ଶ୍ରୀଜଗନ୍ନାଥ ଓ କୋହିନୂର ହୀରା ସମ୍ପର୍କିତ ପ୍ରମାଣ ଏନ୍‍ଏଆଇରେ ରହିଛି

0

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ମହାରାଜା ରଣଜିତ୍‍ ସିଂହ କୋହିନୂର ହୀରା ଦେଇଥିବା ସମ୍ପର୍କିତ ପ୍ରମାଣ ନ୍ୟାଶ୍‍ନାଲ୍‍ ଆର୍କାଇଭ୍‍ସ୍‍ ଅଫ୍‍ ଇଣ୍ଡିଆ(ଏନ୍‍ଏଆଇ)ରେ ରହିଛି। ଏହାଛଡ଼ା ଓଡ଼ିଶାର ଐତିହ୍ୟ, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରମାଣ ବହନ କରୁଥିବା ଅନେକ ନଥିପତ୍ର ସେଠାରେ ରହିଛି। ସେହିସବୁ ନଥିପତ୍ର ଓଡ଼ିଶାକୁ ହସ୍ତାନ୍ତର କରିବା ପାଇଁ ଇନ୍‍ଟାକ୍‍(ଇଣ୍ଡିଆନ୍‍ ନ୍ୟାଶ୍‍ନାଲ୍‍ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍‍ଚରାଲ୍‍ ହେରିଟେଜ୍‍) ଦାବି କରିଛି। ଏହି ମର୍ମରେ ନ୍ୟାଶ୍‍ନାଲ୍‍ ଆର୍କାଇଭ୍‍ସ୍‍ ଅଫ୍‍ ଇଣ୍ଡିଆ(ଏନ୍‍ଏଆଇ) କର୍ତ୍ତୃପକ୍ଷଙ୍କୁ ଇନ୍‍ଟାକ୍‍ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଛି।
ଏନ୍‍ଏଆଇର ମହାନିର୍ଦେଶକ ପ୍ରିତମ୍‍ ସିଂହଙ୍କୁ ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଇନ୍‍ଟାକ୍‍ର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ, ଭୁବନେଶ୍ୱର ଚାପ୍ଟର ଆବାହକ ବୈକୁଣ୍ଠନାଥ ପାଣିଗ୍ରାହୀ, ପ୍ରକଳ୍ପ ସଂଯୋଜକ ଅନିଲ୍‍ ଧୀର ପ୍ରମୁଖ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖିତ ତଥ୍ୟାନୁଯାୟୀ, ଓଡ଼ିଶା ଷ୍ଟେଟ୍‍ ଏଜେନ୍ସିର ୧୯୧୭ରୁ ୧୯୪୭ ମଧ୍ୟରେ ଥିବା ସମସ୍ତ ରେକର୍ଡ ସମ୍ବଳିତ ୧୮ଟି ଖଣ୍ଡ, ବାଲେଶ୍ୱର ଫ୍ୟାକ୍ଟ୍ରି ରେକର୍ଡ, ଦ ବେଙ୍ଗଲ୍‍ ପବ୍ଲିକ୍‍ କନ୍‍ସଲଟେସନ୍‍ର ୨୨ଟି ଖଣ୍ଡ ଏନ୍‍ଏଆଇରେ ରହିଛି। ସେହିସବୁ ନଥିପତ୍ର ଓଡ଼ିଶାକୁ ଆସିଲେ ଗବେଷକ ଓ ଶିକ୍ଷାନବୀସମାନେ ଉପକୃତ ହୋଇପାରିବେ ବୋଲି ଇନ୍‍ଟାକ୍‍ର ପ୍ରତିନିଧି ଦଳ କହିଛନ୍ତି। ଯଦି ପ୍ରକୃତ ନଥିପତ୍ର ଯୋଗାଇବାରେ ଅସୁବିଧା ହୁଏ ତେବେ ତାହାର ଫଟୋ କପି କିମ୍ବା ମାଇକ୍ରୋଫିଲ୍ମ କ୍ଲିପ୍‍ ଯୋଗାଇଦେବାକୁ ସେମାନେ ଅନୁରୋଧ କରିଛନ୍ତି।
କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ପରିଚାଳିତ ଏନ୍‍ଏଆଇର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଥିବା ବେଳେ ଭୁବନେଶ୍ୱର, ଭୋପାଳ, ପୁଡୁଚେରୀ, ଜୟପୁରରେ ଆଞ୍ଚଳିକ କାର୍ଯ୍ୟାଳୟ ରହିଛି।

Leave A Reply