ମହାମାରୀ ରୋକିବାକୁ ଲାଇଫଲାଇନର ପ୍ରଚେଷ୍ଟା

ବରପାଲି: ବର୍ତ୍ତମାନ ସ୍ଥିତିରେ ବରପାଲି ସହ ଗ୍ରାମାଞ୍ଚଳରେ କୋଭିଡ଼-୧୯ର ପ୍ରଭାବ ମାତ୍ରାଧିକ ଭାବରେ ବିଶାଳ ରୂପ ନେବାରେ ଲାଗିଛି। ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୭ଜଣ ଓ ଏନଏସିର ଚାରିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏନଏସିରେ ୨୧୦ରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ବ୍ଲକରୁ ଶତାଧିକ ସଂକ୍ରମିତ ହୋଇ ସାରିଲେଣି। ଉପୁଜୁଥିବା ସ୍ଥିତି ସାଧାରଣଙ୍କୁ କିଛିଟା ସୁରକ୍ଷା ଯୋଗାଇବା ଦିଗରେ ସ୍ଥାନୀୟ ଲାଇଫଲାଇନ ସଂସ୍ଥା ସାନିଟାଇଜ ନିମନ୍ତେ ଗୋଡ଼ କାଢିଛି। ଗତ ରାତି ସମୟରେ ସଂସ୍ଥା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଅନ୍ୟାନ୍ୟ ସଦସ୍ୟମାନେ ମିଳିତ ଭାବରେ ସ୍ଥାନୀୟ ଜଗନ୍ନାଥ ନଗର ମୁଖ୍ୟରାସ୍ତା ସହ ଦ୍ୱାରଦ୍ୱାର ସହ ଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ବୁଲି ନିଜେ ସାନିଟାଇଜ ମେସିନ ଦ୍ୱାରା ବିଶୋଧନ କରିଥିଲେ। ଆଗାମୀ ଦିନରେ ସହରର ମୁଖ୍ୟ ରାସ୍ତା ଓ ବିଭିନ୍ନ ଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ବିଶୋଧନ କରାଯିବା ସହିତ ସାଧାରଣଙ୍କୁ କୋଭିଡ଼ ନୀତି ନିୟମ ଉପରେ ସଚେତନ କରିବାକୁ ପଦକ୍ଷେପ ନେଇଥିବା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ କହିଥିଲେ। ବର୍ତ୍ତମାନ ସମୟରେ ସଂକ୍ରମଣ ଧାରାରେ ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସକମାନଙ୍କ ସହ ବିଭିନ୍ନ ବ୍ୟାଙ୍କ ଓ ବ୍ଲକ ରାଜସ୍ୱ କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇଥିବା ଦେଖାଯାଉଛି। ବ୍ଲକର ଆଗଲପୁର, ବରମକେଲା, କାଇଁଶିର, ପାଟକୁଲୁଣ୍ଡା, ମହଦା, ମୁନୁପାଲି, ଧାଙ୍ଗେରପାଲି, ବାରଗୁଡ଼ା, କନବାର, ଗୋପେଇପାଲି, ବନ୍ଧପାଲି, ଝୁଲୋପାଲି ସହ ଅନ୍ୟ ଗାଁ ମାନଙ୍କରେ ମଧ୍ୟ ପ୍ରଭାବିତ ହେଉଥିବା ଜଣାପଡ଼ିଲାଣିି। ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ବାହାରକୁ ବିନା କାମରେ ନ ବାହାରିବା ପାଇଁ ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି। ସେହିପରି ସଂଧ୍ୟାରେ ପୁଲିସ ପ୍ରଶାସନ ସ୍ଥାନୀୟ ଗାନ୍ଧିଛକରେ ମାସ୍କ ଓ ହେଲମେଟ ଚେକ କରୁଥିବା ଦେଖାଯାଉଛି। ସେହିପରି ଗତ ୬ତାରିଖରୁ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ସଂକ୍ରମଣ ଧାରାକୁ ରୋକ ଦେବା ପାଇଁ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହାୟତାରେ ଆସନ୍ତା ସେପ୍ଟେମ୍ବର ୩୦ତାରିଖ ପର୍ୟ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ଅପରାହ୍ନ ଦୁଇଘଣ୍ଟା ପର୍ୟ୍ୟନ୍ତ ଗୋଟିଏ ବେଳା ଖୋଲିବାକୁ ସିଦ୍ଧାନ୍ତ ନେଇଥିଲା। ଯାହାକି ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିବା ସହ ଦୋକାନୀମାନେ ସମ୍ମାନ ଜଣାଇ ଦୋକାନମାନ ଅପରାହ୍ନରୁ ବନ୍ଦ ରଖୁଛନ୍ତି। ସେହିପରି ବ୍ୟକ୍ତିଗତ କାର୍ୟ୍ୟରେ ଲୋକଙ୍କ ଯାତାୟତ ସ୍ୱଳ୍ପ ଭାବରେ ହେଉଥିବା ବେଳେ ସରକାରୀ କାର୍ୟ୍ୟାଳୟ ଓ ଘରୋଇ ପ୍ରତିଷ୍ଠାନ ବ୍ୟାଙ୍କ ପରିସରରେ ଗହଳ ଚହଳ ଜଣାପଡ଼ି ନ ଥିବା ସହିତ ରାସ୍ତାଘାଟ ଏକ ପ୍ରକାର ଖାଁଖାଁ ଲାଗୁଥିବା ଦେଖାଯାଉଛି।

Comments are closed.