ମହାରାଷ୍ଟ୍ରରେ ସରକାର ଗଠନକୁ ଦିଲ୍ଲୀର ରାଜନୈତିକ ବାତାବରଣ ସରଗରମ

ସୋନିଆଙ୍କୁ ଭେଟିଲେ ପାୱାର, ଅମିତ୍‍ ଶାହାଙ୍କୁ ଭେଟିଲେ ଫଡ୍‍ନବୀଶ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ସରକାର ଗଠନ ନେଇ ବିଜେପି-ଶିବସେନା ମଧ୍ୟରେ କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ।
ତେବେ ଏନସିପି ନେତା ଶରଦ ପାୱାର ସୋମବାର କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ନେଇ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର ଗଠନର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ଆଗକୁ ସେ ପୁଣି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବେ ବୋଲି ଶ୍ରୀ ପାୱାର କହିଛନ୍ତି । ଅନ୍ୟପକ୍ଷରେ ଲୋକେ ଯେଉଁମାନଙ୍କୁ ଭୋଟ୍ ଦେଇଛନ୍ତି ସେମାନେ ସରକାର ଗଠନ କରିବା ଆବଶ୍ୟକ । ସରକାର ଗଠନ ପାଇଁ ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ଏ ପ୍ରସଙ୍ଗରେ ଶ୍ରୀ ପାୱାରଙ୍କୁ    ମଧ୍ୟ ସାକ୍ଷାତ କରିଥିଲେ।

ଶ୍ରୀ ପାୱାର କହିଛନ୍ତି, ମୁଁ ସୋନିଆ ଗାନ୍ଧୀଙ୍କୁ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ବିଷୟରେ ଅବଗତ କରାଇଛି । ତେବେ ସରକାର ଗଠନ ନେଇ ଭଲ ଭାବେ ଆଲୋଚନା ହୋଇନାହିଁ। ଲୋକେ ଆମକୁ ବିରୋଧୀ ଦଳ ଆସନରେ ବସିବାକୁ ସୁଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‍ନବୀଶ ମଧ୍ୟ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହାଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ୍‍ କରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ସଂକ୍ରାନ୍ତରେ  ସେ କହିଛନ୍ତି, ନୂଆ ସରକାର ଗଠନ ବିଷୟରେ ଯଦି କେହି କିଛି ମନ୍ତବ୍ୟ ଦେଉଛନ୍ତି, ତାହା ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। ତେବେ ଖୁବ୍‍ ଶୀଘ୍ର ନୂଆ ସରକାର ଗଠନ ହେବ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

Comments are closed.