ଠେଲାପେଲା,ମୁଥ ମରାମରିରେ ୩ ଆହତ

0

ନୟାଗଡ଼ : କେନ୍ଦ୍ରରେ ଶାସନାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ରେ ବିଜେପି ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବୁଦ୍ଧିଜୀବୀ ସମାବେଶରେ ଅଭାବନୀୟ ଅବସ୍ଥା ସୃଷ୍ଟି ହୋଇଥିଲା। ବିଜେପିର ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ମଧ୍ୟରେ ବଚସା, ଗାଳିଗୁଲଜ, ମୁଥ ମରାମରି, ଧକ୍କା ମରାମରି, ଚୌକି ଫିଙ୍ଗାଫିଙ୍ଗି ଭଳି ଅପ୍ରୀତିକର ଘଟଣା ଘଟିଥିଲା। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ଏହି ଗୋଷ୍ଠୀ ବିବାଦର ସମାଧାନ କରୁଥିବା କୁହାଯାଉଛି। ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ବି ବୈଠକରେ ସିଂହଦେଓଙ୍କ ସହିତ ଅତିଥି ଭାବେ ଯୋଗଦେଇଥିଲେ।
ସ୍ଥାନୀୟ ଏକ ହୋଟେଲରେ ଆଜି ସାମ୍ବାଦିକ, ଓକିଲ, ଅବସରପ୍ରାପ୍ତ ସାମରିକ, କର୍ମଚାରୀ, ଶିକ୍ଷାବିତ ପ୍ରମୁଖଙ୍କୁ ନେଇ ରବିବାର ଏହି ବୌଦ୍ଧିକ ସମାବେଶ ଆୟୋଜିତ ହୋଇଥିଲା। ସମାବେଶରେ ବିଜେପି ଜିଲା ଉପ ସଭାପତି ଯୁଗଳ କିଶୋର ଭଟ୍ଟ ଅଧ୍ୟକ୍ଷତା କରିଥିଲେ। ଚନ୍ଦ୍ରବିଜୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥି ଭାବେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଜିଲା ସଭାପତି ସନ୍ନ୍ୟାସୀ ନାୟକ, ଶ୍ରୀମତୀ ଇରାନୀ ରାୟ, ଲାଲା ମନୋଜ ରାୟ, ଲକ୍ଷ୍ମୀଧର ତ୍ରିପାଠୀ,ବାବୁଲି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସଫଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତେବେ ଏହି ସମାବେଶକୁ କାହିଁକି ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ଡକାଯାଇ ନାହିଁ ବୋଲି ସଭାସ୍ଥଳରେ ବିଜେପି ଜିଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, କୃଷକ ନେତା ପ୍ରଦୀପ୍ତ ଜେନା, ସ୍ନେହରଞ୍ଜନ ଦାସ ଜୟସିଂହ ପ୍ରମୁଖ ଏହାକୁ ବିରୋଧ କରି ପାଟିତୁଣ୍ଡ କରିଥିଲେ। ପ୍ରଥମେ ସେମାନଙ୍କର ଲକ୍ଷ୍ମୀଧର ତ୍ରିପାଠୀଙ୍କ ସହିତ ବଚସା ଓ କଥା କଟାକଟି ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ପକ୍ଷରୁ ରଣହୁଙ୍କାର ଦେଇ ପରସ୍ପର ମଧ୍ୟରେ ଠେଲାପେଲା, ମୁଥମାରି, ଚୌକି ଫିଙ୍ଗାଫିଙ୍ଗି କରିବା ସହିତ ବ୍ୟାନର ଚିରାଚିରି କରିଥିବାର ଦେଖିବାକୁ ମିଳିଥିଲା। ଆଜି ଏଠାରେ ଘଟିଥିବା ଏଭଳି ତୁମୂଳ କାଣ୍ଡରେ ୩ ଜଣ ଆହତ ହୋଇଥିବା କୁହାଯାଉଛି। ତେବେ ଏଭଳି ଘଟଣା ଯୋଗୁଁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ମଧ୍ୟରେ ଥିବା ଗୋଷ୍ଠୀ ବିବାଦ ଓ କନ୍ଦଳ ଏବେ ସ୍ପଷ୍ଟ ହୋଇଯାଇଛି। ଏହାଦ୍ୱାରା ଦଳର ପତିଆରା ସାଧାରଣରେ ହ୍ରାସ ପାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷରେ ବିଜେପିର ଏଭଳି ଗୋଷ୍ଠୀ କନ୍ଦଳ ପ୍ରତିପକ୍ଷ ବିଜେଡିକୁ ବେଶ୍‌ ସୁହାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Leave A Reply