ନିର୍ଭୟା ଦୋଷୀଙ୍କୁ ଖୁବ୍‌ଶୀଘ୍ର ଫାଶୀ

ରାଜକ୍ଷମା ଆବେଦନ ଅଗ୍ରାହ୍ୟ ପାଇଁ ରାଷ୍ଟ୍ରପତିଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ, ପୋକ୍ସୋରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ଅଧିକାର ମିଳିବା ଉଚିତ ନୁହେଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ :  ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ଖୁବ୍‌ଶୀଘ୍ର ଫାଶୀ ଦିଆଯିବ। ଏଥିପାଇଁ ଆଇନରେ ଥିବା ସମସ୍ତ ବ୍ୟବସ୍ଥା ଶୀଘ୍ର ସଂପାଦିତ ହେବାକୁ ଯାଉଛି। ଏହି ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ତିନି ଜଣ ଦୋଷୀଙ୍କ ମଧ୍ୟରୁ ରାଜକ୍ଷମା ପାଇଁ ବିନୟ ଶର୍ମାର ଆବେଦନକୁ ଅଗ୍ରାହ୍ୟ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛି। ଦୁଇଦିନ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଦୋଷୀ ବିନୟର ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ ପୂର୍ବକ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ଆବଶ୍ୟକ ତର୍ଜମା କରିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛି। ଏହି ରାଜକ୍ଷମା ଆବେଦନ ଉପରେ
ରାଷ୍ଟ୍ରପତି ଚୂଡାନ୍ତ ନିଷ୍ପତ୍ତି ନେବେ। ତେବେ ଏଥିପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏକ ସଭାରେ ଉଦ୍‌ବୋଧନ ଦେବା ଅବସରରେ ରାଜକ୍ଷମା ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ସେଥିରୁ ନିର୍ଭୟା ଦୋଷୀ ବିନୟ ଶର୍ମାକୁ ରାଜକ୍ଷମାକୁ ନ ମିଳିବା ନେଇ ସ୍ପଷ୍ଟ ବାରିହୋଇପଡ଼ିଛି। ପୋକ୍‌ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡାଦେଶ ପାଇଥିବା ଲୋକକୁ ରାଜକ୍ଷମା ଆବେଦନ କରିବାର ଅଧିକାର ଦିଆଯିବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ସଭାରେ ମତ ରଖିଛନ୍ତି। ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବାର ସମୟ ପାଖେଇ ଆସିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ବିଧି ଅନୁସାରେ ରାଷ୍ଟ୍ରପତିଙ୍କ ଏହି ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ କରିବା ପରେ ଅଦାଲତ ଦୋଷୀଙ୍କ ବିରୋଧରେ ବ୍ଲାକ ୱାରେଣ୍ଟ ଜାରି କରିବେ। ବ୍ଲାକ ୱାରେଣ୍ଟ ଜାରି ପରେ ଦୋଷୀଙ୍କୁ ଯେକୌଣସି ମୁହୂର୍ତ୍ତରେ ଫାଶୀ ଦିଆଯିବ। ୨୦୧୨ ଡିସେମ୍ବର ୧୬ରେ ୨୩ବର୍ଷର ପାରା ମେଡିକାଲ ଛାତ୍ରୀ ନିର୍ଭୟାକୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଦାଲତ ୩ଜଣଙ୍କୁ ଦୋଷୀ ସାବସ୍ତ୍ୟ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ଦୋଷୀମାନେ ହେଲେ ବିନୟ ଶର୍ମା, ମୁକେଶ ଓ ଅକ୍ଷୟ କୁମାର ସିଂହ। ଏକମାତ୍ର ଦୋଷୀ ବିନୟ ରାଜକ୍ଷମା ପାଇଁ ଆବେଦନ କରିଥିବାବେଳେ ମୁକେଶ ରାଜକ୍ଷମା ଆବେଦନ କରିବାକୁ ମନା କରିଛି। ଅକ୍ଷୟ କୁମାର ସିଂହ ରାଜକ୍ଷମା ଆବେଦନ କରି ନାହିଁ। ନିର୍ଭୟା ବଳାତ୍କାର ମାମଲାରେ ଅନ୍ୟ ଦୁଇଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜଣେ ଦୋଷୀ ନାବାଳକ ହୋଇଥିବାରୁ ତାର ବିଚାର କିଶୋର ନ୍ୟାୟିକ ବୋର୍ଡରେ ଦଣ୍ଡିତ ହୋଇସାରିଛି। ଅନ୍ୟତମ ଦୋଷୀ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିଥିଲା।
ରାଜସ୍ଥାନ ଶିରହୋଇର ମହିଳା ସଶକ୍ତୀକରଣ ଓ ସାମାଜିକ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ପୋକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ ବଳାତ୍କାରୀଙ୍କୁ ରାଜକ୍ଷମା ଆବେଦନର ସୁଯୋଗ ମିଳିବା ଉଚିତ ନୁହେଁ। ସଂସଦ ରାଜକ୍ଷମା ଆବେଦନ ଉପରେ ସମୀକ୍ଷା କରିବା ଦରକାର। ସେ କହିଛନ୍ତି ଯେ ମହିଳାଙ୍କ ସଶକ୍ତି ବିନା ସମାଜରେ ସମାନତା ଓ ବିକାଶ ହୋଇପାରିବ ନାହିଁ। ମହିଳା ସଶକ୍ତୀକରଣ ଦିଗରେ ସରକାର ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ଆହୁରି କିଛି ପଦକ୍ଷେପ ନେବାକୁ ବାକି ରହିଛି। ରାଷ୍ଟ୍ରପତି କହିଛନ୍ତି ଯେ ବାଳିକାମାନଙ୍କ ଉପରେ ଯେଉଁ ପାଶବିକ ଅତ୍ୟାଚାର ହେଉଛି ତାକୁ ରୋକିବା ପାଇଁ ପ୍ରତ୍ୟେକ ପିତାମାତା ସେମାନଙ୍କ ବାଳକଙ୍କୁ ମହିଳାଙ୍କ ପ୍ରତି ସମ୍ମାନ ଭାବନା ସୃଷ୍ଟି କରିବା ଦରକାର। ସମ୍ପ୍ରତି ଦେଶରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇ ଚାଲିଥିବାବେଳେ ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

Comments are closed.