ସବୁ ରାଜ୍ୟକୁ ଏନ୍‍ଏଚ୍‍ଆରସିଙ୍କ କୈଫିୟତ ତଲବ

0

ନୂଆଦିଲ୍ଲୀ/ଭୁବନେଶ୍ୱର :  ଅଭିଯୁକ୍ତ ମା’ମାନଙ୍କ ସହ ଶିଶୁ ଜେଲରେ ଦିନ କାଟୁଥିବା ସମ୍ପର୍କିତ ପ୍ରକାଶିତ ଏକ ଗୁରୁତ୍ୱପୂର୍ଣ୍ଣ ଖବରକୁ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରି ଜାତୀୟ ମାନାବାଧିକାର ଆୟୋଗ(ଏନଏଚଆରସି) ସମସ୍ତ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ମଧ୍ୟ କୈଫିୟତ ତଲବ କରିଛନ୍ତି। ୬ସପ୍ତାହ ମଧ୍ୟରେ ରାଜ୍ୟଗୁଡିକ ସେମାନଙ୍କ ଜବାବ ଦାଖଲ କରିବାକୁ ଆୟୋଗ ନିର୍ଦେଶନାମାରେ ଉଲ୍ଲେଖ କରିଛନ୍ତି।
ବିଶେଷକରି ଓଡ଼ିଶାରେ ୪୬ଜଣ ନିଷ୍ପାପ ଶୁଶୁ ବିଭିିନ୍ନ ଜେଲରେ ମା’ମାନଙ୍କ ସହ ଦିନ କାଟୁଥିବା ସଂକ୍ରାନ୍ତରେ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାକୁ ବିଚାରପାଇଁ ଗ୍ରହଣ କରିବାପରେ ଆୟୋଗ ଏ ସଂକ୍ରାନ୍ତରେ ଜବାବ ଦାଖଲ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଜେଲ ବିଭାଗ ନିର୍ଦେଶକଙ୍କୁ ନୋଟିସ ଦେଇଛନ୍ତି।
ପ୍ରକାଶ ଯେ ରାଜ୍ୟରେ ୪୬ଜଣ ଶିଶୁ ମା’ମାନଙ୍କ ସହ ଜେଲରେ ଦିନ କାଟିବା ଆଇନସମ୍ମତ ନୁହେଁ ବୋଲି ବିଭିନ୍ନ ସମୟରେ ଉଚ୍ଚତମ ଅଦାଲତ ରାଜ୍ୟଗୁଡ଼ିକୁ ଚେତାଇ ଦେଇଥିଲେ ସୁଦ୍ଧା ଓଡ଼ିଶାରେ ଏହି ଅବ୍ୟବସ୍ଥାରେ କୌଣସି ସୁଧାର ଆସିପାରିନାହିଁ ବୋଲି ପ୍ରକାଶିତ ଖବରକାଗଜରେ ଦର୍ଶାଯାଇଥିଲା। ମହିଳା କଏଦୀ କିମ୍ବା ବିଚାରାଧୀନ ବନ୍ଦୀଙ୍କ ସହ ରହୁଥିବା ପିଲାଙ୍କୁ ୫ବର୍ଷରୁ ଅଧିକ ହୋଇଥିଲେ ସେମାନେ ଆଇନ ମୁତାବକ ଅଲଗା ରହିବା କଥା ;କିନ୍ତୁ ସରକାର ଏହା ପାଳନ କରିବାରେ ସମର୍ଥ ହୋଇନାହାନ୍ତି ବୋଲି ଖବରରେ ଉଲ୍ଲେଖ କରାଯାଇଥିଲା। ନିୟମ ମୁତାବକ ୧ବର୍ଷରୁ ୫ବର୍ଷ ପର୍ଯ୍ୟନ୍ତ ପିଲା ମା’ମାନଙ୍କ ସହ ନାରୀବନ୍ଦି ନିକେତନରେ ରହି ପାରିବେ। ତେବେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୫ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲା ରାଜ୍ୟର ବଭିିନ୍ନ ଜେଲରେ ମା’ମାନଙ୍କ ସହ ରହୁଛନ୍ତି। ଫଳରେ ସୁପ୍ରିମକୋର୍ଟ ନିର୍ଦେଶ ମୁତାବକ ସେମାନଙ୍କ ଖାଦ୍ୟ ପୋଷାକ, ,ଶିକ୍ଷା,ଆମୋଦ ପ୍ରମୋଦ ଓ ସ୍ୱାସ୍ଥ୍ୟ ବିକାଶର କ୍ଷେତ୍ରକୁ ମଜଭୁତ କରାଯାଇ ପାରୁନାହିଁ।
ବର୍ତ୍ତମାନ ବିଭିନ୍ନ ଜେଲରେ ମୋଟରେ ୪୬ ପିଲା ସେମାନଙ୍କ ମା’ଙ୍କ ସହ ରହୁଥିବା ଏକ ହିସାବରୁ ଜଣାପଡିଛି। ସେମାନଙ୍କ ମଧ୍ୟରେ ୨୫ କନ୍ୟା ହୋଇଥିବା ବେଳେ ୨୧ଶିଶୁପୁତ୍ର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ୨୦ ଦିନର ଶିଶୁଠାରୁ ଆରମ୍ଭ କରି ୬ବର୍ଷର ପିଲା ରହିଛନ୍ତି। ବିଭିନ୍ନ ଜେଲରେ ଥିବା ୪୬ ମହିଳା ବନ୍ଦୀଙ୍କ ମଧ୍ୟରୁ ୩୬ ବିଚାରାଧୀନ ମହିଳାବନ୍ଦୀ ହୋଇଥିବା ବେଳେ ବାକି ୧୦ଜଣ ସଜା ଭୋଗ କରୁଛନ୍ତି। ୩୬ ଜଣଙ୍କ ମଧ୍ୟରୁ ୩୦ ମହିଳା ବିଚାରାଧୀନ ବନ୍ଦୀ ଅନୁସୂଚିତ ଜନଜାତିର ବୋଲି ଜଣାପଡିଛି। ବିଭିନ୍ନ ଅପରାଧରେ ସମ୍ପୃକ୍ତ ରହି ଏହି ବନ୍ଦୀମାନେ ଜେଲରେ ରହିଥିବା ବେଳେ ସେମାନେ ଜନ୍ମ ଦେଇଥିବା ପିଲା ମଧ୍ୟ ମା’ମାନଙ୍କ ସହ ଦଣ୍ଡ ଭୋଗୁଛନ୍ତି। ବିଶେଷକରି ଜେଲରେ ରହିଥିବା ଏହି ମହିଳା ବନ୍ଦୀଙ୍କ ସାମାଜିକ ଓ ଆର୍ôଥକ ଅବସ୍ଥା ରୁଗ୍‍ଣ ହୋଇଥିବାରୁ ଜେଲରୁ ମୁକୁଳିବା ସହଜ ହୋଇପାରୁନାହିଁ। ନିକଟରେ ଜଣେ ଅନୁସୂଚିତ ଜନଜାତିର ମହିଳାଙ୍କ ଜାମିନ ମଞ୍ଜୁର ହୋଇଥିବା ବେଳେ ତାଙ୍କର ଜାମିନଦାର ନଥିବାରୁ ସେ ଜେଲରୁ ମୁକୁଳି ପାରିନାହାନ୍ତି। ଅପରପକ୍ଷରେ ତାଙ୍କ କୋଳରେ ଏକ ଦେଢ ବର୍ଷର ଶିଶୁ ରହିଛି ବୋଲି ପ୍ରକାଶିତ ଖବରରେ ଉଲ୍ଲେଖ କରାଯାଇଥିଲା।

Leave A Reply