ଭାରତରେ ଦେଖିବାକୁ ମିଳିବ ନ୍ୟୁଟନ୍‍ଙ୍କ ସେଓ ବୃକ୍ଷ

0

ନୂଆଦିଲ୍ଲୀ : ବିଶ୍ୱର ମହାନ ବୈଜ୍ଞାନିକ ସାର୍‍ ଆଇଜାକ୍‍ ନ୍ୟୁଟନ୍‍ ଯେଉଁ ସେଓ ବୃକ୍ଷ ତଳେ ବସି ‘ମାଧ୍ୟାକର୍ଷଣ’ ତତ୍ତ୍ୱ ପ୍ରତିପାଦନ କରିଥିଲେ, ଏବେ ତାହାକୁ ଭାରତ ମାଟିରେ ଦେଖିବାକୁ ମିଳିବ। ପୁଣେସ୍ଥିତ ଜ୍ୟୋତିଷ ବିଜ୍ଞାନ ଓ ମହାକାଶ ପଦାର୍ଥ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କେନ୍ଦ୍ର (ଆଇୟୁସିଏଏ) ପରିସରରେ ଏହି ବୃକ୍ଷର କଲମିକୁ ପ୍ରତିରୋପଣ କରାଯାଇଛି। ନିର୍ଦେଶକ ସୋମକ ରାୟଚୌଧୁରୀ ଏହି ସୂଚନା ପ୍ରଦାନ କରିଛନ୍ତି। ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଉକ୍ତ ସେଓ ଗଛର କଲମି ହୋଇଥିବା ଅଂଶ ପ୍ରତିରୋପଣ ନିମନ୍ତେ ପହଞ୍ଚିଛି। ପୂର୍ବରୁ ଇଂଲଣ୍ଡର ଲିଙ୍କନସାୟସ୍ଥିତ ନ୍ୟୁଟନ୍‍ଙ୍କ ବାସଭବନ ପରିସରସ୍ଥ ବଗିଚାରେ ଏହି ଉପାୟରେ ଉକ୍ତ ସେଓବୃକ୍ଷ ପ୍ରତିରୋପଣ ଉଦ୍ୟମ ହୋଇଥିଲା। ୧୯୭୭ରେ ଭାରତୀୟ ବୈଜ୍ଞାନିକ ଜୟନ୍ତ ନାର୍ଲିକର ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ୧୯୯୭ରୁ ୨୦୦୭ ମଧ୍ୟରେ ନ୍ୟୁଟନ୍‍ଙ୍କ ସେଓବୃକ୍ଷର କଲମି ଲାଗି ତିନି ଥର ଉଦ୍ୟମ ହୋଇଛି। ଏହି ସମୟ ମଧ୍ୟରେ କଲମି ହୋଇଥିବା ଅନ୍ତିମ ବୃକ୍ଷଟି ୨୦୦୭ରେ ନଷ୍ଟ ହୋଇଯାଇଥିଲା। ଏହା ପରେ ଏବେ ପୁନଃ କଲମି ଦ୍ୱାରା ସମଗ୍ର ବୃକ୍ଷରେ ନ୍ୟୁଟନ୍‍ଙ୍କ ମୁଖ୍ୟ ସେଓ ଗଛର ବଂଶ ବୃଦ୍ଧି କରିବାର ଯୋଜନା ହୋଇଛି। ଏଥିକ୍ରମେ ଆଇୟୁସିଏଏସ୍ଥିତ ନ୍ୟୁଟନ୍‍ ଏବଂ ଆଇନଷ୍ଟାଇନ୍‍ଙ୍କ ପ୍ରତିମୂର୍ତ୍ତି ପଛପାର୍ଶ୍ବରେ ଗୋଟିଏ ଲେଖାଏଁ ଏବଂ ଅନ୍ୟ କେତେକ କଲମି ହୋଇଥିବା ବୃକ୍ଷକୁ ପବ୍ଲିକ୍‍ ସାଇନ୍ସ ପାର୍କଠାରେ ପ୍ରତିରୋପଣ କରାଯାଇଛି। ଏହା ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ରାୟଚୌଧୁରୀ କହିଛନ୍ତି।

Leave A Reply