ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ଉତ୍ତର କାଶ୍ମୀର ମୁହାଁ

ବାରମୁଲା : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀମାନେ ଏବେ ଉତ୍ତର କାଶ୍ମୀର ମୁହାଁ ହୋଇଥିବା ଜଣାପଡିଛି। କାରଣ ଜାନୁଆରୀରେ ପୁଲିସ ଦ୍ବାରା ଆତଙ୍କବାଦୀ ମୁକ୍ତ କ୍ଷେତ୍ର ଭାବେ ଘୋଷିତ ବାରମୁଲାରେ ବିଗତ କିଛି ମାସ ହେବ ଆତଙ୍କବାଦୀଙ୍କ ଗତିବିଧି ଲକ୍ଷ୍ୟ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ପରଠାରୁ କାଶ୍ମୀରର ବିଭିନ୍ନ ସ୍ଥାନରେ କଡ଼ା କଟକଣା ଲାଗୁ କରାଯାଇଥିଲା। ଦୀର୍ଘ ୨୦ ଦିନ ପରେ ଅଧିକାରୀମାନେ ପ୍ରଥମଥର ଲାଗି ଏଠାରେ ଆତଙ୍କବାଦ ନିରୋଧୀ ଅଭିଯାନ ଚଳାଇଛନ୍ତି। ଉତ୍ତର କାଶ୍ମୀର ଅନ୍ତର୍ଗତ ବାରମୁଲାଠାରେ ପୁଲିସ, ସିଆରପିଏଫ ଏବଂ ସେନାର ଏକ ମିଳିତ ବାହିନୀର ରତି ଅଧିଆ ଅଭିଯାନରେ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ମୃତ ଆତଙ୍କବାଦୀ ମୋମିନ ରସୁଲ ଗୋଜରି(୨୦) ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ସେ ଏକ ମାସ ପୂର୍ବେ କିଛି ଅସ୍ତ୍ରଶସ୍ତ୍ର ଚୋରି କରିନେଇଥିଲା। ତାହାର ଏନକାଉଣ୍ଟର ୧୯୯୭ ପରଠାରୁ ବାରମୁଲା ସହରରେ ପ୍ରଥମ ସଫଳ ଅଭିଯାନ ବୋଲି ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ ୨୦୧୦ ପରଠାରୁ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରରେ ସକ୍ରିୟ ଥିଲେ। ଅଞ୍ଚଳର କେତେକ ଆତଙ୍କବାଦୀ ପାକିସ୍ତାନୀ ଜିହାଦରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୦୦ରୁ ଊର୍ଦ୍ଧ୍ବ ଜଣଙ୍କୁ ବିଗତ ତିନି ବର୍ଷ ମଧ୍ୟରେ ନିପାତ କରାଯାଇଛି। ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀରକୁ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ପରଠାରୁ ଆତଙ୍କବାଦୀମାନେ ଉତ୍ତର କାଶ୍ମୀର ଆଡକୁ ମୁହଁାଇଥିବା ପୁଲିସ ଅଧିକାରୀମାନେ କହିଛନ୍ତି। ଆତଙ୍କବାଦୀ ସେମାନଙ୍କ ଯୋଜନାରେ ପୁନର୍ବାର ପରିବର୍ତ୍ତନ ଆଣିଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବେ ଦଶକରେ ଆତଙ୍କବାଦୀମାନେ ଉତ୍ତର କାଶ୍ମୀରରେ ବେଶୀ ସକ୍ରିୟ ଥିଲେ। ଯେଉଁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆତଙ୍କବାଦ ବିରୋଧୀ ଅଭିଯାନ ସର୍ବାଧିକ ଲାଗି ରହିଥାଏ ସେଠାରେ ଆର୍ଥିକ ଦୂରାବସ୍ଥା ଓ ଅପରାଧ ହାର ବୃଦ୍ଧି ପାଇଥାଏ। ଏଣୁ ସମୟକ୍ରମେ ଦକ୍ଷିଣ କାଶ୍ମୀର ଆଡକୁ ଚାଲିଯାଇଥିଲେ। କେନ୍ଦ୍ର ସରକାରଙ୍କ ବୃହତ ପଦକ୍ଷେପ ପରେ ଘାଟୀରେ ବିଭିନ୍ନ ସ୍ଥାନରେ କଡା କଟକଣା କାରଣରୁ କୌଣସି ଆତଙ୍କବାଦ ନିରୋଧୀ ଅଭିଯାନ କରାଯାଇ ନ ଥିଲା। ଏଣୁ ସମ୍ଭବତଃ ସେନା ପକ୍ଷରୁ ଆତଙ୍କବାଦ ନିରେଧୀ ଅଭିଯାନ ବନ୍ଦ କରିଯାଇଛି ବୋଲି ସାଧାରଣରେ ଆଲୋଚନା ହୋଇଥିଲା। ମାତ୍ର ବାସ୍ତବରେ ସୁରକ୍ଷା ବାହିନୀ ଉପତ୍ୟକାର ଆଇନଶୃଙ୍ଖଳା ରକ୍ଷା ଦିଗରେ ଅଧିକ ଧ୍ୟାନ ଦେଉଥିବାରୁ କୌଣସି ଅଭିଯାନ କରାଯାଇ ନ ଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି। ଆଗାମୀ ଦିନରେ ଜିହାଦୀମାନେ ଅଧିକ ସଂଖ୍ୟାରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ସୁରକ୍ଷା ବାହିନୀ ଆହୁରି ସତର୍କ ହୋଇପଡିଛି।

Comments are closed.