ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟାଙ୍କ ଘର ବାଜ୍ୟାପ୍ତ

ଜାମ୍ମୁ : ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବିଙ୍କ ଘରକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବୁଧବାର ବାଜ୍ୟାପ୍ତ କରିଛି। ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗକୁ ନେଇ ଏନଆଇଏ ଆସିୟାଙ୍କ ବିରୋଧରେ ରୁଜୁ କରିଥିବା ମାମଲା ଆଧାରରେ ତାଙ୍କ ଘରକୁ ବାଜ୍ୟାପ୍ତ କରାଯାଇଛି।

ଗୁଇନ୍ଦା ସୂଚନା ଅନୁଯାୟୀ ଆସିୟାଙ୍କ ଘରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଆସୁଥିଲା। ତେଣୁ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁଯାୟୀ ଘରକୁ ବାଜ୍ୟାପ୍ତ କରାଯାଇଛି। ଏନଆଇଏର ତଦନ୍ତ ନ ହେବା ପର୍ଯ୍ୟନ୍ତ ଆସିୟା ତାଙ୍କ ଘରକୁ ବିକ୍ରି କରିପାରିବେ ନାହିଁ। ତେବେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଏଠାରେ ରହିବାକୁ ଅନୁମତି ମିଳିବ। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ସମ୍ପର୍କରେ ତଦନ୍ତ କରୁଥିବା ଏନଆଇଏ ରବିବାର କହିଛି ଯେ ଦୁଃଖତାରଣ-ଇ-ମିଲାତ ମୁଖ୍ୟ ଆସିୟା ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିଲେ। ସଂଗୃହୀତ ପାଣ୍ଠିକୁ ସେ କାଶ୍ମୀରରେ ମହିଳାଙ୍କୁ ଧରି ବିଭିନ୍ନ ବିକ୍ଷୋଭର ଆୟୋଜନରେ ବିନିଯୋଗ କରୁଥିଲେ। ଏନଆଇଏର ଜେରା ସମୟରେ ଆସିୟା ସ୍ବୀକାର କରିଛନ୍ତି ଯେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ ସଇଦ ସହିତ ତାଙ୍କର ଘନିଷ୍ଠତା ରହିଛି। ଆସିୟାଙ୍କ ପୁଅ ୨୦୧୧ରୁ ମାଲେସିଆରେ ରହି ପାଠ ପଢୁଥିବାବେଳେ କାଶ୍ମୀର ବ୍ୟବସାୟୀ ଜହୁର ୱାତାଲି ଏଥିପାଇଁ ଅର୍ଥ ଯୋଗାଉଥିଲେ।

Comments are closed.