ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ତରଫରୁ ବିଶାଳ ରାଲି

ସମ୍ବଲପୁର : ସମ୍ବଲପୁର ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ତରଫରୁ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପାଢ଼ୀ ଙ୍କ ନେତୃତ୍ୱରେ ଏକ ବିଶାଳ ରାଲି, ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଆବେଦନ କରାଯାଇଥିବା ହିତାଧିକାରୀ ଙ୍କୁ ପରିଚୟପତ୍ର ପ୍ରଦାନରେ ଅହେତୁକ ବିଳମ୍ଭ, ଶ୍ରମିକ ୟୁନିୟନ ବିରୋଧି ଆଭିମୁଖ୍ୟ, ଦୀର୍ଘ ବର୍ଷ ଧରି ଯନ୍ତ୍ରପାତି ଓ ସାଇକେଲ ସହାୟତା ନ ଦେବା, ମୃତ୍ୟୁକାଳୀନ ସହାୟତା, ବିବାହ, ଶିକ୍ଷା ଏବଂ ପ୍ରସବକାଳୀନ ସହାୟତାରୁ ହିତାଧିକାରୀ ମାନଙ୍କୁ ବଞ୍ଚିତ ହୋଇ ଆସୁଥିବାର ଅଭିଯୋଗ ହୋଇ ଆସୁଛି। ଏଣୁ ଶୁକ୍ରବାର ଦିନ ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ବିଶାଳ ରାଲି ସ୍ଥାନୀୟ ନାରୀସେବା ସଦନ ଠାରୁ ଆରମ୍ଭ ହୋଇ ଭୂତାପଡା ସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇଥିଲା। ଏହି ରାଲି ଯିବା ରାସ୍ତାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କୁ ନିର୍ମାଣ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତି ଏକ ସ୍ମାରକ ପତ୍ର ପ୍ରଦାନ କରି ବିହିତ ପଦକ୍ଷେପ ନେବା ପାଇଁ ଦାବୀ କରିଥିଲେ।

SBP. Samajalive.in

ଏହା ପରେ ରାଲି ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାଜରାସ୍ତା ଉପରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ଶ୍ରମ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଦିଆଯାଇଥିବା ଦାବୀ ପତ୍ର ଅନୁ୍‍ଯାୟୀ, ସମସ୍ତ ନିର୍ମାଣ ଶ୍ରମିକ ଙ୍କର ପଞ୍ଜିକରଣ, ବକେୟା ଥିବା ସମସ୍ତ ସହାୟତା ଅର୍ଥ ଶିଘ୍ର ପ୍ରଦାନ, ପେନସନ କ୍ଷେତ୍ରରେ ଦଶ ବର୍ଷିଆ ନବୀକରଣ ବ୍ୟବସ୍ଥାର ଉଚ୍ଛେଦ, ଉପଯୁକ୍ତ ସାମାଜିକ ସୁରକ୍ଷା, ମାସିକ ପେନସନ ତିନି ହଜାର ଟଙ୍କା, ନବୀକରଣ ବ୍ୟବସ୍ଥାର ସରଳୀକରଣ, ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର, ଦକ୍ଷ ଜିଲା ଶ୍ରମ ଅଧିକାରୀ ଓ ଡିଭିଜିନାଲ ଶ୍ରମ ଆୟୁକ୍ତ ନିଯୁକ୍ତି, ଦଲାଲରାଜ ଶେଷ ଆଦି ପାଇଁ ଦାବୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମିତିର ସାଧାରଣ ସମ୍ପାଦକ ତ୍ରିନାଥ ରନବିଡା, ଇନ୍ଦ୍ରଜିତ ତାଣ୍ଡି, ଲକ୍ଷ୍ମୀଧର ଖିଲାରୀ, ବସନ୍ତ ସ୍ୱାଇଁ, ଭକ୍ତବନ୍ଧୁ ମାଝୀ, ରାଜା ପାଲ, ଟୁକୁ ମିର୍ଦ୍ଧା, ସଶ୍ମିତା ଦୀପ, ରୋହିତାସ୍ୱ ସାହୁ, ଶଶାଙ୍କ ଶେଖର ପାଲ, ଜ୍ୟୋତିନ୍ଦୁ ସାହୁ, ମମତା ପଣ୍ଡା, ଅର୍ଚ୍ଚନା ସାହାଣୀ, ପିଣ୍ଟୁ ଓରାମ, ଜିତେନ୍ଦ୍ର ବିଶ୍ୱାଳ, ବିଦ୍ୟୁତପ୍ରଭା ଯୋଶୀ, ବିଷ୍ଣୁ ପଣ୍ଡା, ଆଶୁତୋଷ ବିଶି, ଦାମୋଦର ପାଣ୍ଡେ ଙ୍କ ସମେତ ସହସ୍ରାଧିକ ଶ୍ରମିକ ଉପସ୍ଥିତ ଥିଲେ।

 

Comments are closed.