ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍‍ ନିୟମ

ଭୁବନେଶ୍ୱର: ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସଂଶୋଧିତ ମୋଟର ଯାନ ଆଇନ ଆସନ୍ତା ଡିସେମ୍ବର ପହିଲାରୁ ପୁଣି କଡ଼ାକଡି଼ ଭାବେ ଲାଗୁ କରାଯିବ। ମଙ୍ଗଳବାର ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ପୂର୍ବରୁ ଯେଉଁ ପରିମାଣରେ ଫାଇନ୍‍ ଆଦାୟ ହେଉଥିଲା ସେଥିରେ ଆଉ କୋହଳ କରାଯିବା ନାହିଁ। ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍‍ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‍ ଆଦାୟ କରାଯିବ। ମନ୍ତ୍ରୀ କହିଛନ୍ତି, ସେ କହିଛନ୍ତି ଯେ, ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା। ପରିବହନ ସଂପର୍କିତ ପ୍ରମାଣପତ୍ର ପ୍ରସ୍ତୁତ ପାଇଁ ଲୋକଙ୍କୁ ତିନି ମାସ କୋହଳ କରାଯାଇଥିଲା କିନ୍ତୁ ଡିସେମ୍ବର ୧ ତାରିଖରୁ ଆଉ ଛଡ଼ା ଯିବ ନାହିଁ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ଦେଶ ବ୍ୟାପୀ ଲାଗୁ ହୋଇଥିଲା। କିନ୍ତୁ ପୂର୍ବ ଆଇନ ତୁଳନାରେ ନୂଆ ଆଇନରେ ଜରିମାନା ପରିମାଣ ଅହେତୁକ ବୃଦ୍ଧି କରାଯାଇଥିବାରୁ ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟ୍ରାଫିକ୍‍ ଯାଞ୍ଚ ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ଆବଶ୍ୟକୀୟ କାଗଜପତ୍ର କରାଇ ନେବାକୁ ରାଜ୍ୟ ସରକାର ଲୋକଙ୍କୁ ୩ ମାସ ସମୟ ଦେବା ସହିତ ସେ ପର୍ଯ୍ୟନ୍ତ ଆଇନକୁ କୋହଳ କରିଥିଲେ।

Comments are closed.