ଭାଙ୍ଗିବ ରଙ୍ଗଶାଳା – ଅନୁମତି ଅନାବଶ୍ୟକ

- ଅନ୍ୟ କୌଣସି ପରିପ୍ରେକ୍ଷୀରେ ବ୍ୟବହାର କରାଯାଇ ପାରିବ ନାହିଁ ରଙ୍ଗଶାଳା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଯାଜପୁର ହରିଦାସପୁର ରଙ୍ଗଶାଳା ଭଙ୍ଗ ପ୍ରସଙ୍ଗକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଏହି ପ୍ରସଙ୍ଗରେ ରାଜସ୍ବ ବିଭାଗ ଜିଲା ପ୍ରଶାସନକୁ ତା’ର କ୍ଷମତା ଓ ଦାୟିତ୍ବ ସମ୍ପର୍କରେ ସୂଚେଇ ଦେଇଛି। ଏହି ବାସଗୃହ ବେଆଇନ ଏବଂ ଏହାକୁ ସାଧାରଣରେ ବ୍ୟବହାର ନେଇ ଜିଲା ପ୍ରଶାସନ ପକ୍ଷରୁ ଆସିଥିବା ଚିଠିକୁ ନେଇ ରାଜସ୍ବ ବିଭାଗ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ (ଓପିଏଲଇ) ଆକ୍ଟ-୨୦୧୭ରେ ଥିବା ନିୟମ କ’ଣ ତାହା ଜିଲାପାଳଙ୍କୁ ଦର୍ଶାଇଛି। ନିୟମ ଅନୁଯାୟୀ ଭୂମିହୀନଙ୍କୁ ବାଦ୍ ଦେଇ ଅନ୍ୟ ସବୁ କ୍ଷେତ୍ରରେ ବେଆଇନ ଘର ଭଙ୍ଗା ଯାଇ ପାରିବ। ଜିଲା ପ୍ରଶାସନ ଏହା ଜାଣି ମଧ୍ୟ କାହିଁକି ପତ୍ର ଲେଖିଛି ସେନେଇ ସରକାରଙ୍କ ପକ୍ଷରୁ ପାଲଟା ପ୍ରଶ୍ନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ରାଜସ୍ବ ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ଅଭୟ କୁମାର ନାୟକ ଯାଜପୁର ଜିଲାପାଳଙ୍କୁ ଏକ ପତ୍ର ଲେଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ଓପିଏଲଇ ନିୟମ ଅନୁଯାୟୀ ଜିଲା ପ୍ରଶାସନ ବେଆଇନ ଘର ଭାଙ୍ଗି ପାରିବ, ଏହାକୁ ଭାଙ୍ଗିବାପାଇଁ ସରକାରଙ୍କ କୌଣସି ସ୍ପଷ୍ଟୀକରଣ ଆବଶ୍ୟକ ନାହିଁ। ଉକ୍ତ ବେଆଇନ ଘରକୁ ଅନ୍ୟ କୌଣସି ପରିପ୍ରେକ୍ଷୀରେ ବ୍ୟବହାର କରାଯାଇ ପାରିବ ନାହିଁ। ଆବଶ୍ୟକସ୍ଥଳରେ ଉକ୍ତ ବେଆଇନ ଗୃହକୁ ଉଚ୍ଛେଦ କରି ନିଲାମ କରାଯାଇ ପାରିବ ଏବଂ ଉକ୍ତ ରାଜସ୍ବକୁ ରାଜକୋଷରେ ପଇଠ କରାଯାଇ ପାରିବ। ଅନ୍ୟପକ୍ଷରେ ବିଧାନସଭାରେ ଉକ୍ତ ବେଆଇନ ଘରେ ଗୋଟିଏ ହତ୍ୟା ହୋଇଛି ବୋଲି ତୁମ୍ଭି ତୋଫାନ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ବାସଗୃହ ଏବେ ଅପରାଧିକ ମାମଲା ତଦନ୍ତ ପରିସରଭୁକ୍ତ ରହିଛି। ଏହି ପରିପ୍ରେକ୍ଷୀରେ ରାଜସ୍ବ ବିଭାଗ କିଭଳି ଉକ୍ତ ବେଆଇନ ଘର ଭଙ୍ଗା ନେଇ ସ୍ପଷ୍ଟ କରିବ ବୋଲି ସେ ଦର୍ଶାଇଛନ୍ତି। ତେବେ ଉକ୍ତ ବେଆଇନ ଘର ସହିତ ଅପରାଧିକ ମାମଲା ଜଡ଼ିତ ଥିବାରୁ କୋର୍ଟ କିମ୍ବା ତଦନ୍ତକାରୀ ସଂସ୍ଥାର ଅନୁମତି ନେଇ ଯାହାକିଛି ପଦକ୍ଷେପ ନିଆଯାଇ ପାରିବ ବୋଲି ସେ ପତ୍ରରେ ସ୍ପଷ୍ଟ କରିଛନ୍ତି।

Comments are closed.