ହାତୀ ଆକ୍ରମଣରେ ୧ ମୃତ , ଜଣେ ଗୁରୁତର

ଦେବଗଡ଼ : ଦେବଗଡ଼ର ରିଆମାଳ ଥାନା ତଥା ରିଆମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଣ୍ଟାବାହଳ ପଞ୍ଚାୟତର ଶୁଣ୍ଢୀନାଳି ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ବଡ଼କୁଦର ଗ୍ରାମର ସାନିଆ ବିରୁଆ (୬୫)। ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ଭଳି ସାନିଆ ଗ୍ରାମ ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ପାଦରେ ଦଳି ଦେବାରୁ  ସାନିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସେହିପରି ଉକ୍ତ ଗ୍ରାମର ବସନ୍ତ ସାହୁଙ୍କ ପତ୍ନୀ ସୀତା ସାହୁ (୫୦) । ସକାଳେ ଶୌଚ ପାଇଁ ନିକଟସ୍ଥ ବିଲକୁ ଯାଇଥିବା ସମୟରେ ସେହି ଦନ୍ତା ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ପାଟି ଶୁଣି ହାତୀଟି ପଳାଇଥିଲା। ଏହାପରେ ସୀତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତର ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି। ହାତୀ ଏବେ ମଧ୍ୟ ନିକଟସ୍ଥ ଜଙ୍ଗଲରେ ଥିବାରୁ ଗ୍ରାମବବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବର ପାଇ ରିଆମାଳ ଫରେଷ୍ଟ ରେଞ୍ଜର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ଜାରି ରଖିଛନ୍ତି।

 

Comments are closed.