ବଦଳିବେନି ପିସିସି ସଭାପତି : କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କଂଗ୍ରେସ ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବେ ନାହିଁ ବୋଲି ଆଜି ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଘୋଷଣା କରିଛନ୍ତି। ପିସିସି ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସ୍ପଷ୍ଟୀକରଣ ପରେ ଅସନ୍ତୁଷ୍ଟଙ୍କ ପିସିସି ନେତୃତ୍ୱ ପରିବର୍ତ୍ତନ ଅଭିଯାନକୁ ଧକ୍କା ଲାଗିଛି। ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ବଦଳ ପାଇଁ ଅସନ୍ତୁଷ୍ଟଙ୍କ ବୈଠକ ବିଷୟରେ ଜାଣିବା ପରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ନିଜ ଆଡୁ ରବିବାର ଦିନ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ପଷ୍ଟୀକରଣ ଦେଇଥିଲେ। ଗଣମାଧ୍ୟମରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ବାରମ୍ବାର ବୟାନବାଜି ପ୍ରସଙ୍ଗରେ କ୍ଷୁବ୍ଧ ଜିତେନ୍ଦ୍ର ସିଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାଇ ଦେଇଥିଲେ। କଂଗ୍ରେସ ଓଡ଼ିଶା ପ୍ରଭାରୀ କହିଥିଲେ ଯେ କଂଗ୍ରେସ ସଂଗଠନର ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରୁଥିବା ଅସନ୍ତୁଷ୍ଟଙ୍କ ଅଭିଯାନ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଖୁବ୍‍ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

କଂଗ୍ରେସକୁ ଏକ ପରିବାର ଭାବେ ବର୍ଣ୍ଣନା କରି କହିଥିଲେ ଯେ ଯଦି କୌଣସି ପ୍ରସଙ୍ଗରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ମତ ପ୍ରାର୍ଥକ୍ୟ ରହିଛି ଅଥବା ଭିନ୍ନ ବିଚାର ରହିଛି; ସେସବୁ ବିଷୟରେ ଖୋଲ ମନରେ ସେ ନିଜେ ଶୁଣିବାକୁ ଇଚ୍ଛୁକ ଅଛନ୍ତି। ଦଳୀୟ ନେତା ଓ କର୍ମୀ ଚାହିଁଲେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ମଧ୍ୟ ଏବିଷୟରେ ଅବଗତ କରାଇ ପାରିବେ। କଂଗ୍ରେସ ଦଳ ଭଳି ଶୃଙ୍ଖଳିତ ଦଳରେ ନିଜ ବିଚାର ରଖିବା ପାଇଁ ଏକ ପ୍ରକ୍ରିୟା ରହିଛି। କିନ୍ତୁ ଗଣମାଧ୍ୟମରେ ବୟାନବାଜି କରି ଦଳୀୟ ଶୃଙ୍ଖଳାକୁ କେତେକ ନେତା ଭଙ୍ଗ କରୁଛନ୍ତି। ଅସନ୍ତୁଷ୍ଟଙ୍କ ଅନୁଶାସନହୀନତା କାର୍ଯ୍ୟ ଯୋଗୁଁ ସର୍ବସାଧାରଣରେ ଦଳ ନିନ୍ଦିତ ହେଉଛି ବୋଲି ଶ୍ରୀ ସିଂ କ୍ଷୋଭର ସହ କହିଥିଲେ।


ରାଜ୍ୟ କଂଗ୍ରେସ ସଂଗଠନକୁ ସଜାଡ଼ିବା ପ୍ରସଙ୍ଗରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଥିଲେ ଯେ କଂଗ୍ରେସର ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଓଡ଼ିଶା କଂଗ୍ରେସ ସଂଗଠନ ଦାୟିତ୍ୱରେଥିବା ଏଆଇସିସି ସଚିବ ମାନେ ସମସ୍ତ ଜିଲା ଗସ୍ତ କରି ଯୁବପୀଢ଼ୀ ଏବଂ ନୂଆ ଲୋକଙ୍କୁ କଂଗ୍ରେସ ଦଳ ସହ ଯୋଡ଼ିବେ। ଏପରିକି ନିଜେ ଓଡ଼ିଶା ଗସ୍ତ କରି କଂଗ୍ରେସ ସଂଗଠନକୁ ସଜାଡ଼ିବେ।
ପିସିସି, ଜିଲା କଂଗ୍ରେସ ଓ ବ୍ଲକ କଂଗ୍ରେସ କମିଟି ସଂଗଠନରେ ସମସ୍ତ ନିଯୁକ୍ତି ଯୋଗ୍ୟତା ଆଧାରରେ କରାଯିବ ବୋଲି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଥିଲେ।

Comments are closed.