ଦେହରେ ନିଆଁ ଲଗାଇ ମାନସିକ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ

ଦେବଗଡ଼ : ଜଣେ ମାନସିକ ରୋଗୀ ନିଜ ଦେହରେ କିରୋସିନି ଢାଳିବା ସହ ନିଆଁ ଲଗାଇ ଆତ୍ମହତ୍ୟା  ଉଦ୍ୟମ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ବିଳମ୍ବିତ ରାତିରେ ବାରକୋଟ ବ୍ଲକ ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗ୍ରାମରେ ଘଟିଛି। ମାନସିକ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନଖୁଣ୍ଟି ଗ୍ରାମର ସୋନୁ ଉଦାବର (୫୫)। ସୋନୁ ପ୍ରତିଦିନ ଭଳି ଗତ କାଲି ରାତି ୧୦ଟାରେ ଖାଦ୍ୟ ଖାଇଥିଲେ। ଏହା ପରେ ହଠାତ ରୋଷେଇ ଘର ଭିତରକୁ ଯାଇ ନିଜ ଦେହରେ କିରୋସିନି ଢାଳିବା ସହ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ନିଆଁ ଲିଭାଇବା ପାଇଁ ପାଣି ଢାଳି ଉଦ୍ୟମ କରିବା ସହ ପାଖ ପଡ଼ୋଶୀଙ୍କୁ ଡ଼ାକିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୋନୁଙ୍କ ଶରୀରର ପ୍ରାୟ ୪୦ ଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି।

Comments are closed.