ମୋଦୀ ସରକାରରେ ମହିଳା ସୁରକ୍ଷିତ ନୁହନ୍ତି : ରାହୁଳ

0

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ସରଗରମ ବିତର୍କ ଜାରି ରହିଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖିଥିଲେ।

ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଏନଡିଏ ସରକାର ଅମଳରେ ଦେଶରେ ଦଳିତ, ଆଦିବାସୀ, ମହିଳା, ଯୁବକ ସମସ୍ତେ ଅବହେଳାର ଶିକାର ହୋଇଛନ୍ତି ବୋଲି ରାହୁଳ ଅଭିଯୋଗ କରିଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ବେକାରୀ ସମସ୍ୟା ବୃଦ୍ଧି ନେଇ ସେ ସରକାରଙ୍କ ଉପରେ ବର୍ଷିଛନ୍ତି। ତେବେ ରହୁଳଙ୍କ ବକ୍ତବ୍ୟ ସମୟରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।

ଅନ୍ୟ ପକ୍ଷରେ ଅନାସ୍ଥା ପ୍ରସ୍ତାବର ଆଲୋଚନା ଆଗତ କରିଥିବା ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ସାଂସଦ ଜୟଦେବ ଗଲ୍ଲା କହିଛନ୍ତି କି, ମୋଦୀ ସରକାର, ଆନ୍ଧ୍ର ପ୍ରଦେଶକୁ କ୍ରମାଗତ ଭାବେ ଅବହେଳା କରି ଚାଲିଛନ୍ତି। ମୋଦୀ ସରକାର ନିଜ କାର୍ଯ୍ୟକାଳ ସମୟରେ ଯେତିକି ଅର୍ଥ ଆନ୍ଧ୍ରକୁ ଦେଇଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି । ମୋଦୀ ସରକାର ଆନ୍ଧ୍ରକୁ ସଦାବେଳେ ଅଣଦେଖା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ମୋଦୀ ସରକାର ଆନ୍ଧ୍ରକୁ ଯେତିକି ଅର୍ଥ ଦେଇଛନ୍ତି ତାହା ତେଲୁଗୁ ଚଳଚ୍ଚିତ୍ର ବାହୁବଳୀର କଲେକ୍ସନଠୁ ମଧ୍ୟ କମ୍ ବୋଲି ପରିହାସ ଛଳରେ ଶ୍ରୀ ଗଲ୍ଲା କହିଛନ୍ତି। ମୋଦୀଙ୍କୁ ସମାଲୋଚନା କରି ଟିଡିପି କହିଛି ଯେ, କେନ୍ଦ୍ର ସରକାର ରାଜ୍ୟ ବିଭାଜନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରି ନାହାନ୍ତି । ଫଳରେ ଆନ୍ଧ୍ରକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ମୋଦୀ ୨୦୧୪ରେ କହିଥିଲେ । ଏବେ କିନ୍ତୁ ସେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି ବୋଲି ଟିଡିପି କହିଛି ।

Leave A Reply