ଉପାସରେ ପଢିଲେ ପିଲା କିନ୍ତୁ ଶିକ୍ଷକଙ୍କ ମୋବାଇଲ ମେସେଜ କହୁଛି ଖାଇଛନ୍ତି ପିଲା

ବିନିକା: ଖାଲିପେଟରେ ପାଠ ପଢିଲେ ଛାତ୍ରଛାତ୍ରୀ କିନ୍ତୁ ଶିକ୍ଷକଙ୍କ ମୋବାଇଲ ମେସେଜ କହୁଛି ଖାଇଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି ବିନିକା ସହରର ୱାର୍ଡ ନମ୍ବର ୯ ପାଲିପଡାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବୁଧବାର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଉଥିବା ମଧ୍ୟାହ୍ନ ଭୋଜନ ରନ୍ଧା ଖାଦ୍ୟ ବନ୍ଦ କରିଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସବୁ ଜାଣି ମଧ୍ୟ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ ନାହାଁନ୍ତି ଫଳରେ ଏହି ସ୍କୁଲର ୨୨ଜଣ ଛାତ୍ରଛାତ୍ରୀ ଆଜି ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ ରନ୍ଧା ଖାଦ୍ୟ ଦିଆଯାଇଛି ବୋଲି ସ୍କୁଲ ପ୍ରଧାନଶିକ୍ଷକ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ଲକ ଶିକ୍ଷାଅଧିକାରୀଙ୍କୁ ମେସେଜ ଦେଇଛନ୍ତି। ରନ୍ଧା ଖାଦ୍ୟ ନଦେଇ ଠିକ୍ଠାକ୍ ଆକାରରେ ଛାତ୍ରଛାତ୍ରୀଙ୍କୁ ରନ୍ଧଣା ଖାଦ୍ୟ ଦିଆଯାଇଛି ବୋଲି ମେସେଜ ଦେବାରୁ ଏ ସମ୍ପର୍କରେ କିଛି ସଚେତନ ନାଗରିକ ଓ ଅଭିଭାବକଙ୍କ ମଧ୍ୟରେ ଘୋର ସନ୍ଦେହ ଜାତ ହୋଇଥିଲା। ଏହି ଘଟଣାଟି ଲୋକଲୋଚନକୁ ଆସିବା ପରେ ସ୍କୁଲ ପରିସରରେ ଦୀର୍ଘ ସମୟ ଧରି ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି ଘଟଣାର ଖବର ପାଇ କିଛି ସମୟ ପରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସ୍କୁଲରେ ପହଞ୍ଚିଥିଲେ। ସେଠାରେ ସ୍କୁଲ ଛାତ୍ରଛାତ୍ରୀ ତାଙ୍କୁ ରନ୍ଧା ଖାଦ୍ୟ ଦେଇନଥିବାରୁ ସିଧାସଳଖ ଅଭିଯୋଗ କରିଥିବାବେଳେ ରାନ୍ଧଣା ଖାଦ୍ୟ ଦିଆଯାଇଛି ବୋଲି ସମ୍ପୃକ୍ତ ବିଭାଗକୁ ପାଲିପଡା ସ୍କୁଲ ପ୍ରଧାନଶିକ୍ଷକ ଜଣାଇଥିବା ସନ୍ଦେହପୂର୍ଣ୍ଣ ମେସେଜକୁ ନେଇ ଖୋଲତାଡ୍ ଆରମ୍ଭ ହୋଇଥିଲା। ଏହାପରେ ଜଣାପଡିଲା ଯେ, ଆଜି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ଚୂଲିଜାଳି ନଥିଲେ ମଧ୍ୟ ସ୍କୁଲ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନେ ଭୋଜନ ଖାଇଛନ୍ତି ବୋଲି ସିଧା ସଳଖ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଏଭଳି ମିଥ୍ୟା ମେସେଜ ଜଣାଇଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ସବୁ ଘଟଣା ଜାଣି ମଧ୍ୟ ଆଜି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ମହାକୁର ଗଣମାଧ୍ୟମ ପ୍ରତିନିଧି ୩ଟା ୧୬ମି.ରେ ସ୍କୁଲକୁ ପହଞ୍ଚିଲା ବେଳେକୁ ସେ ସ୍କୁଲରେ ଅନୁପସ୍ଥିତ ଥିଲେ। ଘଟଣା ସମ୍ପର୍କରେ ସିଆରସିସି ଶିବ ପୂଝାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରଧାନଶିକ୍ଷକ ବୁଧବାର ଅନୁପସ୍ଥିତ ଥିବା ମୋତେ ଆଜି କୌଣସି ଖବର ଦେଇ ନାହିଁ କିମ୍ବା ମଧ୍ୟାହ୍ନ ଭୋଜନ ଦିଆଯାଇଛି କି ନାହିଁ ତାହା ମଧ୍ୟ ଖବର ନାହିଁ। ଏ ସମ୍ପର୍କରେ ବିନିକା ବ୍ଲକ ଶିକ୍ଷା ଅଧିକାରୀ ଶଶିଭୂଷଣ ସେଠୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ, ଆଜି ସ୍କୁଲ ରୋଷେୟାଙ୍କ ପରିବାରର କେହି ଜଣକର ମୃତ୍ୟୁ ଘଟିବାରୁ ରୋଷେୟା ଆସିନଥିଲେ ବୋଲି କହିଥିବା ବେଳେ ଘଟଣା ସମ୍ପର୍କରେ ଅବଗତ ଥିବା ପ୍ରକାଶ କରିଥିଲେ। ସେହିପରି ରନ୍ଧାଖାଦ୍ୟ ନଦେଇ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟକୁ ପ୍ରଧାନଶିକ୍ଷକ ଦେଇଥିବା ଭୁଲ ମେସେଜ (ସନ୍ଦେଶ) କୁ ନେଇ ପଚାରିବାରୁ ସେ ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ। ଆଜି ଦିନକ ପାଇଁ ଖାଦ୍ୟରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ବିଇଓ ଶ୍ରୀ ସେଠୀଙ୍କୁ ପଚାରିବାରୁ ଏ ସମ୍ପର୍କରେ କହିଛନ୍ତି ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କ ଖାଦ୍ୟ ଭରଣା ପାଇଁ ସରକାରୀ ଅନୁମୋଦନ କ୍ରମେ ଆବଶ୍ୟକ ଅର୍ଥ ଜମା କରାଯିବା ସହିତ ଘଟଣାର ତଦନ୍ତ କରି ଯଥାଶିଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

Comments are closed.