ମୋଦି ଓଡ଼ିଶାବାସୀଙ୍କୁ ନିରାଶ କରିଛନ୍ତି:ନିରଞ୍ଜନ

0

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ରାଜ୍ୟବାସୀ ଅନେକ କିଛିି ଆଶା କରିଥିଲେ। ସେ ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ରାଜ୍ୟ ପ୍ରତି ତାଙ୍କର ଥିବା କର୍ତ୍ତବ୍ୟକୁ ମଧ୍ୟ ସେ ଭୁଲି ଯାଇଛନ୍ତି। ମହାନଦୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଆଶ୍ୱାସନା କି ସାନ୍ତ୍ୱନା ଦେଇନାହାନ୍ତି। ମହାନଦୀକୁ ନେଇ ସୃଷ୍ଟି ହୋଇଥିବା ବାସ୍ତବ ସମସ୍ୟାକୁ ସେ ଏଡ଼ାଇ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ମହାନଦୀର ପାଣି ରୋକିଥିବା ଛତିଶଗଡକୁ ମୋଦି ଏକତରଫା ସହଯୋଗ କରୁଥିବା ତାଙ୍କ ଚିନ୍ତାଧାରାରୁ ସ୍ପଷ୍ଟ ହୋଇଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯିବା ଘଟଣାରେ ରାଜ୍ୟ ସରକାର ଗୁରୁତର ଭାବେ ଚିନ୍ତା କରୁନଥିବା ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ହୀରାକୁଦ ତଳମୁଣ୍ଡର ସମସ୍ୟା ସମ୍ପର୍କରେ କହିଛନ୍ତି କିନ୍ତୁ ଏବେକାର ସମସ୍ୟାକୁ ଏଡ଼ାଇ ଯାଇଛନ୍ତି। ରାଜ୍ୟବାସୀ ଛତିଶଗଡ଼ ପାଇଁ ମହାନଦୀରେ ସୃଷ୍ଟି ହୋଇଥିବା ପରିସ୍ଥିତର ସମାଧାନ ଚାହାନ୍ତି। ସେ କଥାକୁ ମୋଦି ଗୁରୁତ୍ୱ ଦେଇନାହାନ୍ତି।
ଏହାବ୍ୟତୀତ ସେ ପୂର୍ବରୁ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି। କିଛି ଭୁଲ ତଥ୍ୟ ରଖିଛନ୍ତି। ଆଇଓସିଏଲକୁ ସେ ଉଦଘାଟନ କରିଥିଲେ। କିନ୍ତୁ କଂଗ୍ରେସ ସମୟରେ ଏହା ଆରମ୍ଭ କରାଯାଇଥିଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବା ନେଇ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ। ତାହା ହେଲା ନାହିଁ। ଏବେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ସମ୍ପର୍କରେ ତାଙ୍କ ଆକଳନକୁ ମଧ୍ୟ ଜନସାଧାରଣ ବିଶ୍ୱାସକୁ ନେଉନଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ରବି ପ୍ରିୟ ଦାଶ

Leave A Reply