ଉପଭୋକ୍ତାରେ ନମ୍ବର ୱାନ୍‌, ଉଦ୍ଭାବନରେ ସତାବନ ଭାରତ

ନୂଆଦିଲ୍ଲୀ : ବିଶ୍ବ ଜନସଂଖ୍ୟାର ଏକ-ଷଷ୍ଠାଂଶ ଭାରତରେ ବାସ କରନ୍ତି। ଜନସଂଖ୍ୟାରେ ଚୀନ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ସର୍ବାଧିକ ଯୁବଗୋଷ୍ଠୀ ମଧ୍ୟ ଭାରତରେ । ଛତୁ ଫୁଟିବା ପରି ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢି ଉଠିବାରେ ଲାଗିଛି । ତେବେ ବିଡ଼ମ୍ବନାର ବିଷୟ; ଗତ ୬୦ ବର୍ଷ ହେଲା ଆମ ଦେଶରେ ବିଶ୍ବ ସ୍ତରୀୟ କୌଣସି ସାମଗ୍ରୀ ଉଦ୍ଭାବନ ହୋଇ ନାହିଁ । ଫିନଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ପରି କ୍ଷୁଦ୍ର ଦେଶ ଉଦ୍ଭାବନ କ୍ଷେତ୍ରରେ ଭାରତଠାରୁ ବେଶ୍ ଆଗୁଆ ଅଛନ୍ତି। ଉଦ୍ଭାବନକାରୀ ରାଷ୍ଟ୍ର ତାଲିକାରେ ବିଶ୍ବରେ ଚୀନ ୧୭ଶ ସ୍ଥାନରେ ଥିବାବେଳେ ଭାରତ ୫୭ତମ ସ୍ଥାନରେ ରହିଛି । ଭାରତ ପରି ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରର ଲୋକମାନେ ଆଧୁନିକ ସାମଗ୍ରୀ ପାଇଁ ବିଦେଶୀ କମ୍ପାନୀଗୁଡ଼ିକ ଉପରେ ନିର୍ଭର କରିଥା’ନ୍ତି। ଆମ ଦେଶର କେଉଁ କମ୍ପାନୀ ସ୍ମାର୍ଟ ଫୋନ ନିର୍ମାଣ କରିଥାଏ କେହି ଜାଣିଛନ୍ତି କି ? ଏହି ଫୋନ ନାଁ ଶୁଣିଲେ ଚୀନ ଓ ଦକ୍ଷିଣ କୋରିଆର ନାମ ଆମ ମନକୁ ପ୍ରଥମେ ଆସେ । କେବଳ ସ୍ମାର୍ଟ ଫୋନ ନୁହେଁ; ଅଟୋମୋବାଇଲ ପରି ଅଧିକାଂଶ ଆଧୁନିକ ଯନ୍ତ୍ରପାତି ବିଦେଶରୁ ହିଁ ଆମଦାନୀ ହୋଇଥାଏ । ବିଶ୍ବ ବଜାରରେ ଭାରତୀୟଙ୍କ ପରିଚୟ ହେଉଛି କେବଳ ଉପଭୋକ୍ତା ଓ ଭାରତର ପରିଚୟ ହେଉଛି ବଡ଼ ବଜାର । ଜ୍ଞାନ-ଗରିମା ଥାଇ ମଧ୍ୟ ଆମେ କୌଣସି ସାମଗ୍ରୀ ଉଦ୍ଭାବନ ନକରି ବିଶ୍ବବାସୀଙ୍କ ଉପରେ ଏକପ୍ରକାର ବୋଝ ପାଲଟି ଯାଇଛୁ ।
ବିଶ୍ବରେ ସର୍ବାଧିକ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ମଧ୍ୟରେ ଭାରତୀୟ ପ୍ରଥମ। ଏକ ସର୍ଭେ ସଂସ୍ଥାର ତଥ୍ୟ ଅନୁଯାୟୀ ଏବେ ଭାରତରେ ପ୍ରାୟ ୩୭୩.୮୮ ନିୟୁତ ଜନସାଧାରଣ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ୨୦୨୨ ବେଳକୁ ଏମାନଙ୍କ ସଂଖ୍ୟା ୪୪୨. ୫ ନିୟୁତରେ ପହଞ୍ଚି ସାରିଥିବ । ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୨୨ରୁ ୩୫ ମଧ୍ୟରେ। ତେବେ ବିଡ଼ମ୍ବନାର ବିଷୟ, ସ୍ମାର୍ଟ ଫୋନ ନିର୍ମାଣ କରୁଥିବା ବିଶ୍ବର ପ୍ରମୁଖ କମ୍ପାନୀଗୁଡ଼ିକରେ ମଧ୍ୟରେ କୌଣସି ଭାରତୀୟ କମ୍ପାନୀର ନାମ ନାହିଁ । ବିପୁଳ ଜନସଂଖ୍ୟା ବିଶିଷ୍ଟ ଭାରତରେ ବିଶ୍ବସ୍ତରୀୟ କୌଣସି ନୂତନ ସାମଗ୍ରୀ ଉଦ୍ଭାବନ ହେଉ ନାହିଁ। କେବଳ ଅନ୍ୟ ରାଷ୍ଟ୍ରଗୁଡ଼ିକର ଉଦ୍ଭାବନ ଉପରେ ଭାରତୀୟମାନେ ନିର୍ଭର କରୁଛନ୍ତି। ଦକ୍ଷିଣ କୋରିଆ ଓ ଚୀନ ପରି ଦୁଇଟି ବିଦେଶୀ କମ୍ପାନୀ ଆମ ଦେଶରେ ସ୍ମାର୍ଟ ଫୋନ ନିର୍ମାଣ କରିଥା’ନ୍ତି। ଦକ୍ଷିଣ କୋରିଆର ସାମସଙ୍ଗ ଓ ଚୀନର ଭିଭୋ, ଓପୋ ଓ ରିଏଲମି ପରି କମ୍ପାନୀ ଭାରତୀୟ ବଜାରକୁ ସ୍ମାର୍ଟ ଫୋନ ଯୋଗାଇ ଦେଇ ଆସୁଛନ୍ତି। ଭାରତୀୟ ସ୍ମାର୍ଟ ଫୋନ ବଜାରରେ କୌଣସି ଦେଶୀୟ କମ୍ପାନୀ ନାହାନ୍ତି କହିଲେ ଚଳେ । ଚୀନର ମୋବାଇଲ କମ୍ପାନୀ ଜିଓମି ଭାରତର ସ୍ମାର୍ଟ ଫୋନ ବଜାରରେ ୩୦ ପ୍ରତିଶତ ଆଧିପତ୍ୟ ଜାହିର କରି ଆସିଛି। ଏହା ପଛକୁ ରହିଛି ଦକ୍ଷିଣ କୋରିଆର ସାମସଙ୍ଗ କମ୍ପାନୀ। ଏହି କମ୍ପାନୀ ଭାରତୀୟ ବଜାରରେ ୨୨ ପ୍ରତିଶତ ସ୍ମାର୍ଟ ଫୋନ ନିର୍ମାଣ କରି ବିକ୍ରି କରିଥାଏ ।
ଚୀନ କମ୍ପାନୀ ଭିଭୋ, ଓପୋ ଓ ରିଅଲମି ଭାରତରେ ସ୍ମାର୍ଟଫୋନ ନିର୍ମାଣ କ୍ଷେତ୍ରରେ ଯଥାକ୍ରମେ ୩ୟ, ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି।
ବିଗତ ୬୦ ବର୍ଷ ମଧ୍ୟରେ ବିଶ୍ବବାସୀଙ୍କ ଉପରେ ପ୍ରଭାବ ପକାଇବା ପରି ଭାରତ ଏପରି କୌଣସି ସାମଗ୍ରୀ ଉଦ୍ଭାବନ କରି ନାହିଁ ବୋଲି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଛନ୍ତି। ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିବା ପରି କୌଣସି ସାମଗ୍ରୀ ଭାରତ ଗତ ୬ ଦଶନ୍ଧି ମଧ୍ୟରେ ଉତ୍ପାଦନ କରିପାରି ନାହିଁ। ୨୦୧୮ରେ ଭାରତର ୧୦ଟି ଖ୍ୟାତନାମା ଉଦ୍ୟୋଗ ବେଶ ସୁନାମ ଅର୍ଜନ କରିଥିଲେ। ଏଗୁଡ଼ିକ ହେଲା-ଭାରତୀୟ ତୈଳ ନିଗମ, ରିଲାଏନ୍ସ ଶିଳ୍ପ ସମୂହ, ଓଏନଜିସି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଟାଟା ମୋଟର୍ସ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ, ରାଜେଶ ଏକ୍ସପୋର୍ଟ, ଟାଟା ଷ୍ଟିଲ ଓ କୋଲ ଇଣ୍ଡିଆ ଲିମିଟେଡ । ଉପରୋକ୍ତ କମ୍ପାନୀଗୁଡ଼ିକ ମଧ୍ୟରୁ କେବଳ ଟାଟା ମୋଟର୍ସ(ଅଟୋମୋବାଇଲ) ଓ ରାଜେଶ ଏକ୍ସପୋର୍ଟ (ଅଳଙ୍କାର) ଦେଶ ଓ ବିଦେଶର ଉପଭୋକ୍ତାଙ୍କୁ କିଛି ମାତ୍ରାରେ ଆକୃଷ୍ଟ କରିପାରିଛି । ଭାରତର ଯୁବଗୋଷ୍ଠୀ ଗବେଷଣା ପରିବର୍ତ୍ତେ ପାଶ୍ଚାତ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁକରଣ କରି କେବଳ ଶିକ୍ଷାଗତ ଡିଗ୍ରୀ ହାସଲ କରିବାରେ ଲାଗିଛନ୍ତି। ଉଦ୍ଭାବନ ପାଇଁ ଯେଉଁ ଗବେଷଣା ଆବଶ୍ୟକ ତାହା ଭାରତୀୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳୁ ନାହିଁ । କେବଳ ଉଚ୍ଚତର ଶିକ୍ଷାକୁ ଏଠାକାର ଯୁବଗୋଷ୍ଠୀ ଯଥେଷ୍ଟ ବୋଲି ମନେକରୁଛନ୍ତି। ଏଭଳି ଚିନ୍ତାଧାରାରୁ ଦୂରେଇ ଗବେଷଣାରେ ମନୋନିବେଶ କରିବା ଆବଶ୍ୟକ ବୋଲି ଶ୍ରୀ ମୂର୍ତ୍ତି କହିଛନ୍ତି।
ଆମେରିକାର ମାସାଚ୍ୟୁଟ୍‌ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକୁ ଅନୁକରଣ କରି ଭାରତରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ​‌ଟେକ୍ନୋଲୋଜି (ଆଇଆଇଟି) ପ୍ରତିଷ୍ଠା କରାଯାଇଥିଲା। ଭାରତର ଏହି ପ୍ରତିଷ୍ଠାନ ମାଇକ୍ରୋଚିପ୍ ଓ ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ (ଜିପିଏସ) ଉଦ୍ଭାବନ କରିଥିଲା। ଏହି ଦୁଇଟି ବିଶ୍ବ ସ୍ତରୀୟ ଉଦ୍ଭାବନ ବ୍ୟତୀତ ଏଯାଏ ସେପରି କୌଣସି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉଦ୍ଭାବନ ହୋଇ ନାହିଁ। ନୂତନ ସାମଗ୍ରୀ ଉଦ୍ଭାବନ କରୁଥିବା ବିଶ୍ବର ଶୀର୍ଷ ୨୦ଟି ଦେଶ ମଧ୍ୟରେ ଗତ ବର୍ଷ ଚୀନ ସାମିଲ ହୋଇଛି ା ଏହି ଦେଶ ତାଲିକାର ୧୭ମ ସ୍ଥାନରେ ଥିବାବେଳେ ଭାରତ ୫୭ତମ ସ୍ଥାନରେ ଅଛି ା ତାଲିକାରେ ଥିବା ଶ୍ରେଷ୍ଠ ୧୦ଟି ଦେଶ ହେଲେ-ସୁଇଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍ବିଡେନ, ବ୍ରିଟେନ, ସିଙ୍ଗାପୁର, ଆମେରିକା, ଫିନଲ୍ୟାଣ୍ଡ, ଡେନମାର୍କ, ଜର୍ମାନୀ ଓ ଆୟର୍ଲାଣ୍ଡ। ଅତ୍ୟାଧୁନିକ ଗୁଇନ୍ଦା ଉପକରଣ ସମେତ ନୂତନ ଔଷଧ, ଟିକା, ଚାଳକ ବିହୀନ କାର ଓ ସୌର ଶକ୍ତି ଚାଳିତ ଉପକରଣ ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଦେଶର ବୈଜ୍ଞାନିକ ଓ ଯନ୍ତ୍ରୀମାନେ ଉଦ୍ଭାବନ କରିଛନ୍ତି। ଏକ୍ଷେତ୍ରରେ ଭାରତର ବିଶ୍ବକୁ ଅବଦାନ କ’ଣ ବୋଲି ପ୍ରଶ୍ନ ଉଠୁଛି ? ବିଶ୍ବର ଏକ-ଷଷ୍ଠାଂଶ ଜନସାଧାରଣ ଭାରତରେ ବାସ କରନ୍ତି । ପ୍ରାକୃତିକ ସମ୍ବଳର ଅଭାବ ମଧ୍ୟ ନାହିଁ ା ଏସବୁ ସତ୍ତ୍ବେ ଆମ ଦେଶରେ କାହିଁକି ନୂତନ ସାମଗ୍ରୀ ଉଦ୍ଭାବନ ହୋଇ ପାରୁ ନାହିଁ ? ଚୀନ ସମେତ ଅନ୍ୟାନ୍ୟ ଦେଶ ସେମାନଙ୍କ ଯୁବଗୋଷ୍ଠୀଙ୍କୁ ଗବେଷଣା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ା ଆମଦେଶରେ କେବଳ ଡିଗ୍ରୀ ଓ ଚାକିରି ପଛରେ ଯୁବଗୋଷ୍ଠୀ ଧାଇଁଛନ୍ତି। ସରକାରଙ୍କ ସଂରକ୍ଷଣ ନୀତି କେତେକ ଯୁବଗୋଷ୍ଠୀଙ୍କୁ ନିରାଶ କରିଛି ା ଆମ ଦେଶର ସଂରକ୍ଷଣ ନୀତି ବିଶ୍ବର ଅନ୍ୟ କୌଣସି ଦେଶରେ ପ୍ରାୟତଃ ଦେଖିବାକୁ ମିଳେ ନାହିଁ । ତେଣୁ ଏଠାକାର ଯୁବଗୋଷ୍ଠୀ ପାଶ୍ଚାତ୍ୟ ରାଷ୍ଟ୍ରରେ ଅଧ୍ୟୟନ କରିବା ସହ ସେଠାକାର ଗବେଷଣା ପ୍ରତିଷ୍ଠାନଗୁଡ଼ିକରେ ବଡ଼ବଡ଼ ପଦରେ ଅବସ୍ଥାପିତ ହୋଇଛନ୍ତି।
ସରକାର କୃଷକଙ୍କୁ ମାଗଣା ଅର୍ଥ ପ୍ରଦାନ କରୁଛନ୍ତି । ତେବେ ଇସ୍ରାଏଲ ପରି ଏକ ମରୁ ରାଷ୍ଟ୍ର କେଉଁ ଉପାୟରେ କୃଷି କରୁଛି ଓ କୃଷି ପାଇଁ କେଉଁ ଯନ୍ତ୍ର ବ୍ୟବହାର କରୁଛି ସେ ସଂକ୍ରାନ୍ତରେ ଜାଣିବା ପାଇଁ ଆମ ସରକାର ଉଦ୍ୟମ କରୁ ନାହାନ୍ତି ା କୋଟିକୋଟି ଟଙ୍କା ବିନିମୟରେ ଆଧୁନିକ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ବିଦେଶରୁ କିଣାଯାଉଛି । ହେଲେ ସେପରି ଜ୍ଞାନ କୌଶଳ କିପରି ଆମର ଯନ୍ତ୍ରୀ ଓ ବୈଜ୍ଞାନିକ ଆହରଣ କରିପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେଉ ନାହାନ୍ତି । ବିଶ୍ବ​‌େ​‌ର ଆମ ପରିଚୟ ହେଉଛି ଉପଭୋକ୍ତା। କେତେକ କୃଷିଜାତ ଓ ଖଣିଜ ସାମଗ୍ରୀକୁ ଛାଡ଼ି ଦେଲେ ବିଶ୍ବବାସୀଙ୍କୁ ଆମେ କ’ଣ ଦେଇଛୁ ସେ ସଂକ୍ରାନ୍ତରେ ଚିନ୍ତା କରିବା ଆବଶ୍ୟକ । ଭାରତ ତୁଳନାରେ କ୍ଷୁଦ୍ରାତି କ୍ଷୁଦ୍ର ରାଷ୍ଟ୍ରର ବୈଜ୍ଞାନିକ ଓ ଯନ୍ତ୍ରୀ ବିଭିନ୍ନ ଆଧୁନିକ ସାମଗ୍ରୀ ଉଦ୍ଭାବନ କରି ଚାଲିଥିବାବେଳେ ଆମ ସରକାର କେବଳ ଚାହିଁ ରହିଛନ୍ତି ‘କେତେ ଟଙ୍କାରେ ସେମାନେ ବିକିବେ ଓ ଆମେ କିଣିବା’। ଏପରି ନୀତି ନବଦଳିଲେ ବିଶ୍ବରେ ଆମକୁ କେବଳ ଅଳସୁଆ ନୁହେଁ, ବରଂ ଦୁର୍ବଳ ଅର୍ଥନୀତିର ଦେଶ ମଧ୍ୟ କହିବେ ।

Comments are closed.