ନେଦରଲାଣ୍ଡ-ଭାରତ ମଧ୍ୟରେ ଅନେକ ରାଜିନାମା ଏବଂ ବୁଝାମଣା ସ୍ୱାକ୍ଷର

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‍ଙ୍କ ମଧ୍ୟରେ ଗୁରୁବାର କୃଷି, ବାଣିଜ୍ୟ, ଶିକ୍ଷା, ନିବେଶ, ଆଇଟି ଭଳି ଅନେକ କ୍ଷେତ୍ରରେ ରାଜିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ମୋଦି ଏବଂ ରୁଟ୍‍ ଦିଲ୍ଲୀସ୍ଥିତ ହାଇଦରାବାଦ ହାଉସଠାରେ ଆୟୋଜିତ ସିଇଓଙ୍କ ସମ୍ମିଳନୀରେ ଭାଗ ନେଇଥିଲେ। ଏହାପରେ ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ସରକାରସ୍ତରୀୟ ସହଯୋଗ, ଶିକ୍ଷା, ଜଳ, ଖାଦ୍ୟ ପ୍ରକ୍ରିୟାକରଣ, ଉଦ୍ୟାନକୃଷି, ଆଇଟି/ହାଇଟେକ୍‍/ମହାକାଶ ବିଜ୍ଞାନ, ସ୍ୱାସ୍ଥ୍ୟ ଏବଂ ଜୀବ ବିଜ୍ଞାନ, ବାଣିଜ୍ୟ, ନିବେଶ, ଶକ୍ତି, କୃଷି ଏବଂ ସ୍ମାଟ ସିଟି ବିକାଶ କ୍ଷେତ୍ରରେ ଅନେକ ବୁଝାମଣାପତ୍ର ଓ ରାଜିନାମା ସ୍ୱାକ୍ଷର ହୋଇଥିଲା। ଉଭୟ ରାଷ୍ଟ୍ର ମୁଖ୍ୟ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ନେଦରଲାଣ୍ଡ ୬୪ତମ ରାଷ୍ଟ୍ର ଭାବେ ଅନ୍ତର୍ଜାତୀୟ ସୌର ମେଣ୍ଟ ରାଜିନାମା ସ୍ୱାକ୍ଷର କରିଥିଲା। ବୈଠକ ପରେ ଉଭୟ ରାଷ୍ଟ୍ର ମୁଖ୍ୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗଦେଇଥିବାରୁ ନେଦରଲାଣ୍ଡକୁ ଅଭିନନ୍ଦନ ଜଣାଇବା ସହ ଖୁସୀ ବ୍ୟକ୍ତ କରିଥିଲେ। ଭାରତର ବିକାଶ ଯାତ୍ରାରେ ନେଦରଲାଣ୍ଡ ଏକ ପ୍ରମୁଖ ଅବଦାନ ରହିଛି ବୋଲି ମୋଦି କହିଥିଲେ। କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନେଦରଲାଣ୍ଡ ବିଶେଷଜ୍ଞତା ହାସଲ କରିଛି ଓ ଭାରତ ଏହାର ଲାଭ ଉଠାଇପାରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ପୁଣେ ଏବଂ ବାରାଣାସୀରେ ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ଇଣ୍ଡୋ-ଡଚ୍‍ ସେଣ୍ଟର ଆରମ୍ଭ ହୋଇଥିବା ମୋଦି ସୂଚନା ଦେଇଥିଲେ। ଉଲ୍ଲେଖ ଯେ ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ୫.୩୯ ଶହ କୋଟି ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଚାଲିଛି। ଏହି ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ପାଇଁ ଉଭୟ ନେତା ଆଲୋଚନା କରିଥିଲେ। ୨୦୦୦ରୁ ୨୦୧୭ ମଧ୍ୟରେ ନେଦରଲାଣ୍ଡ ଭାରତରେ ୨୩ ଶହ କୋଟି ଡଲାର ପୁଞ୍ଜି ନିବେଶ କରି ୫ମ ସର୍ବୋଚ୍ଚ ପୁଞ୍ଜି ନିବେଶକାରୀ ହୋଇଛି। ନେଦରଲାଣ୍ଡରେ ୨,୩୫,୦୦୦ ପ୍ରବାସୀ ଭାରତୀୟ ଅଛନ୍ତି। ପ୍ରକାଶ ଯେ ଗତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଦରଲାଣ୍ଡ ଗସ୍ତରେ ଯାଇଥିଲେ। ରୁଟ୍‍ଙ୍କ ସହ ନେଦରଲାଣ୍ଡ କୃଷି ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ମନ୍ତ୍ରୀ, ବିଦେଶ ବାଣିଜ୍ୟ ଏବଂ ବିକାଶ ମନ୍ତ୍ରୀ, ଜଳ ସମ୍ପଦ ଏବଂ ଭିତ୍ତିଭୂମି ବିକାଶ ମନ୍ତ୍ରୀ, ହଗ ସହର ମେୟର ପ୍ରମୁଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।

Leave A Reply