‘ଫଣି’ର ୨୩ଦିନ ପରେ ଗାଁରେ ପହଞ୍ଚିନି ବିଜୁଳି; ପୁରୀ ସହରର ୩୫% ଲୋକ ଅନ୍ଧାରରେ

ପୁରୀ: ‘ଫଣି’କୁ ୨୩ଦିନ ପୂରିଲା। ଗ୍ରାମାଞ୍ଚଳରେ ପହଞ୍ଚି ପାରିଲାନି ବିଜୁଳି। ପୁରୀ ପୌରାଞ୍ଚଳର ୩୫% ଅଞ୍ଚଳ ଏବେ ମଧ୍ୟ ଅନ୍ଧାରରେ ରହିଛନ୍ତି। ସବୁ ଅଞ୍ଚଳରେ ବିଜୁଳି ପହଞ୍ଚିବା ପାଇଁ ଆଉ ପ୍ରାୟ ୧୫ଦିନ ଲାଗିବ ବୋଲି କୁହାଯାଉଛି। ଗତ ୩ତାରିଖ ବାତ୍ୟାରେ ସମ୍ପୂର୍ଣ୍ଣ ଛାରଖାର ହୋଇଥିଲା ବିଜୁଳି ଭିତ୍ତିଭୂମି। ପୁରୀ ଓ ନିମାପଡା ବିଦ୍ୟୁତ ଡିଭିଜନର ଶହ ଶହ ଟାୱାର, ଖୁଣ୍ଟ, ଟ୍ରାନ୍ସଫର୍ମର ଭାଙ୍ଗି ପଡିଥିଲା। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ପ୍ରମୁଖ ପର୍ଯ୍ୟଟନ ସହର ପୁରୀ। ସେଠାରେ ଏପର୍ଯ୍ୟନ୍ତ ୩୮,୬୯୪ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇବାରେ ସେସୁ ସକ୍ଷମ ହୋଇଛି। ପୁରୀ ପୌରାଞ୍ଚଳର ୨୪,୩୩୨ ଲୋକଙ୍କ ଘରେ ଏଯାଏ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ। ବିଜୁଳି ଦାବି କରି ପ୍ରତ୍ୟେକ ଦିନ ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାରୋକ କରୁଛନ୍ତି। ସେହିପରି ଚନ୍ଦନପୁର, ସାକ୍ଷିଗୋପାଳ, ବ୍ରହ୍ମଗିରି, ସାତଶଙ୍ଖ, ଡେଲାଙ୍ଗ ଓ କଣାସରେ ବିଜୁଳି ଯୋଗାଣ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ସେସବୁ ଅଞ୍ଚଳରେ ୯୬,୩୧୯ ବିଜୁଳି ଉପଭୋକ୍ତା ରହିଛନ୍ତି। ବାତ୍ୟା ପରଠାରୁ ସେମାନଙ୍କ ପାଖରେ ବିଜୁଳି ଆଲୁଅ ପହଞ୍ଚି ନାହିଁ। ‘ଫଣି’ରେ କ୍ଷତିଗ୍ରସ୍ତ ୨୬୪୭ ଡିଷ୍ଟ୍ରିବୁସନ ଟ୍ରାନ୍ସଫର୍ମର (ଡିଟିଆର) ମଧ୍ୟରୁ ଶନିବାର ସନ୍ଧ୍ୟା ସୁଦ୍ଧା ୭୫ଟି ମରାମତି ହୋଇଛି। ତେଣୁ ବ୍ରହ୍ମଗିରି, ସୁନାମୁହିଁ, ଚନ୍ଦନପୁର, ସାକ୍ଷିଗୋପାଳ, ସାତଶଙ୍ଖ, ଡେଲାଙ୍ଗ ଓ କଣାସ ବଜାରକୁ ବିଜୁଳି ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୋମବାର ସୁଦ୍ଧା ସେଠାରେ ବିଜୁଳି ପହଞ୍ଚିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳରେ ମରାମତି କାର୍ଯ୍ୟ ଶେଷ ହୋଇନଥିବାରୁ ବିଜୁଳି ଯୋଗାଇବା ପାଇଁ ଆଉ କିଛିଦିନ ସମୟ ଲାଗିବ ବୋଲି ସେ କହିଛନ୍ତି। ମରାମତି କାର୍ଯ୍ୟ ଚାଲିଥିବାରୁ କେବଳ ରାତିରେ ଏହିସବୁ ବଜାରକୁ ବିଜୁଳି ଆଲୋକ ଦିଆଯିବ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଜୁଳି ସଂଯୋଗ କଟାଯାଇ ନିକଟସ୍ଥ ଗ୍ରାମାଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ କରାଯିବ। ତେଣୁ ବାତ୍ୟା କ୍ଷତିଗ୍ରସ୍ତ ସବୁ ଅଞ୍ଚଳକୁ କେବେ ବିଜୁଳି ଯୋଗାଯିବ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟ ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମା ପୁରୀରେ ପହଞ୍ଚି ବିଜୁଳି ପୁନରୁଦ୍ଧାର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଓପିଟିସିଏଲର ଚନ୍ଦକା-ନିମାପଡା-ପୁରୀ ୧୩୨ କେଭି ବିଜୁଳି ଯୋଗାଣ ବ୍ୟବସ୍ଥା ସ୍ବାଭାବିକ ହୋଇଛି। ନିମାପଡାର କେତେକ ଅଞ୍ଚଳକୁ ସେଥିରୁ ବିଜୁଳି ଯୋଗାଯାଇଛି। ୩୩ କେଭି ଓ ୧୧ କେଭି ଲାଇନ ମରାମତି ଶେଷ ହୋଇଛି। ଏଲଟି ଲାଇନ ମରାମତି ପାଇଁ ଅଧିକ ସମୟ ଲାଗୁଛି। ପୁରୀ ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ଶ୍ରୀରାମନଗର, ତାଳବଣିଆ, କଚେରି, ବଳିଆପଣ୍ଡା, ଅଠରନଳା ଓ ଚାରିନଳା ଗ୍ରିଡରେ ବିଜୁଳି ପହଞ୍ଚିଛି। ସେଥିରୁ ପୁରୀ ସହରର ବଡ଼ଦାଣ୍ଡ ଓ ଶ୍ରୀଜଗନ୍ନାଥ ମନ୍ଦିର ସମେତ ଦତ୍ତତୋଟା, ଦୋଳମଣ୍ଡପସାହି, ହେରାଗୋହିରୀସାହି, ଲୋକନାଥରୋଡ୍‌ (ଆଂଶିକ), ବାଲିସାହି, ହରଚଣ୍ଡୀସାହି, ମଣିକର୍ଣ୍ଣିକାସାହି, ଗୌଡବାଡସାହି, ମାର୍କଣ୍ଡେଶ୍ବରସାହି (ଆଂଶିକ), ୱାଟରୱାକ୍ସରୋଡ୍‌, ପିକେଆରଆଇଟି କଲୋନୀ, କଚେରି, ଚକ୍ରତୀର୍ଥରୋଡ୍‌, ଭିଆଇପିରୋଡ୍‌, ବଳଗଣ୍ଡି, ନରେନ୍ଦ୍ରକୋଣ ସମେତ ଆଉକିଛି ଅଞ୍ଚଳକୁ ବିଜୁଳି ଯୋଗାଯାଇଛି। ପୁରୀ ସହରର ଆଉ ପ୍ରାୟ ୨୦ଟି ସାହି ଏବେ ମଧ୍ୟ ଅନ୍ଧାରରେ ରହିଛି। ଚଳିତମାସ ଶେଷସୁଦ୍ଧା ପୁରୀ ପୌରାଞ୍ଚଳକୁ ୧୦୦% ବିଜୁଳି ଯୋଗାଯିବା ଟାର୍ଗେଟ ରହିଛି। ପୁନରୁଦ୍ଧାର କାର୍ଯ୍ୟରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗର ପ୍ରାୟ ୪ହଜାର ବିଜୁଳି କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆବଶ୍ୟକ ବିଦ୍ୟୁତ ଉପକରଣ ଅଭାବରୁ ମରାମତି କାର୍ଯ୍ୟ ବିଳମ୍ବ ହେଉଛି। ଏହାଛଡା ଫେଡ୍‌କୋର ୭୩୫ ଏବଂ ସେସୁର ପ୍ରାୟ ୨୫୦ କର୍ମଚାରୀ ମରାମତି କାର୍ଯ୍ୟରେ ଲାଗିଛନ୍ତି।

Comments are closed.