ବିଭ୍ରାନ୍ତ କରୁଛି କଂଗ୍ରେସ : ସୀତାରମଣ

ନୂଆଦିଲ୍ଲୀ : ରାଫେଲ ସମ୍ବନ୍ଧୀୟ ସମୀକ୍ଷା ଆବେଦନର ଶୁଣାଣିବେଳେ ପ୍ରଘଟ ଦସ୍ତାବିଜକୁ ବିଚାରକୁ ନିଆଯିବ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି । ରାଫେଲ କାରବାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାର ଅର୍ଥ ନେଇ ଅନୀଲ ଅମ୍ବାନୀକୁ ଦେଇଥିଲେ ବୋଲି ବିଗତ କିଛି ମାସ ହେବ ସେ ଯେଉଁ ଅଭିଯୋଗ କରୁଥିଲେ ତାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ଓ ତାହାର ତଦନ୍ତ ହେବ ବୋଲି ରାହୁଲ ଆମେଥିଠାରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଫେଲ ମାମଲାରେ ସୁପ୍ରିମକୋର୍ଟ କ୍ଲିନଚିଟ୍‌ ପ୍ରଦାନ କରିଛନ୍ତି ବୋଲି ମୋଦୀ ଏକ ସାକ୍ଷାତକାରରେ କହିଥିଲେ; କିନ୍ତୁ ଏହି କାରବାରରେ କିଛି ଦୁର୍ନୀତି ହୋଇଛି; ଯାହା ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ଚୌକିଦାର ଚୋର ବୋଲି ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟ ନ୍ୟାୟ କରିଛନ୍ତି। ଏବେ ଉତ୍ସବର ସମୟ ଆସିଛି। ଏଣିକି ରାଫେଲ ଦୁର୍ନୀତିର ତଦନ୍ତ ହେବ। ଏହି ରାୟ ପ୍ରକାଶ ପରେ ଦୁର୍ନୀତିଗ୍ରସ୍ତମାନଙ୍କ ହାଡ ଥରିବା ଆରମ୍ଭ ହୋଇଛି ବୋଲି ସେ ଦର୍ଶାଇଛନ୍ତି।
ରାହୁଲଙ୍କ ଏଭଳି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଦଳୀୟ ନେତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ରାହୁଲ ସୁପ୍ରିମକୋର୍ଟଙ୍କ ରାୟରୁ ତ୍ରୁଟିପୂର୍ଣ୍ଣ ଅର୍ଥ ବାହାର କରିଛନ୍ତି। ତାଙ୍କ ଅଭିଯୋଗକୁ କୋର୍ଟ ମାନିନେଇଛନ୍ତି ବୋଲି ରାହୁଲ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ଏଭଳି ମନ୍ତବ୍ୟ ଦେଇ ରାହୁଲ ସମ୍ପୂର୍ଣ୍ଣ ଭାବେ ଅଦାଲତ ଅବମାନନା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସୀତାରମଣ କହିଛନ୍ତି ମୋଦୀଙ୍କୁ ଅନୀଲ ଅମ୍ବାନୀ ଅର୍ଥ ପ୍ରଦାନ କରିଥିବା ରାହୁଲ ଦର୍ଶାଇଛନ୍ତି; ମାତ୍ର ଏହା ସମ୍ପୂର୍ଣ୍ଣ ମିଥ୍ୟା। ରାହୁଲ ଯେଉଁ କଥା କହୁଛନ୍ତି ତାହା କୋର୍ଟ ଆଦୌ କହିନାହାନ୍ତି; ବରଂ ରାଫେଲ ସମ୍ବନ୍ଧୀୟ ସମୀକ୍ଷା ଆବେଦନର ଶୁଣାଣି ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି କରାଯିବ ବୋଲି ରାୟର ୧୨ ନମ୍ବର ପାରାରେ ଉଲ୍ଲେଖ କରାଯାଇଛି। ‘ଦି ହିନ୍ଦୁ’ର ରିପୋର୍ଟ ଉପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସରକାର ସିଏଜି ଓ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ନ ଥିଲେ; ମାତ୍ର ମାମଲା ଉପରେ ଶୁଣାଣିବେଳେ ସିଏଜି ରିପୋର୍ଟ ପ୍ରସ୍ତୁତି ଚାଲିଥିଲା। ବାସ୍ତବରେ କେନ୍ଦ୍ର ସରକାର ନିଜଆଡୁ ଦୁର୍ନୀତି ଆଶଙ୍କା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିବାର ସେ ଦର୍ଶାଇଛନ୍ତି। ବିଜେପି ଦେଶବାସୀଙ୍କୁ ଦିଗହରା କରୁଛି ବୋଲି କଂଗ୍ରେସ ଅଭିଯୋଗ ଉଠାଇଛି; କିନ୍ତୁ ବାସ୍ତବରେ କଂଗ୍ରେସ ହିଁ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛି ବୋଲି ସୀତାରମଣ କହିଛନ୍ତି। ସେ ଆହୁରି କହିଛନ୍ତି, ରାଫେଲ କାରବାର ସମ୍ବନ୍ଧୀୟ ଦସ୍ତାବିଜ ଚୋରି ହୋଇ ନାହିଁ। ସୁପ୍ରିମକୋର୍ଟ ଏହା ଉପରେ ରାୟ ଦେଇନାହାନ୍ତି; ବରଂ ତାହା ଆଧାରରେ ଶୁଣାଣି ଆରମ୍ଭ କରିବା ଲାଗି କେନ୍ଦ୍ରର ଆପତ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଫେଲ ଦେଶରେ ପହଞ୍ଚିବ ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ତାଙ୍କ ମନ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି ବୋଲି ରାହୁଲ ଦର୍ଶାଇଛନ୍ତି।

Comments are closed.