ପଞ୍ଚାୟତ କାର୍ଯ୍ୟାଳୟ ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ରିଷିଗାଁ ପଞ୍ଚାୟତର ନରସିଂହପୁର ଓ ସରଗାଦୀ ୨ଗୋଟି ଗ୍ରାମର ଗ୍ରାମବାସୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦାବିରେ ଗୁରୁବାର ଭୋଟ ବର୍ଜନ କରିଛନ୍ତି। ସକାଳ ୭ ଘଣ୍ଟାରୁ ପୁଲିଂ ବୁଥର ଅଧିକାରୀ ମାନେ ଆସି ଭୋଟ ନେବା ପାଇଁ ନିଜ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ହେଲେ ୨ଗୋଟି ଗ୍ରାମର ଭୋଟ କେନ୍ଦ୍ରରେ କେହି ମଧ୍ୟ ଭୋଟ ଦେବା ପାଇଁ ଆସିନଥିବା ଜଣାପଡିଛି। ଫଳରେ ସରଗାଦୀ ଏବଂ ନରସିଂହପୁର ଗ୍ରାମରେ ଶୂନ ପ୍ରତିଶତ ପୁଲିଂ ହୋଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ଗତ ୨୦୧୭ ମସିହାରେ ତୁକଲା ପଞ୍ଚାୟତରୁ ଭାଗ କରଯାଇ ତୁକଲା ଓ ନୂତନ ରିଷିଗାଁ ପଞ୍ଚାୟତ ଗଠନ କରାଯାଇଥିଲା। ୩ଗୋଟି ଗ୍ରାମ ନରସିଂହପୁର, ସରଗାଦୀ ଓ ରିଷିଗାଁ ଗ୍ରାମକୁ ନେଇ ନୂତନ ରିଷିଗାଁ ପଞ୍ଚାୟତ ସୃଷ୍ଟି କରାଯାଇଥିଲା। ହେଲେ ଏହି ରିଷିଗାଁ ପଞ୍ଚାୟତ ଗଠନକୁ ସେତେବେଳେ ବିରୋଧ କରାଯାଇଥିଲା। ୨ଗୋଟି ଗ୍ରାମ ନରସିଂହପୁର ଓ ସରଗାଦୀ ଗ୍ରାମର ଲୋକେ ୩ ଗୋଟି ଗ୍ରାମର ମଧ୍ୟସ୍ଥଳୀ ସରଗାଦୀ ଗ୍ରାମରେ ପଞ୍ଚାୟତ କରିବା ପାଇଁ ଅଡି ବସିଥିଲେ। ଏ ବିଷୟରେ ଗତ ୨ବର୍ଷ ତଳେ ରାଜ୍ୟ ସରକାରଙ୍କ ପଞ୍ଚାୟତ ବିଭାଗ ସମେତ ନୂଆପଡା ଜିଲାପାଳଙ୍କୁ ଅଭିଯୋଗ କରିବା ସହିତ ଆଜି ପର୍ଯ୍ୟନ୍ତ ବିରୋଧ କରି ଆସୁଛନ୍ତି। ଏ ବିଷୟରେ ପ୍ରଶାସନ କୌଣସି ପ୍ରତିକାର ନକରିବାରୁ ନିବାର୍ଚନକୁ ବର୍ଜନ କରିଥିବା ୨ଗୋଟି ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି। ଏନେଇ ନରସିଂପୁର ଓ ସରଗାଦି ଗ୍ରାମର ନାରାୟଣ ବଗର୍ତ୍ତୀ ଓ ଡି.ଡି ସିଂହଙ୍କ ସହିତ ଯୋଗାଯୋଗ କରାଯିବାରୁ ସେମାନେ ଭୋଟ ବର୍ଜନ କରିବା ଘଟଣାକୁ ସ୍ୱିକାର କରିଥିଲେ। ଏବିଷୟରେ ରିଷିଗାଁ ପଞ୍ଚାୟତର ସରପଞ୍ଚ ମାଲ୍ୟବନ୍ତ ସୁନାଙ୍କୁ ଯୋଗାଯୋଗ କରାଯିବାରୁ ଭୋଟ ବର୍ଜନ ଘଟଣାକୁ ସ୍ୱିକାର କରିଥିବା ବେଳେ ଖଡିଆଳ ବିଡିଓ ଉତ୍ତମ କୁମାର ବାଗଙ୍କୁ ଯୋଗାଯୋଗ କରାଯିବାରୁ ଆମ ପୁଲିଙ୍ଗ ଅଫିସର ମାନେ କେନ୍ଦ୍ରରେ ଉପସ୍ଥିତ ରହିଥିଲେ ହେଲେ ଭୋଟର ଆସିନଥିବା ପ୍ରକାଶ କରିଥିଲେ।

Comments are closed.