ଓସିଏ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ସହ ଆଦର୍ଶ ଆଚରଣ ବିଧି ଲାଗୁ

0

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ରବିବାର ପ୍ରକାଶ ପାଇଛି। ଶୁକ୍ରବାର ପ୍ରକାଶିତ ତାଲିକାକୁ ନେଇ ଏକାଧିକ ଆପତ୍ତି ଅଭିଯୋଗ ଉପରେ ବିଚାର କରିବା ପରେ ଓସିଏର ନିର୍ବାଚନ ଅଧିକାରୀ ଏମ୍.ଏଲ୍‌. ମଜୁମଦାର ସେସବୁକୁ ଖାରଜ କରି ଦେଇଛନ୍ତି। ଫଳରେ ‘ସମାଜ’ର ଶୁକ୍ରବାର ସଂସ୍କରଣରେ ଯେଉଁ ୭୩ ଜଣ ଭୋଟରଙ୍କ ନାମ ପ୍ରକାଶ ହୋଇଥିଲା; ସେହି ସମସ୍ତ ଭୋଟରଙ୍କ ନାମ ଚୂଡ଼ାନ୍ତ ତାଲିକାରେ କାଏମ୍‌ ରହିଛି। ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ।
ପୂର୍ବ ପ୍ରକାଶିତ ତାଲିକା ଉପରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍, ଖୋର୍ଦ୍ଧା, ଢେଙ୍କାନାଳ, ଦେବଗଡ଼, କୋରାପୁଟ, ଓଜିପି କ୍ଲବ୍‌, ଗଞ୍ଜାମ ଜିଲା ପକ୍ଷରୁ ଆପତ୍ତି ହୋଇଥିଲା। ହେଲେ ଯଥେଷ୍ଟ କାରଣ ଦର୍ଶାଇ ସମସ୍ତ ଅଭିଯୋଗକୁ ନିର୍ବାଚନ ଅଧିକାରୀ ଖାରଜ କରି ଦେଇଛନ୍ତି। ପୁଣି କିଟ୍‌ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଭୋଟଦାନ ଅଧିକାର ମଧ୍ୟ ମିଳିଛି। କିଟ୍‌ ଓ ପାରାଦୀପ ପୋର୍ଟକୁ ନୂତନ ସଦସ୍ୟତା ମିଳିଛି। ଏହାସହ କୌଣସି ନୂଆ ସଦସ୍ୟଙ୍କୁ ସମ୍ବିଧାନରେ ସ୍ଥାନଦେବା କିମ୍ବା କାଟିବା ଅଧିକାର ନିର୍ବାଚନ ଅଧିକାରୀଙ୍କ ପାଖରେ ନାହିଁ ବୋଲି ମଜୁମଦାର ସ୍ପଷ୍ଟ କରିଛନ୍ତି। ସଦସ୍ୟତା ପାଇଁ ନେତାଜୀ ସ˚ଘ ଆବେଦନ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରା ଯାଇନାହିଁ। ଏସ୍‌ବିଆଇ କ୍ଲବ୍‌ରୁ ଉପେନ୍ଦ୍ର କୁମାର ଦାସ ପ୍ରତିନିଧିତ୍ବ କରୁଥିବା ବେଳେ ଏସ୍‌ବିଆଇ ଅଧିକାରୀଙ୍କ ପକ୍ଷରୁ ଆପତ୍ତି ଉଠିଥିଲା। ଏସ୍‌ବିଆଇ କ୍ଲବ୍‌ର ଏସ୍‌ବିଆଇ ସହିତ କୌଣସି ସ˚ପର୍କ ନାହିଁ ବୋଲି ମଜୁମଦାର ଦର୍ଶାଇଛନ୍ତି। ଖୋର୍ଦ୍ଧା ଜିଲା ସମ୍ପାଦକ ବିକାଶ ପ୍ରଧାନଙ୍କ ଅନ୍ୟ ୩ ଜଣଙ୍କ ନାମକୁ ଭୋଟର ତାଲିକାରେ ସ୍ଥାନ ଦେବାକୁ ଅନୁରୋଧ କରା ଯାଇଥିଲା। ତେବେ ବିକାଶଙ୍କ ନାମକୁ କାଏମ ରଖାଯାଇଛି। ଢେଙ୍କାନାଳକୁ ପ୍ରତିନିଧିତ୍ବ କରୁଥିବ ନଳିନୀ କୁମାର ଦାସଙ୍କ ନାମକୁ ସାଧାରଣ ବୈଠକରେ ଅନୁମୋଦନ ମିଳି ନଥିବାରୁ ତାଙ୍କ ନାମକୁ ବାଦ୍‌ ଦିଆଯିବାକୁ ଆବେଦନ ହୋଇଥିଲା। ଏହାକୁ ମଧ୍ୟ ମଜୁମଦାର ଗ୍ରହଣ କରିନାହାନ୍ତି। ଦେବଗଡ଼ ଜିଲା କ୍ରିକେଟ ଆସୋସିଏସନ୍‌ର ସ୍ବୀକୃତି ପ୍ରତ୍ୟାହାର କରିବାକୁ ଆବେଦନ ହୋଇଥିଲେ ହେଁ ଏହି ଆବେଦନର କୌଣସି ବୈଧତା ନଥିବାରୁ ଏହାକୁ ଖାରଜ କରାଯାଇଛି। କୋରାପୁଟ ଜିଲା କ୍ରୀଡ଼ା ସଂସଦର ସମ୍ପାଦକ ଅନୁପ କୁମାର ପାତ୍ରଙ୍କ ସଦସ୍ୟତା ମଧ୍ୟ କାଏମ ରହିଛି। