ସରକାର ଗଠନ ଯୋଜନା ଚୂଡ଼ାନ୍ତ : ଉଦ୍ଧବ-ମୁଖ୍ୟମନ୍ତ୍ରୀ, ଅଜିତ ଉପ-ମୁଖ୍ୟମନ୍ତ୍ରୀ ଓ କଂଗ୍ରେସକୁ ବାଚସ୍ପତି ପଦ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପୂର୍ବରୁ ଏନ୍‌ସିପି ସହିତ ବୁଝାମଣା ଏକରକମ ଚୂଡ଼ାନ୍ତ କରିଛି। ରାଜ୍ୟପାଳଙ୍କ ଡକରା ଆଧାରରେ ସୋମବାର ଶିବସେନା ତାଙ୍କୁ ଭେଟି ସରକାର ଗଠନ ପାଇଁ ସମ୍ମତି ଜଣାଇବ। ଏହାପୂର୍ବରୁ କେନ୍ଦ୍ରର ଏନ୍‌ଡିଏ ସରକାରରୁ ଶିବସେନା ଓହରି ଆସିବାକୁ ଏନ୍‌ସିପି ଆହ୍ବାନ ଦେଇଛି। ତେବେ ମିଳିତ ସରକାର ଗଠନ ନେଇ ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ଶିବ‌େ​‌ସନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ ଓ ଏନ୍‌ସିପି ନେତା ଅଜିତ ପୱାର ହେବେ ଉପ-ମୁଖ୍ୟମନ୍ତ୍ରୀ। ସେହିପରି ଏନ୍‌ସିପିର ମହାରାଷ୍ଟ୍ର ରାଜ୍ୟ ସଭାପତି ଜୟନ୍ତ ପାଟିଲ ଗୃହମନ୍ତ୍ରୀ ହେବେ। ଏ ନେଇ ଉଦ୍ଧବ ଓ ଏନ୍‌ସିପି ନେତା ଶରଦ ପୱାରଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ଅପରପକ୍ଷରେ କଂଗ୍ରେସ ଏହି ସରକାରରେ ସାମିଲ ନ ହୋଇ ବାହ୍ୟ ସମର୍ଥନ ଦେବ। ଆବଶ୍ୟକ ପଡ଼ିଲେ କଂଗ୍ରେସକୁ ବିଧାନସଭା ବାଚସ୍ପତି ପଦ ପ୍ରଦାନ କରାଯିବ। ଶିବସେନା ଯଦି ଏନ୍‌ଡିଏ ପରିତ୍ୟାଗ କରେ; ତେବେ କେନ୍ଦ୍ରରେ ମନ୍ତ୍ରୀ ଥିବା ଏହାର ଏକମାତ୍ର ସଦସ୍ୟ ଅରବିନ୍ଦ ସାୱନ୍ତଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ସମ୍ପ୍ରତି ସେ ଭାରିଶିଳ୍ପ ବିଭାଗ ମନ୍ତ୍ରୀ ଅଛନ୍ତି। ଉଦ୍ଧବ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି; ତେବେ ସେ ଠାକ୍‌ରେ ପରିବାରରୁ ପ୍ରଥମ ବ୍ୟକ୍ତି ଭାବେ କୌଣସି ସରକାରରେ ସଦସ୍ୟତା କରିବେ। ତାଙ୍କ ପୁଅ ଆଦିତ୍ୟ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନରେ ଅଂଶଗ୍ରହଣ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.