ଏନଡିଏ ସରକାରଙ୍କ ନୂତନ ମନ୍ତ୍ର : ‘ସବ୍‍ କା ସାଥ୍‍-ସବ୍‍କା ବିକାଶ-ସବ୍‍କା ବିଶ୍ୱାସ’

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାଙ୍କ ସରକାରଙ୍କ ନୂତନ ମନ୍ତ୍ର ‘ସବ୍‍ କା ସାଥ୍‍-ସବ୍‍କା ବିକାଶ-ସବ୍‍କା ବିଶ୍ୱାସ’ ( ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶ-ସମସ୍ତଙ୍କ ବିଶ୍ବାସ)  ଆଗାମୀ ଦିନରେ ଦେଶର ସାମଗ୍ରିକ ବିକାଶ ଦିଗରେ ଏହା ଉଚିତ ମାର୍ଗ ପ୍ରଦର୍ଶନ କରିବ। ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ସେ ରାଷ୍ଯ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ଏହା ପରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ମୋଦୀ କହିଛନ୍ତି, କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ ଲାଗି ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାଛଡ଼ା ଦେଶବାସୀଙ୍କର ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଦିଗରେ ନୂତନ ସରକାର ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ଦିନରେ ସରକାର ନିଜର ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ସହ ପ୍ରତିଟି ମୁହୂର୍ତ୍ତକୁ ଲୋକଙ୍କ କଲ୍ୟାଣ ଦିଗରେ ଉପଯୋଗ କରିବେ ।

ପୂର୍ବରୁ ସଂସଦର କେନ୍ଦ୍ରୀୟ ହଲ୍‍ଠାରେ ଅନୁଷ୍ଠିତ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ସମସ୍ତ ନବନିର୍ବାଚିତ ସାଂସଦ ଏବଂ ବରିଷ୍ଠ ନେତାମାନଙ୍କର ବୈଠକରେ ସର୍ବସମ୍ମତିକ୍ରମେ ମୋଦୀଙ୍କୁ ନେତା ରୂପେ ନିର୍ବାଚିତ କରାଯାଇଥିଲା । ଏହା ପୂର୍ବରୁ ବିଜେପି ସଂସଦୀୟ ଦଳର ନେତା ରୂପେ ମଧ୍ୟ ମୋଦୀଙ୍କୁ ନିର୍ବାଚିତ କରାଯାଇଥିଲା । ଏହି ଅବସରରେ ଏନ୍‍ଡିଏର ନେତାମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଏନ୍‍ଡିଏର ବିକାଶ ମୂଳକ କାର୍ଯ୍ୟ ଲାଗି ଜନସାଧାରଣ ଏହାକୁ ପୁନର୍ବାର ନିର୍ବାଚିତ କରିଛନ୍ତି ।  କଠିନ ପରିଶ୍ରମ ଏବଂ ସାଧୁତାକୁ ଦେଶବାସୀ ପୁରସ୍କୃତ କରିଛନ୍ତି ଏବଂ ଏହା ହିଁ ହେଉଛି ଦେଶର ଶକ୍ତି ବୋଲି ସେ କହିଛନ୍ତି।
ସେ କହିଛନ୍ତି, ବିପୁଳ ଜନାଦେଶ ଏନ୍‍ଡିଏର ଦାୟିତ୍ୱ ବୃଦ୍ଧି କରିଛି ଏବଂ ଏଥିସହ ଏନ୍‍ଡିଏ ଏକ ନୂତନ ଯାତ୍ରା ଆରମ୍ଭ କରୁଛି । ଶକ୍ତି ଓ ସମନ୍ୱୟକୁ ଏନ୍‍.ଡି.ଏ.ର ଦୁଇଟି ପ୍ରମୁଖ ଅଙ୍ଗ ଭାବେ ବର୍ଣ୍ଣନା କରିବା ସହ ଏହାର ଅଂଶୀଦାର ଦଳଗୁଡ଼ିକ ଆଗାମୀ ଦିନରେ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ କାନ୍ଧକୁ କାନ୍ଧ ମିଳାଇ ଚାଲିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ଧର୍ମ ଓ ଜାତି ଆଧାରରେ କାହା ପ୍ରତି କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ । ସେହିଭଳି ପୂର୍ବରୁ ଅବହେଳିତ ହୋଇଆସୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ବିଶ୍ୱାସ ଜିଣିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମୋଦୀ କହିଛନ୍ତି ।

Comments are closed.