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସମ୍ପାଦକ ଦାୟିତ୍ବରେ ରହିପାରିବେ ବୋଲି ମଜୁମ୍‌ଦାର ଦର୍ଶାଇଚନ୍ତି। ଓଜିପି କ୍ଲବ୍‌କୁ ପ୍ରତିନିଧିତ୍ବ କରୁଥିବା ବୀରେନ୍ଦ୍ର କୁମାର ବେହେରା ଅବସର ନେଇଥିଲେ ହେଁ ଅଭିଯୋଗକାରୀ ଶାରଦା ପ୍ରସାଦ ମହାନ୍ତି କ୍ଲବ୍‌ର ନିୟମାବଳୀ ଓ ସାଧାରଣ ବୈଠକ ବିବରଣୀକୁ ଦାଖଲ କରି ନପାରିବାରୁ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଗଞ୍ଜାମ ଜିଲା କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିତ୍ବ କରୁଥିବା ଅଶୋକ କୁମାର ସାହୁଙ୍କ ସଦସ୍ୟତା ରହିବ ବୋଲି ମଜୁମଦାର ଦର୍ଶାଇଛନ୍ତି।
ଆଦର୍ଶ ଆଚରଣ ବିଧି
ଓସିଏ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଏମ୍.ଏଲ୍‌. ମଜୁମଦାର ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ଏହା ଅନୁସାରେ ସମସ୍ତ ପ୍ରାର୍ଥୀ ଅନ୍ୟ ପ୍ରାର୍ଥୀଙ୍କୁ ସମ୍ମାନ ଜଣାଇ ନିଜ ସପକ୍ଷରେ ପ୍ରଚାର କରିପାରିବେ। କଥାରେ କିମ୍ବା ଲିଖିତ ଭାବେ ଅନ୍ୟକୁ ଅପମାନ ଦେବା ଭଳି କୌଣସି କାର୍ଯ୍ୟ ସେମାନେ କରିପାରିବେ ନାହିଁ। ପ୍ରମାଣ ନଥିବା କୌଣସି ପ୍ରସଙ୍ଗରେ କେହି କାହାରିକୁ ସମାଲୋଚନା କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ କୌଣସି ପ୍ରଚାରପତ୍ର ବଣ୍ଟନ କରିବାକୁ ଚାହାନ୍ତି; ଏଥିପାଇଁ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବେ। ପ୍ରଚାର ପାଇଁ କୌଣସି ପାର୍ଥୀ ଅତ୍ୟଧିକ ଖର୍ଚ୍ଚ କରିପାରିବେ ନାହିଁ। ଭୋଟରଙ୍କୁ ଲାଞ୍ଚଦେବା, ଧମକାଇବା ଓ ଲୋଭ ଦେଖାଇବା ଭଳି କାର୍ଯ୍ୟରୁ ପ୍ରାର୍ଥୀ ବିରତ ରହିବେ। କୌଣସି ପ୍ରାର୍ଥୀ ଭୋଟରଙ୍କୁ ଉପହାର, ଅନୁଦାନ ଦେଇପାରିବେ ନାହିଁ। ପୂର୍ବରୁ ଓସିଏର ​‌କର୍ମକର୍ତ୍ତା ଥିବା କେହି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସେମାନଙ୍କୁ ଗାଡ଼ି ଯୋଗାଇବା, ପ୍ରାର୍ଥୀଙ୍କ ସପକ୍ଷରେ ଖବର କାଗଜରେ ବିଜ୍ଞାପନ ଦେବା କିମ୍ବା ଅର୍ଥ ପ୍ରଦାନ କରିପାରିବେ ନାହିଁ। ଭୋଟିଂକୁ ଗୋପନ ରଖାଯିବ। କେହି କାହାକୁ ଭୋଟଦେବେ କିମ୍ବା ନଦେବେ; ତାହା ପ୍ରକାଶ କରିବେନାହିଁ। ପୂର୍ବତନ କମର୍କର୍ତ୍ତା କାହା ପ୍ରତି ସମର୍ଥନ ଘୋଷଣା କରିପାରିବେ ନାହିଁ। ଓସିଏ ପରିଚାଳନାରେ ଥିବା ବ୍ୟକ୍ତି ନିରପେକ୍ଷ ରହିବେ ଏବଂ କୌଣସି ପ୍ରାର୍ଥୀଙ୍କ ଅନୁରୋଧରେ ସମର୍ଥନ ଓ ସେବା ପ୍ରଦାନ କରିପାରିବେ ନାହିଁ।

Leave A Reply