷା ଭଳି କ୍ଷେତ୍ରରେ ଦେଶର ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଶୀର୍ଷରେ  ରହିଥିବା ରିପୋର୍ଟରେ କୁହାଯାଇଛି। ତେବେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଖୁବ୍‍ ଖରାପ ରହିଛି। ସ୍ଥାନୀୟ ରେଳବାଇ ଅଡିଟୋରିୟମ୍‍ଠାରେ ଅନୁଷ୍ଠିତ ଓଡିଶା ବିକାଶ ସମାବେଶ-୨୦୧୮ର ଉଦ୍‍ଘାଟନୀ ଉତ୍ସବରେ ବେଙ୍ଗାଲୁରୁ ସ୍ଥିତ ପବ୍ଲିକ୍‍ ଆଫେୟାର୍ସ ସେଣ୍ଟର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ବିଶେଷକରି ୧୦ ଗୁରୁତ୍ୱପୂର୍ଣ୍ଣ ଥିମ୍‍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ୧୦୦ ସୂଚକାଙ୍କକୁ ପ୍ରଧାନ୍ୟ ଦିଆଯାଇଛି। ଏଥିରେ ଦେଶର ରାଜ୍ୟଗୁଡିକୁ ବୃହତ୍‍ ଏବଂ ଛୋଟ ଏହିଭଳି ଦୁଇ ଭାଗରେ ବିଭକ୍ତ କରାଯାଇଛି। ବୃହତ୍‍ ରାଜ୍ୟ ବର୍ଗରେ ଆସୁଥିବା ଓଡ଼ିଶା ଇଣ୍ଡେକ୍ସରେ ୧୦ ଥିମ୍‍ ବା କ୍ଷେତ୍ରରେ ମୋଟାମୋଟି ଭାବେ ୧୪ତମ ସ୍ଥାନ ହାସଲ କରିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ୨୦୧୬ରେ ୧୧ତମ ଏବଂ ୨୦୧୭ରେ ୫ମ ସ୍ଥାନରେ ରହି ଦ୍ରୁତ ଉନ୍ନତି ହାସଲ କରିଥିବା ପରିଲକ୍ଷିତ ହୋଇଛି। ଚିନ୍ତାର ବିଷୟ ହେଉଛି ଏହି ତାଲିକାର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ପୂର୍ବ ଦୁଇ ବର୍ଷ ତୁଳନାରେ ତଳକୁ ଖସିଛି। ପବ୍ଲିକ୍‍ ଅଫାୟାର୍ସ ଇଣ୍ଡେକ୍ସର ଅତ୍ୟାବଶ୍ୟକ ଭିତ୍ତିଭୂମି(୧୭), ଅପରାଧ ଏବଂ ଆଇନ ଶୃଙ୍ଖଳା(୧୬), ନ୍ୟାୟ ପ୍ରଦାନ(୧୬),ବିତ୍ତୀୟ ପରିଚାଳନା (୧୪) ଏବଂ ଆର୍ଥିକ ସ୍ୱାଧୀନତା (୧୬) ଆଦି କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ବହୁତ ଖରାପ ରହିଛି। ପରିବେଶ କ୍ଷେତ୍ରରେ ଦେଶର ଅନେକ ଆଗୁଆ ରାଜ୍ୟଙ୍କ ପ୍ରଦର୍ଶନ ଖରାପ ରହିଥିବାବେଳେ ଓଡ଼ିଶାକୁ ଏଥିପାଇଁ ୪ର୍ଥ ସ୍ଥାନ ମିଳିଛି। ପୂର୍ବ ଦୁଇ ବର୍ଷ (୭ମ ସ୍ଥାନ )ତୁଳନାରେ ଓଡ଼ିଶା ଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିବା ପବ୍ଲିକ୍‍ ଆଫେୟାର୍ସ ସେଣ୍ଟରର କାର୍ଯ୍ୟକ୍ରମ ଅଧିକାରୀ ଉଦିତା ଦତ୍ତା ପ୍ରକାଶ କରିଛନ୍ତି।
