ମରି ବି ଅମର ଓଡିଆ ପୁଅ ସୂରଜ, ଅଙ୍ଗଦାନ କରି ବଞ୍ଚାଇଲେ ୬ ଜୀବନ

ସୁରତ: ଜଣେ ହୃତ୍‌ପିଣ୍ଡ ଅକାମୀରୁ ନିଶ୍ଚିତ ମୃତ୍ୟୁ ଅପେକ୍ଷାରେ ଥିଲେ। ଆଉ ଜଣଙ୍କର କିଡ୍‌ନୀ ହୋଇପଡିଥିଲା ଅଚଳ। ପରିବାରବର୍ଗ ତଥା କୌଣସି ସଂପର୍କୀୟଙ୍କ କିଡ୍‌ନୀ ତାଙ୍କୁ ମ୍ୟାଚ୍ କରୁନଥିଲା। ତେଣୁ ନିୟମିତ ଡାଏଲିସିସ୍‌ ଜରିଆରେ ଢୋକେ ପିଇ ଦଣ୍ଡେ ଜିଇ ଭଳି ଜୀବନ ଓ ମୃତ୍ୟୁ ସହ ଲଢ଼େଇ କରୁଥିଲେ। ଆଉ ଜଣେ ବ୍ୟକ୍ତି ଯକୃତ ସମସ୍ୟାରେ ଜର୍ଜରିତ ହୋଇ ମୃତ୍ୟୁମୁହାଁ ହୋଇସାରିଥିଲେ। ଅନ୍ୟ ଦୁଇ ବ୍ୟକ୍ତି ହରାଇଥିଲେ ଦୃଷ୍ଟିଶକ୍ତି। ଦୁଇ ଦୁଇଟି ଦୁର୍ଘଟଣା ଉଭୟଙ୍କ ସୁନ୍ଦର ଦୁନିଆକୁ ଅନ୍ଧାର କରିଦେଇଥିଲା। ଏଭଳି ୬ ଜଣ ବ୍ୟକ୍ତିଙ୍କ ଜୀବନ ଭିନ୍ନ ଭିନ୍ନ ଅଙ୍ଗ ଅକାମୀ ଯୋଗୁଁ ଦୁର୍ବିସହ ହୋଇପଡିଥିବା ବେଳେ ହଠାତ୍ ଜଣେ ଓଡ଼ିଆ ଯୁବକ ଏମାନଙ୍କ ଲାଗି ପାଲଟିଲେ ଦେବଦୂତ। ଦଧିଚିଙ୍କ ଭଳି ସେ ନିଜ ଜୀବନ ବଦଳରେ ଦାନ କରିଦେଲେ ତାଙ୍କ ଶରୀରର ଏହି ୫ଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ସୁରତରେ ରହୁଥିବା ଗଞ୍ଜାମ ଜିଲାର ଏଇ ଯୁବକଙ୍କ ନାମ ସୂରଜ ସେଠୀ(୨୨)। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲାଲସିଂ ଗ୍ରାମର ବାବୁଲି ସେଠୀ ଓ ଗୀତାଞ୍ଜଳି ସେଠୀଙ୍କ ପୁଅ ସୂରଜ। ଦୀର୍ଘ ବର୍ଷ ହେବ ଏହି ପରିବାର ସୁରତରେ ରହି ଆସୁଛନ୍ତି। ସୂରଜ ସେଠାରେ ଏକ ଲୁଗା କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିବା ବେଳେ ଗତମାସ ୨୯ ତାରିଖରେ ସେଠାରେ ଏକ ବସ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସୂରଜଙ୍କ ମାମୁ ପ୍ରକାଶ ସେଠୀ କାମ କରୁଥିବା ମହାବୀର ହସପିଟାଲକୁ ସୂରଜଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ଲୋକ ଓ ମାମୁଙ୍କ ଶତ ଚେଷ୍ଟା ସତ୍ତ୍ବେ ସୂରଜଙ୍କ ଅବସ୍ଥା ସୁଧୁରି ନଥିଲା। ତାଙ୍କର ବ୍ରେନ୍‍ଡେଡ୍‍ ହୋଇଯାଇଥିବା ଡାକ୍ତର କହିଥିଲେ। ଅବସ୍ଥା ସଂକଟାପନ୍ନ ଥିବାବେଳେ ତାଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ମଧ୍ୟ ଭଲ ହେବା ଆଶା ନାହିଁ ବୋଲି ମଧ୍ୟ ଡାକ୍ତରମାନେ ଜଣାଇଥିଲେ। ଡାକ୍ତରଖାନାରେ ୪ ଦିନ ପଡ଼ିରହିବା ପରେ ଚଳିତମାସ ୨ ତାରିଖରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ତେବେ ଆଖିବୁଜିବା ପୂର୍ବରୁ ସୁରତର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୂରଜଙ୍କ ପିତାମାତାଙ୍କୁ ଅଙ୍ଗଦାନ ପାଇଁ ବୁଝାଇ ସାରିଥିଲେ। ପରିବାର ଲୋକଙ୍କ ସହମତିରେ ମହାବୀର ହସପିଟାଲରେ ହିଁ ସୂରଜଙ୍କ ଶରୀରରୁ ଚକ୍ଷୁ, କିଡ୍‌ନୀ, ହୃତପିଣ୍ଡ ଓ ଲିଭର ସହ ମୋଟ ୬ଟି ଅଙ୍ଗ ବାହାର କରାଯାଇଥିଲା। ତାଙ୍କ ଶରୀରରୁ ବାହାରିଥିବା ହୃତପିଣ୍ଡଟି ମୁମ୍ବାଇ ନିଆଯାଇଥିବା ବେଳେ କିଡ୍‌ନି ଓ ଲିଭର ଅହମଦବାଦ ଓ ଚକ୍ଷୁ ଏବଂ ଅନ୍ୟ ଦୁଇଟି ଅଙ୍ଗ ଗୁଜୁରାଟରେ ହିଁ ରହିଥିଲା। ସୂରଜଙ୍କ ଶରୀରରୁ ବାହାର କରାଯାଇଥିବା ଅଙ୍ଗକୁ ମାତ୍ର କେଇମିନିଟ ଭିତରେ ଉପରୋକ୍ତ ସ୍ଥାନମାନଙ୍କୁ ପଠାଯାଇ ସେଠାରେ ସଫଳ ପ୍ରତିରୋପଣ ହୋଇଥିବା ତାଙ୍କ ମାମୁ ପ୍ରକାଶ ସେଠୀ ସୂଚନା ଦେଇଛନ୍ତି।
ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ମହତ କାମ ସେ କରିଛନ୍ତି। ଯେଉଁ ପୁଅ ଦିନେ ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣିପାରୁଥିଲା, ମୃତ୍ୟୁ ପରେ ବି ସେ ଜିତିଗଲା ସବୁଦିନ ପାଇଁ। ରାତିର ଶୂନଶାନ୍‌ ପ୍ରହରରେ ସୁରତ ରାଜରାସ୍ତାରେ ଦୌଡ଼ିଥିଲା ଆମ୍ବୁଲାନ୍ସ। ପୁଲିସ ଭ୍ୟାନ୍‌ର ଏସ୍‌କର୍ଟ ସହ ଦ୍ରୁତଗତିରେ ଆମ୍ବୁଲାନ୍ସ ପହଞ୍ଚିଥିଲା ମେଡ଼ିକାଲ୍‌ରେ। ତାହାରି ଭିତରେ ବ୍ରେନଡେଡ୍ ଅବସ୍ଥାରେ ଥିଲେ ସୂରଜ। ସୂରଜଙ୍କ ହୃତପିଣ୍ଡକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା। ଆଉ ସୁରତରୁ ଏୟାରଆମ୍ବୁଲାନ୍ସ ଯୋଗେ ହୃତପିଣ୍ଡକୁ ଧରି ମୁମ୍ବାଇରେ ୬୯ ମିନିଟ୍ ମଧ୍ୟରେ ପହଞ୍ଚିଥିଲା ଡାକ୍ତରୀ ଟିମ୍। ଏହାପରେ ଅନ୍ୟ ଜଣେ ମହିଳାଙ୍କ ଶରୀରରେ ଏହାକୁ ପ୍ରତ୍ୟାରୋପଣ କରାଯାଇଥିଲା। ସୁରଜ ସଶରୀରେ ନାହାନ୍ତି ସତ; କିନ୍ତୁ ସେ କାହା ଶରୀରରେ ହୃତ୍‌ପିଣ୍ଡ, ଲିଭର, କିଡ୍‌ନୀ ହୋଇବଞ୍ଚିଛନ୍ତି ତ’ କାହାକୁ ଆଖି ଦୁଇଟି ଦାନ କରି ସେମାନଙ୍କ ଅନ୍ଧାର ଦୁନିଆରେ ଭରିଛନ୍ତି ପରିଦୃଶ୍ୟମାନ ପୃଥିବୀର ଆଲୋକ। ଓଡ଼ିଆ ଯୁବକ ସୂରଜ ସତରେ ମରି ବି ଏବେ ଅମର।

Comments are closed.