କେରଳରେ ୩୪ ଓଡ଼ିଆ ଶ୍ରମିକ ଗୃହବନ୍ଦୀ !

0

ଅମ୍ବାଦଳା : କେରଳରେ ରାୟଗଡ଼ା ଜିଲାର ୩୪ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଗୃହ ବନ୍ଦୀ କରି ରଖାଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ରାୟଗଡ଼ା ଜିଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଖବର ପାଇ ପରିବାର ଲୋକ ବ୍ୟତିବ୍ୟସ୍ତ ହେବା ସହ ଜିଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।
ଅମ୍ବାଦଳା ଥାନା ଅନ୍ତର୍ଗତ ପୁରୁଣା ଅମ୍ବାଦଳା, ଇନ୍ଦିରାପଡ଼ା, ରଘୁବାରୀ, ଡିମିରିଗୁଡା ତଥା ଜିଲାର ଅନ୍ୟ ସ୍ଥାନ ଏବଂ କଳାହାଣ୍ଡି ଓ ନୂଆପଡ଼ା ସୀମବର୍ତ୍ତୀ ଅଞ୍ଚଳର ୩୪ଜଣ କେରଳରେ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଇଥିଲେ। ଉକ୍ତ ଶ୍ରମିକମାନେ ତାମିଲନାଡୁ ଠିକାଦାର କୁମାରଙ୍କ ଦ୍ୱାରା କେରଳର ଅଲଅପୁଜ୍ଜା ଜିଲା ଚନ୍ଦ୍ରପାଓଲ ଅନ୍ତର୍ଗତ ଆରୋର୍‍ ଗ୍ରମରେ ଥିବା ପାରଲି ଫୁଡ କମ୍ପାନୀରେ ନିୟୋଜିତ ହୋଇଥିଲେ। ପ୍ରତ୍ୟେକ ଦିନ ପରି ଗତ ବୁଧୁବାର ଦିନ କାମ ସାରି ନିଜ ବସାକୁ ଫେରିଥିଲେ ଶ୍ରମିକ ଦଳ। ଦିପାବଳୀ ପର୍ବ ପାଳନ ନିମନ୍ତେ ସଜ ହେଉଥିଲେ। କିନ୍ତୁ କିଏ ଜାଣିଥିଲା ପର୍ବ ପାଳନ ବଦଳରେ ମିଳିବ ଗୃହବନ୍ଦୀର ସଜ୍ଜା।
ବନ୍ଧକ ଶ୍ରମିକ ଜଣଙ୍କ ମତରେ ସେମାନେ ଗାଧୋଉଥିବା ବେଳେ ତାଙ୍କ ଇନ୍‍ଚାର୍ଜ ନିକଟରେ ଥିବା ମହିଳାଙ୍କ ଘରକୁ ଯାଇ କବାଟ ବାଡ଼େଇବା ସହ ଦୁର୍ବ୍ୟବହାର କରିଥିଲା। ଏପରି ଘଟଣାକୁ ନେଇ ଘଟିଥିଲା ତୁମୁଳକାଣ୍ଡ। ଏହାକୁ ଆଧାର କରି ଉକ୍ତ ଅଞ୍ଚଳର କିଛି ଯୁବକ ଓଡିଆ ଶ୍ରମିକଙ୍କୁ ମାଡ଼ ମାରିଥିଲେ। ଠିକାଦାର କୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା, ଯାହା ଘଟଣାକୁ ଅନ୍ୟ ଏକ କାଣ୍ଡର ରୂପ ଦେଇଥିଲା। ପୂର୍ବରୁ ଶ୍ରମିକ ଓ ଠିକାଦାର ମଧ୍ୟରେ ପାରିଶ୍ରମିକ ଓ ଅଗ୍ରୀମ ଟଙ୍କାକୁ ନେଇ ହୋଇଥିବା କଟକଣା ସେଠାରେ ଉଗ୍ରରୂପ ଧାରଣ କରିଥିଲା ଓ ଠିକାଦାର ଶ୍ରମିକଙ୍କ ଉପରେ ରାଗ ସୁଝାଇଥିଲେ। ଏଥିରୁ ବଞ୍ଚିବା ପାଇଁ ଚନ୍ଦ୍ରପାଓଲ ଥାନାକୁ କେହି ଜଣେ ଶ୍ରମିକ ଫୋନ କରିଥିବାରୁ ପୁଲିସ କିଛି ଶ୍ରମିକଙ୍କୁ ଉଦ୍ଧାର କରିଛି। ଅନ୍ୟ କିଛି ଶ୍ରମିକ ଚାଲିଚାଲି ଯାଉଥିବା ବେଳେ ଅଞ୍ଚଳବାସୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଜଣେ ଶ୍ରମିକ ପ୍ରକାଶ କରିଛନ୍ତି। ଘଟଣାରୁ ବର୍ତ୍ତିବା ପରେ ଠିକାଦାର ୩୪ଜଣ ଶ୍ରମିକଙ୍କୁ ଏକାଠି ଏକ କୋଠରୀ ଭିତରେ ବନ୍ଦ କରିବା ସହ ବାହାରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହି ଧମକଚମକ ଦେଇ ଭୟଭୀତ କରି ରଖିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ଏହି ବାବଦରେ ପାରଲି ଫୁଡ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ବେଥଲ ମୁନକରଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ଘଟଣା ସମ୍ବନ୍ଧରେ ଅବଗତ ନ ଥିବା ସହ ଶ୍ରମିକ ମାନେ ଠିକାଦାରଙ୍କ ଦ୍ୱାର ପରୋକ୍ଷ ଭାବେ ନିୟୋଜିତ ହୋଇଥିବା ଜଣାଇଛନ୍ତି। ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଙ୍କୁ ପଚାରିବାରୁ, କେରଳ ପୁଲିସ ସହ ଯୋଗାଯୋଗ କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି। ଏହା ସହ ଜିଲା ଶ୍ରମ ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ଓ କୌଣସି ଶ୍ରମିକ ଶାରିରୀକ ନିର୍ଯାତନା କି ଗୁରୁତର ମାଡ଼ ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏ ନେଇ ଜିଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ପ୍ରତିକ୍ରିୟା ନେବାରୁ ଜିଲା ପ୍ରଶାସନ ସହ ଆଲୋଚନା କରି ପ୍ରକୃତ ତଥ୍ୟ ଆଧାରରେ ଘଟଣାର ସତ୍ୟତା ପ୍ରକାଶ ପରେ ଉଦ୍ଧାର କାର୍ଯ୍ୟ ତତ୍ପରତା ସହ କରାଯିବ ବୋଲି କହିଛନ୍ତି। ତେବେ ବନ୍ଧକ ଶ୍ରମିକ ମଧ୍ୟରୁ ଆଶିଷ ବାଗ, ରାଜେଶ ସୁନା, ହରିଦାସ ବାଗ, ହରିକ ବାଗ, ଅଙ୍କେଲ ଟାକ୍ରି, ସିଲୁ ବାଗ, ବିସମ୍ବର ଜଗତ, ରାମ ମହାନ୍ଦିଆ, ଖଗେଶ ମହାନନ୍ଦିଆ ଆଦି ୩୪ ଜଣ ବ୍ୟକ୍ତି ସେଠାରେ ଫସି ରହିଥିବା ଜଣାଯାଇଛି।

Leave A Reply