‘ସାମୂହିକ ପ୍ରଶାସନିକ ବ୍ୟବସ୍ଥା, ବିତ୍ତୀୟ ପରିଚାଳନା ଏବଂ ସାମାଜିକ ଦାୟିତ୍ୱବୋଧତା’ ଶୀର୍ଷକ ଏହି ଆଲୋଚନାଚକ୍ରରେ ଯୋଗଦେଇ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‍. ବାଗକ୍ରିର୍ଷ୍ଣନ୍‍ କହିଲେ, ରାଜ୍ୟ ସରକାର ସାମୂହିକ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଉପାନ୍ତ ବା ଅପହଞ୍ଚ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନଗଡା ଘଟଣା ଆଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନଗଡା ସ୍ଥିିତି ଆଉ ପୂର୍ବଭଳି ନାହିଁ। ରାଜ୍ୟର ଉପକୂଳ ଜିଲା ଯାଜପୁର ଅଧୀନରେ ଆସୁଛି ନଗଡା। ଯାଜପୁର ଜିଲା ହେଉଛି ଦେଶର ଅନ୍ୟତମ ବୃହତ୍‍ ପୁଞ୍ଜିନିବେଶ କ୍ଷେତ୍ର। ତେବେ ରାଜ୍ୟର ଆହୁରି କେତେକ ଅଞ୍ଚଳ ରହିଛି ଯେଉଁଠାରେ ଏଭଳି ସମସ୍ୟା ଦେଖାଯାଉଛି। ସେସବୁ ଅଞ୍ଚଳ ସମ୍ପର୍କରେ ରିପୋର୍ଟର୍ ଆସୁନାହିଁ। ତେବେ ଏସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କେତେକ ନିୟମ ସମସ୍ୟା ସୃଷ୍ଟି କରୁଛି। ଯେପରିକି ଏକ ସଡକ ଯୋଜନା ପାଇଁ ନିର୍ଦ୍ଦିିର୍ିର୍ଷ୍ଟ ଭାବେ ଜନସଂଖ୍ୟା ଧାର୍ଯ୍ୟ କରାଯିବା ଏହାର ଏକ ଉଦାହରଣ। ଏହା ଫଳରେ ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପାଇଁ ଯୋଗାଯୋଗ ନିମନ୍ତେ ସଡକ ନିର୍ମାଣ ସମ୍ଭବ ହେଉନାହିଁ। ଏମିତିକି ଏବେ ବି ଓଡ଼ିଶାରେ ଗୋଟିଏ ବି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟାଳୟ ନ ଥିବା ସେ କହିଛନ୍ତି।
ସମ୍ମିଳନୀରେ ପ୍ରଫେସର ଡ. ଅମିତାଭ କୁଣ୍ଡୁ କହିଲେ, ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ଢେର ଅଧିକ ରହିଛି, କିନ୍ତୁ କୌତୂହଳର ବିଷୟ ହେଉଛି ଦେଶର କୃଷି କ୍ଷେତ୍ରକୁ ରାଜ୍ୟଗୁଡିକର ଯୋଗଦାନ ହ୍ରାସ ଘଟୁଥିବାବେଳେ ଓଡ଼ିଶାରେ ଏ ନେଇ ସ୍ଥିତି ଭଲ ରହିଛି। ସେହିଭଳି ଜନସଂଖ୍ୟା ବୃଦ୍ଧିି କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିିତିରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ପରିବାର ନିୟୋଜନ ଯୋଜନାକୁ ବେଶ ଭଲ ରେସପନ୍ସ ମିଳୁଥିବା ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଫେସର ଡ. ତାପସ ସେନ୍‍, ଡ. ଅମ୍ରିତା ପଟେଲ ଏବଂ ରାଜ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ଆର୍‍.ଏନ୍‍. ଦାସ ପ୍ରମୁଖ ନିଜସ୍ୱ ମତ ଉପସ୍ଥାପନ କରିଥିିଲେ।

Leave A Reply