ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ସମେତ ୬ଜଣଙ୍କୁ ନୋଟିସ୍‍

0

ଭୁବନେଶ୍ୱର/ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ଧୁକ ଚାଳନା ଶିକ୍ଷା ଦେବା ଏବଂ ପକ୍ଷୀଙ୍କ ମାଂସ ରାନ୍ଧି ଖାଇବା ଭଳି ଏକ ଗର୍ହିତ ଭିଡିଓ ଭାଇରାଲ ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ତଦନ୍ତ ନିର୍ଦେଶ ଦିଆଯାଇଥିବାବେଳେ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷଣ(ବନ୍ୟପ୍ରାଣୀ)ଙ୍କ ନିର୍ଦେଶକ୍ରମେ ବାରିପଦାସ୍ଥ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଉପନିର୍ଦେଶକ ଡ. ଯଜ୍ଞଦତ୍ତ ପତି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହିତ ତଦନ୍ତକାରୀ ଅଧିକାରୀ ଡ. ପତି ବିଜ୍ଞାପନ ଜରିଆରେ ସାଧାରଣ ଲୋକଙ୍କଠାରୁ ମତାମତ ଲୋଡିଛନ୍ତି। ଯେଉଁମାନେ ଏହି ଭିଡିଓ/ଫଟୋ ଉତ୍ତୋଳନ ସଂପର୍କରେ ସଠିକ୍‍ ତଥ୍ୟ ପ୍ରମାଣ ଦାଖଲ କରିବେ ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ଏନେଇ ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକଙ୍କ ସମେତ ୬ଜଣ ବନ କର୍ମଚାରୀଙ୍କୁ ନୋଟିସ୍‍ ମଧ୍ୟ ଜାରି କରାଯାଇଛି। ତେବେ ତଦନ୍ତ ଆରମ୍ଭରୁ ଘଟଣାଟିକୁ ମୋଡିବାପାଇଁ ଚେଷ୍ଟା କରାଯାଉଛି। ଉକ୍ତ ଭିଡ଼ିଓଟି ବହୁତ ପୂର୍ବର ବୋଲି କୁହାଯାଉଛି। ଯଦି ପୂର୍ବରୁ ବାସ୍ତବରେ ଏଭଳି କିଛି ବେଆଇନ କାର୍ଯ୍ୟ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ହୋଇଥିଲା ତେବେ ସେତେବେଳେ ବିଭାଗ ପକ୍ଷରୁ ସଂପୃକ୍ତ ବନ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ବିଭାଗ ସ୍ପଷ୍ଟ କରୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି। ଯଦି ସେତେବେଳେ ବିଭାଗ ଚୁପ୍‍ ବସିଥିଲା ତେବେ କାହିଁକି ସେନେଇ ସ୍ପଷ୍ଟ ହେବା ଉଚିତ୍‍। ଅନ୍ୟପକ୍ଷରେ ଏନେଇ ବିଭାଗୀୟ ମୁଖ୍ୟ କହିଛନ୍ତି ଯେ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତଦନ୍ତକାରୀ ଅଧିକାରୀ ଡ. ପତିଙ୍କ ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓଟି ଶିମିଳିପାଳର ଆଭ୍ୟନ୍ତରୀଣ(କୋର୍‌)ଜେନାବିଲ ରେଞ୍ଜ ଅଞ୍ଚଳର ଏବଂ ତାହା ୨୦୧୩-୧୪ ମସିହାର। ୨୦୧୨ ଅଗଷ୍ଟ ୨୧ରେ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଭାନୁମିତ୍ର ଆଚାର୍ଯ୍ୟଙ୍କୁ ଦୁଇ ବର୍ଷ ପାଇଁ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏ ସଂପର୍କରେ ତତ୍‌କାଳୀନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ, ତାଙ୍କ ପୁତ୍ର ଏବଂ ଜେନାବିଲ ରେଞ୍ଜ୍‌ର ତତ୍‌କାଳୀନ ଫରେଷ୍ଟର ଓ ୩ ଜଣ ଫରେଷ୍ଟଗାର୍ଡଙ୍କ ସମେତ ମୋଟ ୬ ଜଣଙ୍କୁ ୧୭ ତାରିଖ ସୁଦ୍ଧା ବକ୍ତବ୍ୟ ରଖିବା ପାଇଁ ନୋଟିସ ଜାରି କରାଯାଇଛି। ତେବେ ଦୀର୍ଘ ୪ ବର୍ଷ ପରେ ହଠାତ୍‌ ଏହି ଘଟଣାର ତଦନ୍ତ କରାଯାଉଥିବା ସଂପର୍କରେ ତଦନ୍ତକାରୀ ଅଧିକାରୀ ଡ. ପତି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ପୂର୍ବରୁ କେବେ ଏହି ଭିଡିଓ ଦୃଷ୍ଟିକୁ ଆସି ନ ଥିଲା, ଏବେ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବିଭାଗକୁ ଖୁବ୍‍ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ ବୋଲି ଡ. ପତି କହିଛନ୍ତି।
ଏସଂପର୍କରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଆଚାର୍ଯ୍ୟଙ୍କ କହିବା କଥା ହେଲା ଭାଇରାଲ ହୋଇଥିବା ଭିଡ଼ିଓଟି ୭/୮ ବର୍ଷ ତଳର ପୁରୁଣା ଭିଡ଼ିଓ। ୨୦୦୯ ଶିମିଳିପାଳରେ ମାଓବାଦୀଙ୍କ ଆକ୍ରମଣ ଯୋଗୁଁ ଆଭ୍ୟନ୍ତରୀଣ ଅଞ୍ଚଳର ବନ କର୍ମଚାରୀ ଜଙ୍ଗଲ ଛାଡି ଚାଲି ଆସିବା ପରେ ବ୍ୟାପକ ଗଛ କଟା ସହ ଅବାଧ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇଥିଲା। ଏସଂପର୍କରେ ବନ କର୍ମଚାରୀମାନଙ୍କ ମନବଳକୁ ବଢାଇବା ଓ ସହାୟତା ପାଇଁ ତତ୍‍କାଳୀନ କ୍ଷେତ୍ର ନିର୍ଦେଶକଙ୍କ ଦ୍ୱାରା ଯୁବକମାନଙ୍କୁ ନେଇ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯାଇଥିଲା ଏବଂ ସେମାନଙ୍କୁ ଶିକାରୀ ଓ କାଠ ଚୋରକୁ ଘଡାଇବା ପାଇଁ ଫାଙ୍କା ଗୁଳିଚାଳନା ସଂପର୍କରେ ଶିକ୍ଷା ଦିଆଯାଉଥିବାର ଫଟୋ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ତଦନ୍ତକାରୀ ଅଧିକାରୀ ଡ. ପତି ଏବଂ ଶ୍ରୀ ଆଚାର୍ଯ୍ୟଙ୍କ କଥାରେ ମେଳ ଖାଉନାହିଁ। ଡ. ପତି ଏହାକୁ ୨୦୧୩-୧୪ବର୍ଷର ଭିଡ଼ିଓ ହୋଇଥାଇ ପାରେ ବୋଲି କହୁଥିବାବେଳେ ଶ୍ରୀ ଆଚାର୍ଯ୍ୟ ୨୦୦୯-୧୦ର ଭିଡ଼ିଓ କହୁଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓରେ ସ୍ପଷ୍ଟ ରହିଛି ଯେ ଶ୍ରୀ ଆଚାର୍ଯ୍ୟ ତାଙ୍କ ପୁଅ ଅଭିଷେକଙ୍କୁ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ଧୁକ ଚାଳନା ଶିଖାଉଥିବାର ଜଣାଯାଉଛି। ଯେଉଁ ସମୟରେ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଅଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ କିଛି ପକ୍ଷୀଙ୍କ ମାଂସ ରନ୍ଧା ଯାଉଥିବାର ଦୃଶ୍ୟ ରହିଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ । ଏହି ପରିପ୍ରେକ୍ଷୀରେ ବିଭାଗ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ସେନେଇ ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ତଦନ୍ତ ନିର୍ଦେଶ ଦିଆଯାଇଛି। ଯଦି ଏଭଳି ଘଟଣା ବାସ୍ତବରେ ଏବଂ ନିକଟରେ ହୋଇଥିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply