ଆଶାକର୍ମୀ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର : ଯାଜପୁର ଜିଲା ଆଶାକର୍ମୀ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ଆଶାକର୍ମଚାରୀଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ଓ ସାଥିମାନଙ୍କୁ ୨୪ ହଜାର ଟଙ୍କା ପ୍ରଦାନ, ଆଶା ଓ ସାଥିଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଇପିଏଫ, ଇଏସଆଇ, ପେନସନ ଓ ଗ୍ରାଚୁଇଟି ପ୍ରଦାନ ଅନ୍ୟାନ୍ୟ ସୁବିଧା ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶକର୍ମୀ ସଂଘ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦିଆଯାଇଛି। ସଂଘର ଶତାଧିକ ସଦସ୍ୟ କିଆନାଳି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।  ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରଣପତ୍ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ବାରମ୍ବାର ଏଭଳି ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

Comments are closed.