ନିଏମାର ନାଟକବାଜି କରିବା ଅନୁଚିତ୍‍: ମ୍ୟାଥିଆସ୍‍

0

ମସ୍କୋ : ଫିଫା ବିଶ୍ୱକପ୍‍ରେ ଖେଳୁଥିବା ବ୍ରାଜିଲ୍‍ ଦଳର ତାରକା ଷ୍ଟ୍ରାଇକର ନିଏମାର ମ୍ୟାଚ୍‍ ସମୟରେ ପ୍ରତିପକ୍ଷ ଖେଳାଳିଙ୍କ ଦ୍ୱାରା ଫାଉଲ୍‍ ମରାଯିବାକୁ ନେଇ ଯେଉଁ ନାଟକବାଜି କରୁଛନ୍ତି ତାହାକୁ ନାପସନ୍ଦ କରିଛନ୍ତି ଜର୍ମାନୀର ପୂର୍ବତନ ଅଧିନାୟକ ଲୋଥର୍‍ ମ୍ୟାଥିଆସ୍‍।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମ୍ୟାଥିଆସ୍‍ କହିଛନ୍ତି ନିଏମାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ପଡ଼ିଆ ମଧ୍ୟରେ ସେ ନାଟକବାଜି କରିବା ଅନୁଚିତ୍‍। ଏପରି କରିବା ଦ୍ୱାରା ସେ ପ୍ରଶଂସକଙ୍କ ସହାନୁଭୂତି ଲାଭ କରିପାରିବେ ନାହିଁ। ସୂଚନାଥାଉକି ନିଏମାର ବିଶ୍ୱକପ୍‍ରେ ଏପର୍ଯ୍ୟନ୍ତ ଦୁଇଟି ଗୋଲ୍‍ ସ୍କୋର କରିଛନ୍ତି। ଆସନ୍ତା ଶୁକ୍ରବାର ବ୍ରାଜିଲ୍‍ କ୍ୱାର୍ଟର ଫାଇନାଲରେ ବେଲ୍‍ଜିୟମକୁ ଭେଟିବ। ନିଏମାର ପଡ଼ିଆରେ ପ୍ରତିପକ୍ଷ ଖେଳାଳିଙ୍କ ଦ୍ୱାରା ଆଘାତପ୍ରାପ୍ତ ହେଉଥିବାକୁ ନେଇ ଅଭିନୟ କରୁଥିବା ଯୋଗୁଁ ତୀବ୍ର ସମାଲୋଚନାର ଶରବ୍ୟ ହେଉଛନ୍ତି। ମ୍ୟାଥିଆସ୍‍ ଆହୁରି କହିଥିଲେ ନିଏମାର ଏପରି ନାଟକବାଜି କରିବାର ଆବଶ୍ୟକତା ନାହିଁ। ସେ ବର୍ତ୍ତମାନର ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ଏପରି କାହିଁକି ଅଭିନୟ କରୁଛନ୍ତି ତାହା ବୁଝାପଡ଼ୁନାହିଁ। ଇଂଲଣ୍ଡ ଓ କଲମ୍ବିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‍ ସଂପର୍କରେ ମତ ଦେଇ ମ୍ୟାଥିଆସ୍‍ କହିଥିଲେ ଏହି ମ୍ୟାଚ୍‍ରେ ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ବହୁତ ଫାଉଲ ମାରିଥିଲେ। ରେଫରି କଲମ୍ବିଆର ୬ ଓ ଇଂଲଣ୍ଡର ୨ ଖେଳାଳିଙ୍କୁ କାର୍ଡ ପ୍ରଦର୍ଶନ କରିଥିଲେ। ବିଶ୍ୱକପ୍‍ରେ କୌଣସି ଦଳର ଖେଳାଳିମାନେ ଏପରି କରିବା ଅନୁଚିତ୍‍। ଫିଫା ବିଶ୍ୱକପ୍‍ରେ ଭିଡିଓ ଆସିଷ୍ଟାଣ୍ଟ ରେଫରି (ଭାର୍‍) ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଖେଳାଳିମାନେ ପଡ଼ିଆରେ ଫାଉଲ ମରାଯିବାକୁ ନେଇ ନାଟକବାଜି କଲେ କୌଣସି ଫଳ ମିଳିବ ନାହିଁ ସେ କହିଛନ୍ତି।

Leave A Reply