ନୂଆ ଭୋଟର ନୂଆ ଆହ୍ୱାନ

0

ନୂଆଦିଲ୍ଲୀ : ୨୦୧୪ ତୁଳନାରେ ୨୦୧୯ରେ ଅଧିକ ୪୫ ନିୟୁତ ନୂଆ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରୁ ପ୍ରାୟ ଶତ ପ୍ରତିଶତ ଯୁବ ବର୍ଗ। ଅର୍ଥାତ ୧୮ ବର୍ଷ ଅତିକ୍ରାନ୍ତ କରିଥିôବା ଯୁବ ଭୋଟର ହିଁ ନୂଆ ତାଲିକାଭୁକ୍ତ ହୋଇଛନ୍ତି। ଯୁବ ବର୍ଗଙ୍କୁ ନେଇ ଆଧୁନିକ ଭାରତର ପରିକଳ୍ପନା କରୁଥିବା ରାଜନୈତିକ ଦଳ ପାଇଁ ଏହି ବିପୁଳ ସଂଖ୍ୟକ ଯୁବବର୍ଗ ଓ ଭୋଟର ନୂଆ ଆହ୍ୱାନ ସୃଷ୍ଟି କରିଛନ୍ତି। ଚିରାଚରିତ ପ୍ରସଙ୍ଗରୁ ହଟି ରାଜନୈତିକ ଦଳମାନେ ନୂଆ କିଛି ପରିକଳ୍ପନା କରିବାର ସୁଯୋଗ ଆସିଛି। ବିଶେଷକରି ଯୁବବର୍ଗଙ୍କ ପାଇଁ ନିଯୁକ୍ତି ହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାରୁ ଏହି ୪୫ନିୟୁତ ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ସେମାନଙ୍କ ଇସ୍ତାହାର ଓ ରଣନୀତିରେ ବିଶେଷ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ସେହିପରି ୨୦୧୯ରେ ଏହି ନୂଆ ଯୁବ ଭୋଟର ହିଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି କୁହାଯାଉଛି। ୨୦୧୪ରେ ମଧ୍ୟ ଭୋଟର ତାଲିକାରେ ସାମିଲ ହୋଇଥିବା ୨୪ ନିୟୁତ ଭୋଟର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିବା ନିର୍ବାଚନ ବିଶେଷଜ୍ଞମାନେ ମତ ଦେଇଛନ୍ତି।
୨୦୧୮ ନିର୍ବାଚନ ତାଲିକା ଅନୁଯାୟୀ, ସର୍ବାଧିକ ନୂଆ ଭୋଟର ସାମିଲ୍‍ କରିବାରେ ବିହାର ସବୁଠାରୁ ଆଗରେ ରହିଛି। ୨୦୧୪ ତୁଳନାରେ ବିହାରରେ ୬୧ ଲକ୍ଷ ୩୩ ହଜାର ୯୪୦ ଜଣ ନୂଆ ଭୋଟର ସାମିଲ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୫୫ ଲକ୍ଷ ୨ ହଜାର ୫୫୮, ରାଜସ୍ଥାନରେ ୪୩ ଲକ୍ଷ ୪୫ ହଜାର ୨୪୫, ମହାରାଷ୍ଟ୍ରରେ ୪୧ ଲକ୍ଷ ୭୦ ହଜାର ୯୪୧, ଉତ୍ତରପ୍ରଦେଶରେ ୩୯ ଲକ୍ଷ ୭୪ ହଜାର ୩୦ ଜଣ ନୂଆ ଯୁବ ଭୋଟର ସାମିଲ୍‍ ହୋଇଛନ୍ତି। ଲୋକସଭାର ମୋଟ ସାଂସଦଙ୍କ ମଧ୍ୟରୁ ଉପରୋକ୍ତ ରାଜ୍ୟର ୪୩% ପ୍ରତିନିଧିତ୍ୱ ରହିଛି। ଇତିମଧ୍ୟରେ ନିଯୁକ୍ତି ହାର ହ୍ରାସ ପାଇଥିବା ବା ବେରୋଜଗାରୀ ହାର ବଢ଼ିଥିବା ବିଭିନ୍ନ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାରକୁ ନେଇ ଯୁବବର୍ଗଙ୍କ ଭିତରେ ସ୍ୱାଭାବିକ ଭାବରେ ଏକ ନୂଆ ଆଶା ଓ ଆକାଂକ୍ଷା ସୃଷ୍ଟି ହୋଇଛି। ତେଣୁ ଏହିସବୁ ରାଜ୍ୟର ନୂଆଭୋଟରଙ୍କୁ ଆକୃଷ୍ଟ କରିବାକୁ ହେଲେ ପାରମ୍ପରିକ ପ୍ରତିଶ୍ରୁତିରୁ ଦୂରେଇ ରାଜନୈତିକ ଦଳଗୁଡ଼ିକୁ ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଏନଡିଏ ସରକାର ପ୍ରଚଳିତ ଯୁବ ଦକ୍ଷତା ବିକାଶ ନୀତି, ଷ୍ଟାର୍ଟ ଅପ୍‍, ମେକ୍‍ ଇନ୍‍ ଇଣ୍ଡିଆ, ଡିଜିଟାଲ୍‍ ଇଣ୍ଡିଆ ଭଳି ଯୋଜନାକୁ ଆଧାର କରି ଇସ୍ତାହାର ପ୍ରସ୍ତୁତ କରିବେ। ଅପରପକ୍ଷରେ ସର୍ବପୁରାତନ କଂଗ୍ରେସ ତା’ର ଯୁବ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଯୁବବର୍ଗର ଚିନ୍ତା, ଚେତନା ଓ ପ୍ରେରଣା ପ୍ରତୀକ ଭାବେ ଉପସ୍ଥାପନ କରିପାରେ।

Leave A Reply