ପରସ୍ପରକୁ ଆକ୍ଷେପ ଲୋକଦେଖାଣିଆ: ନିରଞ୍ଜନ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଜନବାହାଲ ସମାବେଶରେ ନବୀନଙ୍କ ପ୍ରତି କରିଥିବା ଆକ୍ଷେପ କେବଳଲୋକଦେଖାଣିଆ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଟଙ୍କିକିଆ ଚାଉଳ, ଆୟୁଷ୍ମାନ ଯୋଜନା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦୁର୍ନୀତି, ପିସି କାରବାର ଆଦିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଅବସରରେ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଜାରି ରଖିଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ। ଏଥିରୁ ଦୁହିଁଙ୍କ ମଧ୍ୟରେ ବାହାରକୁ ଏହା ଆକ୍ଷେପ ପ୍ରତିଆକ୍ଷେପ ଲାଗୁଥିଲେ ମଧ୍ୟ ସେମାନେ ଚତୁରେ ଚତୁରେ କୋଳାକୋଳି ହେଉଛନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଦେଇ ଚାଲିଥିବାବେଳେ ରାଜ୍ୟର ନବୀନ ସରକାର ମଧ୍ୟ ମୋଦୀଙ୍କୁ ବିମୁଦ୍ରାୟନଠାରୁ ଆରମ୍ଭ କରି ଜିଏସ୍‍ଟି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ସମସ୍ତ କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ତୈଳଦର ବୃଦ୍ଧିରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଥିବାବେଳେ ବିଜେଡି କେବଳ ଲୋକଦେଖାଣିଆ ଭାବେ ପେଟ୍ରୋଲ ପମ୍ପ ସମ୍ମୁଖରେ ହାଲ୍‍କା ପ୍ରତିବାଦ ଜଣାଇ ନିରବ ରହିଲା। ଏହା ରାଜ୍ୟରେ ଭାଟ୍‍ ହ୍ରାସ ଦିଗରେ କୌଣସି ପଦକ୍ଷେପ ନେଉନାହିଁ କିମ୍ବା ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ଉପରେ ଚାପ ପକାଉ ନାହିଁ। ଏପରି କଲେ ସିବିଆଇ ଚଢଉର ଭୟ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଗୋଟିଏ ହେଲେ ନ୍ୟାଯ୍ୟ ଦାବି ଠିକ୍‌ ଭାବେ ଉପସ୍ଥାପନ କରୁନାହାନ୍ତି। ବିଭିନ୍ନ ଦୁର୍ନୀତିରେ ବୁଡିରହିଥିବା ରାଜ୍ୟ ସରକାର ଗାଦି ସମ୍ଭାଳିବା ପାଇଁ କେନ୍ଦ୍ରର ବିଜେପି ସରକାରକୁ ଆଖିବୁଜି ସମର୍ଥନ କରୁଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ନିମନ୍ତେ କର୍ମନିଯୁକ୍ତି ଯୋଗାଇବାରେ ବିଫଳ ହୋଇଥିବା ନବୀନ ସରକାର ବିଜୁ ଯୁବବାହିନୀ ନାମରେ ସଂଗଠନ ଗଢି ସେଥିରେ ଯୁବକମାନଙ୍କୁ ସାମିଲ କରିବାରେ ଲାଗିଛନ୍ତି। ଏହାଦ୍ୱାରା ସେମାନଙ୍କର ଭବିଷ୍ୟତ କ’ଣ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବାକୁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ। ତାହା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ନାନା ଆକର୍ଷଣୀୟ ଯୋଜନା ଘୋଷଣାକରି ଏବଂ ପରସ୍ପରକୁ ଆକ୍ଷେପ କରି ସାଧାରଣ ଲୋକଙ୍କୁ ଯେଉଁଭଳି ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି, ତାହା ଆଉ ଲୁଚି ରହି ନାହିଁ। ରାଜ୍ୟବାସୀ ତାହାର ଠିକଣା ସମୟରେ ଜବାବ ଦେବେ ବୋଲି ନିରଞ୍ଜନ କହିଛନ୍ତି।

Leave A Reply