୨୦୨୧ ଜନଗଣନାରେ ଓବିସି ସଂଖ୍ୟା ଗଣନା ହେବ

0

ନୂଆଦିଲ୍ଲୀ : ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଲୋକ ସଂଖ୍ୟା କେତେ ତାହା ଆଗାମୀ ୨୦୨୧ ଜନଗଣନା ବେଳେ ଆକଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି। ଏଥିସହ ୭ରୁ୮ ବର୍ଷ ପରିବର୍ତ୍ତେ ମାତ୍ର ୩ ବର୍ଷ ମଧ୍ୟରେ ୨୦୨୧ ଜନଗଣନା ଶେଷ ହେବ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ଜନଗଣନା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ଜନଗଣନା ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରକାଶ କରିବା ଲାଗି ସାଧାରଣତଃ ୭ରୁ ୮ ବର୍ଷ ସମୟ ଲାଗିଥାଏ; କିନ୍ତୁ ତିନି ବର୍ଷ ମଧ୍ୟରେ ଜନଗଣନା ଶେଷ କରିବା ନିମିତ୍ତ ଆବଶ୍ୟକ ଡିଜାଇନ ଏବଂ ପ୍ରାଦ୍ୟୋଗିକ ବ୍ୟବସ୍ଥା କରିବା ଉପରେ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରୁଛି। ଏହି ବୃହତ କାର୍ଯ୍ୟ ଲାଗି ପାଖାପାଖି ୨୫ ଲକ୍ଷ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଥର ସରକାର ଜନଗଣନା ସମ୍ବନ୍ଧୀୟ ସ୍ପଷ୍ଟ ତଥ୍ୟ ପ୍ରକାଶ କରିବାକୁ ଯୋଜନା ରଖିଛନ୍ତି। ପ୍ରତ୍ୟେକ ବାସଗୃହର ଗଣନା ନିମନ୍ତେ ମାନଚିତ୍ର ଏବଂ ଭୂ-ସନ୍ଦର୍ଭ ତଥ୍ୟ ବ୍ୟବହାର କରାଯିବାକୁ ଯୋଜନା ରହିଛି। ଜନ୍ମ-ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାରେ ସୁଧାର ଉପରେ ରାଜନାଥ ଗୁରୁତ୍ୱାରୋପ କରିଛନ୍ତି।

Leave A Reply