ନୂଆମାଲପଡ଼ାରେ ଜିଲାପାଳ ଓ ସ୍ୱତନ୍ତ୍ର ଦଳର ସୀମା ନିର୍ଦ୍ଧାରଣ ଆରମ୍ଭ

0

ନୂଆପଡ଼ା : ଓଡିଆ ସୀମାନ୍ତରେ ନୂଆମାଲପଡା ଗ୍ରାମର ଜମିକୁ ଛତିଶଗଡ ସରକାର ନିଜ ରାଜ୍ୟର ଭୂମିହୀନଙ୍କୁ ବଣ୍ଟନ କରିଥିବା ପ୍ରସଙ୍ଗରେ ଆଜି ନୂଆପଡା ଜିଲାପାଳ ଡାକ୍ତର ପୋମା ଟୁଡୁ ପହଞ୍ଚି ତଦନ୍ତ କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଆଜି ମଧ୍ୟାହ୍ନରେ ଜିଲାପାଳ ମାଓ ଅଧ୍ୟୁଷିତ ନୂଆମାଲପଡା ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଗ୍ରାମବାସୀ ବର୍ତ୍ତମାନ ବିବାଦ ଉପୁଜିଥିବା ଜମି ଉପରେ ସେମାନେ ଦୀର୍ଘବର୍ଷ ହେଲା ଜବରଦଖଲ କରି ଚାଷ କରିଆସୁଥିବା କହିଥିଲେ। ହେଲେ ଛତିଶଗଡ ସରକାରଙ୍କ ମେନପୁର ତହସିଲର କିଛି ରାଜସ୍ୱ କର୍ମଚାରୀ ଆସି ସେହି ଜମି ଉପରେ ମାପ କରି ଚିହ୍ନ ଦେବା ସହିତ ସୀମାନ୍ତବର୍ତ୍ତୀ ବୁରଜାବାହାଲ ଗ୍ରାମବାସୀର ଭୂମିହୀନଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସୀମା ନିର୍ଦ୍ଧାରଣ କରିବା ପାଇଁ ସମ୍ବଲପୁରରୁ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଲୟରୁ ଏକ ତିନିଜଣିଆ ସ୍ୱତନ୍ତ୍ର ଟିମ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି। ଆଜି ଦିନ ତମାମ ସୀମାନ୍ତରେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଗ୍ରାମର ଜବରଦଖଲ କରି ଚାଷ କରିଆସୁଥିବା ଚାଷୀମାନେ ଜିଲାପାଳଙ୍କୁ ତାଙ୍କ ଚାଷ ଜମିକୁ ରକ୍ଷା କରିବା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଜମିଗୁଡିକ ଛତିଶଗଡ ସରକାରଙ୍କ ଅଧୀନକୁ ଚାଲିଗଲେ ସେମାନେ ଜମିହୀନ ହୋଇ ବେସାହାରା ହୋଇଯିବେ ବୋଲି ଜିଲାପାଳଙ୍କୁ ନିବେଦନ କରିଥିଲେ।
ଏ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତରରେ ନୂଆପଡା ଜିଲାପାଲ ପୋମା ଡୁଡ ପ୍ରଥମେ ଆମେ ସୀମା ନିର୍ଦ୍ଧାରଣ କରିଛୁ। ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ତାଙ୍କ ସହିତ ନୂଆପଡା ଉପଜିଲାପାଳ ତରଣୀସେନ ନାଏକ, ତହସିଲଦାର ନିଳାମ୍ବର ସୁନାଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ। ସିନାପାଲି ପଞ୍ଚାୟତ ସମିତି ତପସ୍ୱିନୀ ମାଝୀ, ଜିଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

Leave A Reply