୫ମ ପାଳି ପାଇଁ ଶପଥ ନେଲେ ନବୀନ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ପାଳି ଆରମ୍ଭ କରିଛନ୍ତି। ବୁଧବାର ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନବୀନ ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଏବଂ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ। ନବୀନ ଶପଥ ନେବା ପରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଜଣକ ପରେ ଜଣେ ରାଜ୍ୟପାଳ ପଦ ଏବଂ ଗୋପନୀତାର ସହିତ ଶପଥ ପାଠ କରାଇଛନ୍ତି। ନବୀନ ତାଙ୍କ ୫ମ ପାଳିରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ସାମିଲ କରିଛନ୍ତି।

କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ନବ କିଶୋର ଦାସ ଓ ଟୁକୁନି ସାହୁ।

ସେହିପରି ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରହୀ, ଦିବ୍ୟ ଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁ ନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସରକା ପ୍ରମୁଖ ରହିଛନ୍ତି।

ଶପଥଗ୍ରହଣ ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିରେ ସମସ୍ତ ବିଧାୟକ, ଏମପି ଏବଂ ପୂର୍ବତନ ଏମପି, ଏବଂ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ଏହାସହିତ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହେଟ୍ଟା ଉପସ୍ଥିତ ରହିଛନ୍ତି।

Comments are closed.