ଏନଜିଟି ଛାଟ: ଗଙ୍ଗାକୁ ବିଷାକ୍ତ କରୁଥିବା ଚମଡ଼ା କାରଖାନାକୁ ୨୮୦ କୋଟି ଜରିମାନା, ଉତ୍ତର ପ୍ରଦେଶ ସରକାରଙ୍କୁ ୧୦ କୋଟି

ନୂଆଦିଲ୍ଲୀ: ପବିତ୍ର ଗଙ୍ଗା ନଦୀକୁ ବିଷାକ୍ତ କରୁଥିବା ଚମଡ଼ା କାରଖାନାଗୁଡ଼ିକ ଉପରେ ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗଙ୍ଗା ନଦୀକୁ ପ୍ରଦୂଷିତ କରୁଥିବା ମୋଟ ୧୨୨ ଚମଡ଼ା କାରଖାନା ଉପରେ ୨୮୦ କୋଟି ଟଙ୍କା ଜରିମାନା କରିଛନ୍ତି। ଏହା ସହିତ ଉତ୍ତର ପ୍ରଦେଶର କାନପୁର ଅନ୍ତର୍ଗତ ରନିୟା ଏବଂ ରାଖି ମଣ୍ଡି ଅଞ୍ଚଳରେ ଗଙ୍ଗାକୁ କ୍ରୋମିୟମ ମିଶ୍ରିତ ଦୂଷିତ ଜଳ ପ୍ରବେଶ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଏନଜିଟି କଡ଼ା ସମାଲୋଚନା କରିଛନ୍ତି। ଏନଜିଟି ରାଜ୍ୟ ସରକାରଙ୍କୁ ଦୋଷୀ ଦର୍ଶାଇବା ସହିତ ୧୦ କୋଟି ଟଙ୍କା ଜରିମାନା ଲାଗୁ କରିଛନ୍ତି।

ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗଙ୍ଗାରେ ବିଷାକ୍ତ ପଦାର୍ଥ ପଡୁଥିବାବେଳେ ରାଜ୍ୟ ସରକାର ତାହାକୁ ରୋକିବାରେ ଅସଫଳ ରହିଛନ୍ତି। ୧୯୭୬ ମସିହାରୁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ। ଫଳରେ ଏଠାକାର ଭୂତଳ ଜଳ ଦୂଷିତ ହୋଇଛି ଏବଂ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ଓ ପରିବେଶର କ୍ଷତି ହୋଇଛି। ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୋଷୀ ଚମଡ଼ା କାରଖାନାଗୁଡ଼ିକଠାରୁ ଜରିମାନା ଅର୍ଥ ଆଦାୟ କରିବା ଦରକାର। ଯେପର୍ଯ୍ୟନ୍ତ ଏହି ଜରିମାନା ଆଦାୟ ନ ହୋଇଛି, ସେପର୍ଯ୍ୟନ୍ତ ସରକାର ନିଜେ ଏହି ଅର୍ଥ ଇଏସସିଆରଓଡବ୍ଲୁ ଖାତାରେ ଜମା କରିବେ।

ଏନଜିଟି ଆହୁରି କହିଛନ୍ତି, ଗତ ଅଗଷ୍ଟ ୮ରେ ଟ୍ରିବ୍ୟୁନାଲଙ୍କ ଆଦେଶ ସତ୍ବେ ସରକାର ଗଙ୍ଗାରେ ସିଧାସଳଖ କ୍ରୋମିୟମ ମିଶ୍ରିତ ଅଶୋଧିକ ବିଷାକ୍ତ ପଦାର୍ଥ ପକାଯିବାକୁ ଅନୁମତି ଦେଇଥିବାରୁ ପରିବେଶର ଯେଉଁ କ୍ଷତି ହୋଇଛି, ସେଥିପାଇଁ ରାଜ୍ୟ ସରକାରଙ୍କୁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ହେବ। ସରକାର ଏହି ଅର୍ଥ ଦୋଷୀ ଅଧିକାରୀମାନଙ୍କଠାରୁ ଆଦାୟ କରନ୍ତୁ ଏବଂ ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

Comments are closed.